କୁଆଖାଇ ପାଣି ବି ଜହର

ଭୁବନେଶ୍ୱର : ପୂର୍ବରୁ ରାଜ୍ୟ ସରକାର ଜଣାଇଥିଲେ ଯେ ଦୟା ନଦୀର ପାଣି ଜହର ପାଲ଼ଟିଯାଇଛି। ଏହାର ଶାଖା ନଦୀ ଭାର୍ଗବୀ, ଲୁଣା ଓ ରତ୍ନଚିରାକୁ ବି ଏହା ପ୍ରଭାବିତ କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଆଜି ଅପରାହ୍ନରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ସ୍ଥିତିର ସମୀକ୍ଷା କରାଯାଇଛି। କେବଳ ସେତିକି ନୁହେଁ, ଦୟା ଓ ତାର ଶାଖା ନଦୀ ଗୁଡ଼ିକର ପାଣିର ମାନ ପରୀକ୍ଷା କରିବା ପାଇଁ ଆଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟେକ୍ନିକାଲ ଟିମ୍‌ ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଟିମ୍‌ ପାଣିର ନମୁନା ପରୀକ୍ଷା କରିବ ଓ କେମିତି ନିର୍ମଳ ହେବ ସେ ନେଇ ୧୫ ଦିନ ଭିତରେ ରିପୋର୍ଟ ଦେବ।

ସେପଟେ କିନ୍ତୁ ଆଜି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସ୍ୱୀକାର କରିଛନ୍ତି ଯେ ଦୟା ଭଳି ରାଜଧାନୀ ପିଠି ଉପରେ ପ୍ରବାହିତ କୁଆଖାଇ ନଦୀ ବି ବିପଦମୁକ୍ତ ନୁହେଁ। ଏହି ନଦୀରେ ପ୍ରଦୂଷଣର ମାତ୍ରା ନିର୍ଧାରିତ ମାନଠାରୁ ଢେର୍‌ ଉପରେ ରହିଛି। ଅର୍ଥାତ୍‌ କୁଆଖାଇ ଜଳ ବିଷାକ୍ତ ପାଲଟିଗଲାଣି। ଦୁଇ କଡ଼ରେ ଯାଇଥିବା ଏହି ଦୁଇଟି ନଦୀ ଉପରେ ରାଜଧାନୀବାସୀ ଓ ଆଖପାଖର ଲୋକେ ଅତ୍ୟନ୍ତ ନିର୍ଭରଶୀଳ ଥିବା ବେଳେ ସରକାରଙ୍କ ଏହି ତଥ୍ୟ ଏବେ ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଭିଭିଆଇପିଙ୍କ ଠାରୁ ଆରମ୍ଭ କରି ସାଧାରଣ ଖଟିଖିଆ, ଦିନମଜୁରିଆ ପର୍ଯ୍ୟନ୍ତ ପ୍ରତି ବର୍ଗର ଲୋକ ରାଜଧାନୀରେ ବାସ କରୁଛନ୍ତି। ହେଲେ ଉଭୟ ନଦୀର ଏଭଳି ସ୍ଥିତି ବଡ଼ ବଡ଼ିଆକୁ କେତେ ପ୍ରଭାବିତ କରୁଛି, ତାହାର ତ ଅନୁଶୀଳନ ହେବା ଦରକାର, କିନ୍ତୁ ଏହାକୁ ଅଣଦେଖା କରାଗଲେ ନିମ୍ନ ମଧ୍ୟବିତ୍ତ ପରିବାର ବିପଦରେ ଫସିପାରନ୍ତି।

ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ବିଧାନସଭାକୁ ଜଣାଇଛନ୍ତି ଯେ କୁଆଖାଇ, ଦୟା ଓ ଗଙ୍ଗୁଆ ନାଳକୁ ପ୍ରଦୂଷଣମୁକ୍ତ କରିବା ନିମନ୍ତେ ଭୁବନେଶ୍ୱର ପୌରାଞ୍ଚଳ ଅଧିକାରୀ, ଜିଲ୍ଲା କର୍ତ୍ତୃପକ୍ଷ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟ ଜଳସଂପଦ ବିଭାଗ ମଧ୍ୟ ପ୍ରଦୂଷଣ ମୁକ୍ତ କରିବା ଲାଗି ମଞ୍ଚେଶ୍ୱର ନିକଟସ୍ଥ ରାଜଧାନୀ ଇଞ୍ଜିନିୟରିଂ କଲେଜ ନିକଟରେ ଥିବା ବୁଡ ନଦୀର ଜଳକୁ କୁଆଖାଇ ନଦୀଠାରେ ସମ୍ପୂର୍ଣ୍ଣ ଭାବେ ଅପସାରିତ କରି ଗଙ୍ଗୁଆ ନାଳ ସହିତ ସଂଯୋଗ କରିଛନ୍ତି।

ହେଲେ ଏହା ପରେ ଉଭୟ ନଦୀରେ ପ୍ରବାହିତ ଜଳ ଯେ ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ, ଏକଥା ମନ୍ତ୍ରୀ କେଉଁଠାରେ କହିନାହାନ୍ତି। ସବୁଠାରୁ ବଡ଼ କଥା ହେଲା, ଉଭୟ ନଦୀର ପାଣିର ସ୍ଥିତି ସଂପର୍କରେ ସରକାର ଢେର୍‌ ଆଗରୁ ଜାଣିଥିଲେ ହେଁ, ଏହାକୁ ବ୍ୟବହାର ଅନୁପଯୋଗୀ ବୋଲି ଘୋଷଣା କରିନାହାନ୍ତି କିମ୍ବା ଲୋକଙ୍କୁ ବାରଣ କରିବା ଲାଗି ସାଇନ୍‌ ବୋର୍ଡ ବା ଜନସଚେତନତା ସୃଷ୍ଟି ଲାଗି ଆଗ୍ରହ ଦେଖାଇନାହାନ୍ତି। ମନେ ମନେ ଧରି ନେଇଛନ୍ତି ଯେମିତି ଲୋକେ ସବୁ ଜାଣିଛନ୍ତି। କାହାକୁ କିଛି କହିବାର ଆବଶ୍ୟକତା ନାହିଁ। ଜଳ ପ୍ରଦୂଷଣ ସଂପର୍କିତ ବିଧାୟକ ଦିଲୀପ ରାୟଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ମନ୍ତ୍ରୀ ଏକଥା କହିଛନ୍ତି ଯେ ଏସିଆର ବୃହତ୍ତମ ପ୍ରାକୃତିକ ଲବଣାକ୍ତ ହ୍ରଦ ଚିଲିକାରେ ୫୨ଟି ନଦୀ ମିଶିଛି। ଏ ମଧ୍ୟରେ ପାଞ୍ଚଟି ପ୍ରମୁଖ ନଦୀ ରହିଛି ଯଥା ଦୟା, କୁସୁମୀ, କଂସାରୀ, ବଡ଼ଶଙ୍ଖ ଓ ସାବୁଳିଆ। ଏହାର ମାନ ନିୟମିତ ପରୀକ୍ଷା କରାଯାଉଛି। ଲୁଣା, ଭାର୍ଗବୀ ଓ ରତ୍ନଚିରାର ବି। ହେଲେ ୨୦୧୭ ମସିହା ପରୀକ୍ଷଣରୁ ସୂଚନା ମିଳିଛି ଯେ ଚିଲିକାରେ ମିଶିଥିବା ଏସବୁ ନଦୀରେ ବାୟୋ କେମିକାଲ୍‌ ଅକ୍ସିଜେନ୍‌ ଡିମାଣ୍ଡ ମାତ୍ରା ଅଧିକାଂଶ ସମୟରେ ନିର୍ଧାରିତ ମାନ ମଧ୍ୟରେ ରହୁଛି। ହେଲେ ଟୋଟାଲ କଲିଫର୍ମର ମାତ୍ରା ନିର୍ଧାରିତ ମାନଠାରୁ ଉର୍ଧ୍ୱରେ।

ଦୟାନଦୀରେ ଗଙ୍ଗୁଆ ନାଳ ମିଶ୍ରଣ ପରେ ଦୁଇଟି ସ୍ଥାନ ଯଥା କଣ୍ଟି ଓ ମାଣିତ୍ରୀଠାରେ ଡିଜଲଭ୍‌ଡ ଅକ୍ସିଜେନ୍‌, ବାୟୋକେମିକାଲ୍‌ ଅକ୍ସିଜେନ୍‌ ଡିମାଣ୍ଡ ଓ ଟୋଟାଲ କଲିଫର୍ମର ମାତ୍ର ଅଧିକାଂଶ ସମୟରେ ନିର୍ଧାରିତ ମାନ ମଧ୍ୟରେ ରହୁନାହିଁ। ସରକାର ଅନୁମାନ କରୁଛନ୍ତି ଯେ ଗଙ୍ଗୁଆ ନାଳ ଓ ଦୟାନଦୀ ପ୍ରଦୂଷଣ ମୁଖ୍ୟତଃ ଭୁବନେଶ୍ୱର ସହରାଞ୍ଚଳରୁ ନିର୍ଗତ ନିର୍ଦମାଜଳ ଦ୍ୱାରା ହେଉଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗତ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଯେଉଁ ଅନୁଧ୍ୟାନ କରିଛନ୍ତି, ସେଥିରୁ ବୁଝାପଡୁଛି ଯେ ଦୟା ନଦୀ କଣାସ ଠାରେ, ଭାର୍ଗବୀ ନଦୀ ଚନ୍ଦନପୁର ଠାରେ, ଲୁଣା ନଦୀ ବିଜିପୁର ଠାରେ, ରତ୍ନଚିରା ନଦୀ ସାକ୍ଷୀଗୋପାଳଠାରେ, କୁସୁମୀ ନଦୀ ଟାଙ୍ଗୀ ଠାରେ, କଂସାରୀ ନଦୀ ବାଣପୁର ରୋଡ ଠାରେ, ବଡ଼ଶଙ୍ଖ ଲଙ୍ଗଳେଶ୍ୱରଠାରେ ଓ ସାବୁଳିଆ ନଦୀ ରମ୍ଭା ଠାରେ ବ୍ୟବହାର ଯୋଗ୍ୟ ନୁହେଁ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସଚିବାଳୟରେ ଅନୁଷ୍ଠିତ ଏକ ବୈଠକରେ ଦୟା ଓ ଏହାର ଶାଖା ନଦୀର ପାଣି ଘାତକ ହୋଇପାରେ ବୋଲି ସ୍ଥାନୀୟ ଲୋକପ୍ରତିନିଧିମାନେ ଆଶଙ୍କା ବ୍ୟକ୍ତ କରିଥିଲେ। କୁହାଯାଇଥିଲା ଯେ ଦୟା ନଦୀର ଜଳ ବିଷାକ୍ତ ପାଲଟି ଗଲାଣି। ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି, ମାଛ ବି ମରିଯାଉଛନ୍ତି। ଏହି ପାଣି ମାଡୁଥିବା ଅଞ୍ଚଳରେ ଚାଷ ବି ପ୍ରଭାବିତ ହେଉଛି। ଆଜି ଏ ନେଇ ସଚିବାଳୟରେ ଆଉଥରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା, ଯେଉଁଥିରେ ଦୟାକୁ ନେଇ ତନାଘନା ହୋଇଛି। ଦୟାର ପାଣି ପରିଷ୍କାର କରିବା ଉପରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଜଳସଂପଦ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଥିଲେ, ଦୟାପାଣି ଦୂଷିତ ହେଉଥିବାରୁ ନଦୀର ତଳମୁଣ୍ଡରେ ଥିବା ଗାଁ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପୋଖରୀ ଖୋଳାଯାଇ ଲୋକଙ୍କୁ ପାଣି ଯୋଗାଇବାର ବ୍ୟବସ୍ଥା କରାଯିବ। ଦୟା ନଦୀର ଦୂଷିତ ପାଣି ପରିବର୍ତ୍ତନ ପାଇଁ ବ୍ୟବସ୍ଥା କରାଯିବ। ଆଗାମୀ ଦିନରେ ନଦୀ ଭିତକୁ ଅପରିଷ୍କାର ପାଣି ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି।

ଯଦିଓ କେବେ ପ୍ରକଳ୍ପ ସରିବ, ସେ ନେଇ କେହି କେବେ ଆକଳନ କରିନାହାନ୍ତି, ତଥାପି ଆଜି ମନ୍ତ୍ରୀ ପୁଣି ଦୋହରାଇଛନ୍ତି, ଭୁବନେଶ୍ୱରରେ ସ୍ୱେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ୬ଟି ସ୍ଥାନରେ କରାଯିବ ଓ ଏସବୁ ପ୍ରକଳ୍ପ ହେଲେ ଦୟା ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ହୋଇପାରିବ।

ସମ୍ବନ୍ଧିତ ଖବର