ବିଶିଷ୍ଟ କମ୍ୟୁନିଷ୍ଟ ନେତା କ୍ଷିତୀଶ ବିଶ୍ୱାଳଙ୍କ ପରଲୋକ

ଭୁବନେଶ୍ବର : ‘ଲଙ୍ଗଳ ଯାହାର ଜମି ତାର। ମଠ ସମ୍ପତ୍ତି କୋଠ କର।’ ୭୦ ଦଶକରେ ଭାଗଚାଷୀଙ୍କ ହକ୍‌ ପାଇଁ ଉପକୂଳବର୍ତ୍ତୀ ଓଡ଼ିଶାର ଗାଁ ଗାଁରେ ଶୁଭୁଥିଲା ଏହି ଚର୍ଚ୍ଚିତ ନାରା। ଏହି ନାରାକୁ ଲୋକଙ୍କ ପାଖରେ ପହଞ୍ଚାଇ ଭାଗଚାଷ ଆନ୍ଦୋଳନକୁ ଜୋର୍‌ଦାର୍‌ କରିଥିବା ବିଶିଷ୍ଟ କମ୍ୟୁନିଷ୍ଟ ନେତା(ସିପିଆଇଏମ୍‌ଏଲ୍‌) କ୍ଷିତୀଶ ବିଶ୍ବାଳ ଆଉ ନାହାନ୍ତି। ବୁଧବାର ରାତି‌ରେ ୯୨ ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଆଜି ନାଗଭୂଷଣ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନାବାଳକ ବୟସରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସହଯୋଗ କରିବା, ଭାଗଚାଷ ଆନ୍ଦୋଳନର ପୁରୋଧା ସାଜିବା ଓ ମତ୍ସ୍ୟଜୀବୀଙ୍କ ହକ୍‌ ପାଇଁ ଆନ୍ଦୋଳନ କରିବା ଭଳି ସ୍ମୃତିକୁ ମନେପକାଇ ତାଙ୍କୁ ସବୁ ମହଲରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

୧୯୩୦ ମେ’ ୫ରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ ତ୍ରିପୁରୀ ଗାଁରେ ଜନ୍ମ ନେଇଥିଲେ କମ୍ରେଡ୍‌ ବିଶ୍ବାଳ। ବଡ଼ ଭାଇ ରାଜକିଶୋର ବିଶ୍ବାଳ ଥିଲେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର। ତାଙ୍କ ପ୍ରଭାବରେ ଛୋଟ ବୟସରୁ ହିଁ ତତ୍‌କାଳୀନ ଇଂରେଜ ସରକାର, ଜମିଦାର ଓ ସାହୁକାରମାନଙ୍କ ଗରିବ ଶୋଷଣନୀତି ତାଙ୍କୁ ଆନ୍ଦୋଳିତ କରୁଥିଲା। ମାତ୍ର ୧୨ ବର୍ଷ ବୟସରେ ସେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସହଯୋଗ କରିବା ଆରମ୍ଭ କରିଥିଲେ। ସଂଗ୍ରାମୀମାନଙ୍କ ବୈଠକରେ ଚା, ପାଣି ଦେବା ଥିଲା କ୍ଷିତୀଶଙ୍କ ଦାୟିତ୍ବ। ବାମପନ୍ଥୀ ନେତା ଶ୍ରୀମନ୍ତ ମହାନ୍ତିଙ୍କ କହିବା ଅନୁସାରେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିବା ବେଳେ ଗାଁରେ ହଇଜା ବ୍ୟାପିଥିଲା। ସେତେବେଳେ ହଇଜା ରୋଗକୁ ବାଡ଼ି ଠାକୁରାଣୀଙ୍କ ପ୍ରକୋପ ବୋଲି ଲୋକେ ବିଶ୍ବାସ କରୁଥିଲେ ଓ ପୀଡ଼ିତଙ୍କୁ ଡାକ୍ତରଖାନା ନେବା କଥା ଚିନ୍ତା କରୁନଥିଲେ। ମାତ୍ର କ୍ଷିତୀଶ ପୀଡ଼ିତମାନଙ୍କୁ ଡାକ୍ତରଖାନା ନେବାକୁ ଜିଦ୍‌ କରିବାରୁ ଗ୍ରାମବାସୀମାନେ ତାଙ୍କୁ ଗୋଟିଏ ଘରେ ତାଲା ପକାଇ ବନ୍ଦ କରିଦେଇଥିଲେ। ପରିତାପର କଥା ଘର ଖୋଲାଗଲା ବେଳକୁ ତାଙ୍କ ବାପା, ଭାଇଙ୍କ ସମେତ ତାଙ୍କ ଯୌଥ ପରିବାରର ୧୮ ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ତେଣୁ ସେହି ବୟସରୁ ପରିବାରର ଦାୟିତ୍ବ ତାଙ୍କ ଉପରେ ପଡ଼ିଥିଲା। ତେବେ ସେ ବିଲରେ କାମ କରିବା ସହ ପାଠପଢ଼ା ଜାରି ରଖିଥିଲେ। ପ୍ରଥମେ ଶିକ୍ଷକତା ଓ ପରେ ଗ୍ରାମସେବକ ଭାବରେ ଚାକିରି କରିଥିଲେ। କିନ୍ତୁ ଚାକିରି ମୋହ ତାଙ୍କୁ ବେଶି ଦିନ ବାନ୍ଧି ରଖିପାରିନଥିଲା। କମ୍ୟୁନିଷ୍ଟ ପ୍ରଭାବରେ ଆସି ସେ ଚାକିରି ଛାଡ଼ି ଗାଁ ଗାଁ ବୁଲି ଭାଗଚାଷୀଙ୍କୁ ସଙ୍ଗଠିତ କରିବାକୁ ଲାଗିଲେ। କୃଷକ ସଭା, କ୍ଷେତମଜଦୁର ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ନାଗଭୂଷଣ ପଟନାୟକଙ୍କ ସହିତ ମିଶି ସିପିଆଇ(ଏମ୍‌ଏଲ୍‌)ଲିବରେସନ୍‌ ପ୍ରତିଷ୍ଠା କରିଥିଲେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ବେଳେ ସେ ଅଣ୍ଡରଗ୍ରାଉଣ୍ଡରେ ରହି ବିରୋଧ କରିଥିଲେ। ୯୦ ଦଶକରେ ଚିଲିକା ଘେରି ଉପରେ ମାଫିଆମାନଙ୍କ ନଜର ପଡ଼ିଥିଲା। ମତ୍ସ୍ୟଜୀବୀମାନଙ୍କ ରୋଜଗାର ଉପରେ କୁଠାରଘାତ ହେବାରୁ ସେ ମତ୍ସ୍ୟଜୀବୀ ଆନ୍ଦୋଳନର ପ୍ରମୁଖ ପରାମର୍ଶଦାତା ସାଜିଥିଲେ।

ସେ ଜୀବନ ସାରା କୁସଂସ୍କାର, ଅନ୍ଧବିଶ୍ବାସ ଓ ଧର୍ମାନ୍ଧତାର ବିରୋଧୀ ଥିଲେ। ଶିକ୍ଷାର ବିକାଶ ପାଇଁ ସେ ନିଜ ଗାଁରେ ସ୍କୁଲ ପ୍ରତିଷ୍ଠା କରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିଥିଲେ। ଏବେ ସେ ତାଙ୍କ ସ୍ତ୍ରୀ, ଶିକ୍ଷୟିତ୍ରୀ ଝିଅ ନମିତା, ଡାକ୍ତର ପୁଅ ଦିଲ୍ଲୀପ ଓ ଆଇନଜୀବୀ ପୁଅ ତପନଙ୍କୁ ଛାଡ଼ି ଯାଇଛନ୍ତି। ନାଗଭୂଷଣ ଭବନରେ ତାଙ୍କ ମରଶରୀର ପହଞ୍ଚିବା ପରେ ବାମପନ୍ଥୀ ନେତା ଜନାର୍ଦନ ପତି, ଆଶିଷ କାନୁନଗୋ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ଶ୍ରୀକାନ୍ତ ମହାନ୍ତି, ସନ୍ତୋଷ ରଥ, ନିରଞ୍ଜନ ମହାନ୍ତି, ଯୁଧିଷ୍ଠିର ମହାପାତ୍ର, ସମର ବଳ, ମୁରଲୀ ବେହେରା, ଜାନକୀ ରାଓ, ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାଏ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସାମାଜିକ କର୍ମୀ ନରେନ୍ଦ୍ର ମହାନ୍ତି, ବିଘ୍ନେଶ୍ବର ସାହୁ, ସୁଦର୍ଶନ ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସମ୍ବନ୍ଧିତ ଖବର