ଭୁବନେଶ୍ୱର : ଚାଷ ଜମିରେ ଅତ୍ୟଧିକ କୀଟନାଶକ ଓ ରସାୟନିକ ସାର ବ୍ୟବହାର ହେଉଥିବାରୁ ମାଟି ବିଷାକ୍ତ ହୋଇଯାଇଛି। ଏହାଦ୍ବାରା ‌କେବଳ ଯେ ଚାଷୀ ପ୍ରଭାବିତ ହେଉଛନ୍ତି ତାହା ନୁହେଁ; ବରଂ ସମଗ୍ର ସମାଜ ପାଇଁ ଚିନ୍ତାର କାରଣ। ଚାଷ ଜମିରେ ସୁନାର ଫସଲ ଫଳାଇବାକୁ ହେଲେ ମାଟିକୁ ପ୍ରଥମେ ସୁରକ୍ଷିତ ରଖିବାକୁ ପଡ଼ିବ ବୋଲି ‘ଫିକି’ ସହଯୋଗିତାରେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଜନତା ମଇଦାନରେ ଚାଲିଥିବା ୫ ଦିନିଆ ‘କୃଷି ଓଡ଼ିଶା’ର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି।

Advertisment

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ୍ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବର୍ତମାନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ସହଚର ପାଲଟିଛି। ପ୍ରକୃତି ବାରମ୍ବାର ଦାଉ ସାଧୁଛି। ବାତ୍ୟା, ସୁନାମି, ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମାଜର ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଏସବୁ କାରଣ ପାଇଁ ଆମେ ହିଁ ଦାୟୀ। ଚାରିଆଡ଼େ ପ୍ରଦୂଷଣର ମାତ୍ରା ବଢ଼ୁଛି। ଚାଷ ଜମି ମଧ୍ୟ ପ୍ରଦୂଷଣ କବଳରୁ ମୁକୁଳି ପାରିନି। ତେଣୁ ପ୍ରଦୂଷଣର ମାତ୍ରା କିଭଳି କମିବ ସେଥିପାଇଁ ସମସ୍ତେ ସଚେତନ ହେବାର ସମୟ ଆସିଛି। ଚାଷ ଜମିରେ ରସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ସାର ପ୍ରୟୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅରୁଣ କୁମାର ସାହୁ ଅଧ୍ୟକ୍ଷତା କରି ଉନ୍ନତମାନର ଜ୍ଞାନକୌଶଳ, ବିହନ, ସାର ଓ କୃଷି ଯନ୍ତ୍ରାଂଶ ବ୍ୟବହାର ଦ୍ବାରା ଚାଷୀ ଅଧିକ ଲାଭ ପାଇପାରିବେ ବୋଲି କହିଥିଲେ। ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଓୟୁଏଟି କୁଳପତି ପୱନ କୁମାର ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କମ୍ ଜମିରେ କିପରି ଅଧିକ ଉତ୍ପାଦନ ହୋଇପାରିବ ତାହା ହିଁ ବର୍ତ୍ତମାନ ସମୟର ବଡ଼ ଆହ୍ୱାନ ବୋଲି କହିଥିଲେ।

ଉଦଯାପନୀ ଉତ୍ସବରେ ରାଜ୍ୟର କୃଷି ଶିଳ୍ପୋଦ୍ୟୋଗୀଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଥିଲେ। ଏଥିସହ ‘ଷ୍ଟାର୍ଟ ଅପ୍’ ମିଟ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ୫୦ ଷ୍ଟାର୍ଟ ଅପ୍ ସାମିଲ ହୋଇଥିଲେ। ଆଜି ‘ଋତୁକାଳୀନ ଉତ୍ପାଦନ ଓ ଆୟ ବୃଦ୍ଧି ସଂରକ୍ଷିତ ଚାଷ’ ଶୀର୍ଷକ ପ୍ରଥମ ଅଧିବେଶନରେ ବାମଣ୍ଡା ବାୟୋଟେକ୍‌ର ନିର୍ଦ୍ଦେଶକ ନିରଞ୍ଜନ ପ୍ରଧାନ, ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି, ଓୟୁଏଟି ଫଳଚାଷ ଓ ଭୂ-ନିର୍ମାଣ ବିଭାଗର ମୁଖ୍ୟ ଶଶିକଳା ବେଉରା ପ୍ରମୁଖ ଯୋଗଦେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ‘ଜଳବାୟୁ ସମ୍ବେଦନଶୀଳତା ଓ ଜଳବାୟୁ ନିରୋଧୀ କୃଷି’ ଶୀର୍ଷକ ଦ୍ୱିତୀୟ ଅଧିବେଶନରେ ଆଇଆଇଡବ୍ଲ୍ୟୁଆର ବୈଜ୍ଞାନିକ ଆତ୍ମାରାମ ମିଶ୍ର, କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଅମରେଶ କୁମାର ଯୋଗ ଦେଇଥିଲେ।