ଭୁବନେଶ୍ବର : ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ମୋଟ୍ ଋଣର ୧୮ ପ୍ରତିଶତ କୃଷି କ୍ଷେତ୍ରରେ ଦିଆଯିବା କଥା। ମାତ୍ର ବ୍ୟାଙ୍କଗୁଡ଼ିକ ଏହି ନିର୍ଦ୍ଦେଶକୁ ମାନୁ ନାହାନ୍ତି। ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟ ତୁଳନାରେ ଓଡ଼ିଶାର ବ୍ୟାବସାୟିକ ବ୍ୟାଙ୍କଗୁଡ଼ିକର କୃଷି ଋଣର ହାର ବହୁତ କମ୍। ବ୍ୟାଙ୍କଗୁଡ଼ିକ କୃଷି ଋଣ ପ୍ରଦାନରେ କୁନ୍ଥକୁନ୍ଥ ହେଉଥିବାରୁ ଆାଜି ଏମିତି ଅସନ୍ତୋଷ ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ପଦକ୍ଷେପ ନେଲେ ବି ବ୍ୟାଙ୍କଗୁଡ଼ିକ ସହଯୋଗ ନ କଲେ କିଛି ସୁଫଳ ମିଳିବ ନାହିଁ ବୋଲି ମନ୍ତ୍ରୀ ଜଣାଇ ଦେଇଛନ୍ତି।
ଆଜି ଜନତା ମଇଦାନରେ ‘କୃଷି ଓଡ଼ିଶା-୨୦୨୦’ ଅବସରରେ ବ୍ୟାଙ୍କର୍ସ ମିଟ୍ର ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ବ୍ୟାଙ୍କ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। କୃଷି ଋଣ ପ୍ରଦାନରେ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରି ମନ୍ତ୍ରୀ କହିଥିଲେ, ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକ ଚାଷୀମାନଙ୍କୁ କୃଷି ଋଣ ଯୋଗାଇ ଦେବାକୁ ଆଗଭର ହେବା କଥା। ଓଡ଼ିଶାର ୮୦ ପ୍ରତିଶତରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଚାଷ କାର୍ଯ୍ୟ ନିମନ୍ତେ ଋଣର ଜରୁରୀ ଆବଶ୍ୟକତା ରହିଛି। ସମ୍ପ୍ରତି ଉଚ୍ଚଶିକ୍ଷିତ ଯୁବକ, ଯୁବତୀମାନେ କୃଷି େକ୍ଷତ୍ର ପ୍ରତି ଆଗ୍ରହ ଦେଖାଉଛନ୍ତି। ଚାଷକାର୍ଯ୍ୟରେ ନୂଆ ଜ୍ଞାନକୌଶଳ ଓ ପଦ୍ଧତି ଅନୁସରଣ କରାଯାଉଛି। ଏପରି କ୍ଷେତ୍ରରେ ସହଜ ଓ ସୁବିଧାରେ ଋଣ ଯୋଗାଇ ଦେବା ନିମନ୍ତେ ତତ୍ପରତା ପ୍ରକାଶ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷମାନଙ୍କୁ ଶ୍ରୀ ସାହୁ ଆହ୍ବାନ ଦେଇଥିଲେ।
ମନ୍ତ୍ରୀ ଆହୁରି କହିଥିଲେ, ଓଡ଼ିଶାର ଜାତୀୟକରଣ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକର ୩୦୭୭ଟି ଶାଖା ରହିଥିବା ବେଳେ ଘରୋଇ ବ୍ୟାଙ୍କର ୮୪୯, ଗ୍ରାମ୍ୟ ବ୍ୟାଙ୍କର ୯୮୭ ଓ ସମବାୟ ବ୍ୟାଙ୍କର ୩୪୦ଟି ଶାଖା ରହିଛି। ଏହି ପରିପ୍ରେକ୍ଷୀେର ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ କୃଷି ଋଣ ଯୋଗାଇବା ଦିଗରେ ଆଗଭର ହେଲେ କୃଷି ଋଣ ପ୍ରଦାନ କ୍ଷେତ୍ରରେ ସମସ୍ୟା ଲାଘବ ହୋଇପାରିବ। ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସହିତ ତାଳ ନେଇ ବ୍ୟାଙ୍କଗୁଡ଼ିକ କୃଷି ଋଣ ଯୋଗାଇ ଦେବାକୁ ସେ କହିଥିଲେ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ଆର୍ ରଘୁପ୍ରସାଦ କହିଲେ, ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିଜାତ ଦ୍ରବ୍ୟର ବହୁତ ଚାହିଦା ରହିଥିବାରୁ ଏ ଦିଗରେ ଅଧିକ ପୁଞ୍ଜିନିବେଶ କରାଯିବାର ସୁଯୋଗ ରହିଛି। ବିଭିନ୍ନ ସରକାରୀ ଯୋଜନା ଓ ବିଶେଷ କରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ନିମନ୍ତେ ରାଜ୍ୟ ସରକାର ବିପୁଳ ପରିମାଣ ସବ୍ସିଡି ଅର୍ଥ ପ୍ରଦାନ କରୁଛନ୍ତି। ଏପରି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ଋଣ ପ୍ରଦାନ କଲେ ଚାଷୀମାନେ ସବ୍ସିଡିର ଲାଭ ପାଇପାରନ୍ତେ।
ୟୁକୋ ବ୍ୟାଙ୍କର ଭୁବନେଶ୍ବର ସର୍କଲ୍ର ମହାପ୍ରବନ୍ଧକ ଏସ୍ କୁମାର ଓଡ଼ିଶାର କୃଷକମାନଙ୍କ ଉନ୍ନତି ନିମନ୍ତେ ବ୍ୟାଙ୍କଗୁଡ଼ିକ ନିଶ୍ଚିତ ଭାବେ ଆଗେଇ ଆସିବେ ବୋଲି କହିଥିଲେ। ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ସୋନାଲି ଦାଶ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର, ମତ୍ସ୍ୟ ନିର୍ଦ୍ଦେଶକ ଏନ୍ ତିରୁମାଲା ନାୟକ, ପ୍ରାଣୀ ସମ୍ପଦ ବିକାଶ ନିର୍ଦ୍ଦେଶକ ରତ୍ନାକର ରାଉତଙ୍କ ସମେତ କୃଷି ବିଭାଗର ବରିଷ୍ଠ ପଦାଧିକାରୀ ଓ ରାଜ୍ୟର ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।