‘କୃଷି ଓଡ଼ିଶା-୨୦୨୦’ର ଦ୍ବିତୀୟ ଦିବସ: ଚାଷୀଙ୍କୁ ମିଳିବ ଉଚିତ ମୂଲ୍ୟ

ଭୁବନେଶ୍ୱର: କୃଷି କ୍ଷେତ୍ରରେ ୮୦ ଭାଗରୁ ଅଧିକ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ନୂତନ କୃଷି ପଦ୍ଧତି ଏବଂ ଜ୍ଞାନକୌଶଳ ଆପଣାଇବା ଦିଗରେ ଋଣର ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ଯେପରି ସହଜ ଓ ସୁବିଧାରେ ଋଣ ମିଳିପାରିବ ସେଦିଗରେ ପଦକ୍ଷେପ ନିଆଯାଉଛି। ୨୦୦୦ ମସିହାରେ ସମବାୟ ବିଭାଗ ପକ୍ଷରୁ କୃଷି କ୍ଷେତ୍ରରେ ୪୨୬ କୋଟିର ଋଣ ଯୋଗାଣ କରାଯାଇଥିବା ବେଳେ ବର୍ତ୍ତମାନ ତାହା ୧୨ ହଜାର ୭୦୦ କୋଟିରେ ପହଞ୍ଚିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଜନତା ମଇଦାନରେ ଚାଲିଥିବା ‘କୃଷି ଓଡ଼ିଶା’ର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଓ ଉତ୍ପାଦିତ ଫସଲ ସଂରକ୍ଷଣ ନିମନ୍ତେ ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ଚାଷୀମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ଯୋଗାଇଦେବା ଉଦ୍ଦେଶ୍ୟରେ ସମବାୟ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ବିପଣନ ପରିଷଦ ଓ ନିୟନ୍ତ୍ରିତ ବଜାର କମିଟିଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଏହାର ପୁନର୍ଗଠନ ହେଉଛି। ଏଥିସହ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ କ୍ରିୟାଶୀଳ କରିବା, ପ୍ରକୃତ ଚାଷୀ ଯେପରି ଉତ୍ପାଦିତ ଧାନ ବିକ୍ରି କରିପାରିବ ସେଥିପାଇଁ ଅନ୍‌ଲାଇନ୍‌ରେ ଚାଷୀ ପଞ୍ଜୀକରଣ, ଆଧାର ସଂଯୋଗୀକରଣ, ପି-ପାସ୍‌, ଆଗୁଆ ଟୋକେନ୍‌ ପ୍ରଦାନ ବ୍ୟବସ୍ଥା କରାଯାଇଛି। କୃଷି ଋଣ, ସାର ଓ ବିହନ ଯୋଗାଣ, ବଳକା ଧାନ ଓ ଶସ୍ୟ ସଂଗ୍ରହ, ଶସ୍ୟ ସଂରକ୍ଷଣ ଆଦି ସୁବିଧା ଗୋଟିଏ ଛାତ ତଳେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ଓ୍ୱାନ୍‌ ଷ୍ଟପ୍‌ ସପ୍‌ରେ ପରିଣତ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଅରୁଣ କୁମାର ସାହୁ ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶାର କୃଷିକୁ ନୂତନ ଦିଗ ଦେବା ପାଇଁ କୃଷି ଓ ସମବାୟ ବିଭାଗ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା କୃତ୍ତିବାସ ପାତ୍ର, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମତ୍ସ୍ୟ ଉନ୍ନୟନ କର୍ପୋରେସନ୍‌ର ଅଧ୍ୟକ୍ଷ ଅସିତ୍‌ ପଟ୍ଟନାୟକ, ନାବାର୍ଡର ଚିଫ୍‌ ଜେନେରାଲ୍‌ ମ୍ୟାନେଜର ଏ ଚନ୍ଦ୍ରଶେଖର, ୟୁକୋ ବ୍ୟାଙ୍କର ଭୁବନେଶ୍ୱର ସର୍କଲ ହେଡ୍‌ର ଜେନେରାଲ୍‌ ମ୍ୟାନେଜର ଏସ୍‌ କୁମାର, ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଏମ୍‌ ପ୍ରିୟରଞ୍ଜନ ପ୍ରମୁଖ ଯୋଗଦେଇ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରର ବିକାଶ ଦିଗରେ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ କମିସନର ବୀରବିକ୍ରମ ଯାଦବ ସ୍ୱାଗତ ଭାଷଣ କରିଥିଲେ। ଏହି ଅବସରରେ ଇ-ଲାଇସେନ୍ସିଂର ୟୁଜର ମାନୁଆଲ୍‌ ସହିତ ସିଙ୍ଗଲ୍‌ ଓ୍ୱିନ୍‌ଡୋ ଆଧାରିତ ଇ-ଲାଇସେନ୍ସିଂ ପଦ୍ଧତିର ଉନ୍ମୋଚନ କରିଥିଲେ। ଉଦ୍ୟାନ କୃଷିରେ ବିଶେଷ ଉତ୍କର୍ଷ ହାସଲ କରିଥିବା ରାଜ୍ୟର ୩୦ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୧୦ଟି ଜଳଛାୟା ପ୍ରକଳ୍ପ କମିଟିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର