ରସୁଲପୁର: ଦିନକୁ ଦିନ ଓଡିଶାର ପ୍ରାଚୀନ ଲୋକକଳା ବିଲୁପ୍ତ ହୋଇଯାଉଛି। ଉପଯୁକ୍ତ ମଞ୍ଚ ଅଭାବରୁ ଏହା ଦର୍ଶକୀୟ ସମର୍ଥନ ପାଇପାରୁନାହିଁ। ତେଣୁ ବିଭିନ୍ନ ମହୋତ୍ସବ ମଞ୍ଚ ହିଁ ଏହି ଲୋକକଳାକୁ ବଞ୍ଚାଇ ରଖିବାର ପ୍ରମୁଖ ମାଧ୍ୟମ ହୋଇପାରିଛି। ଆଜି ସନ୍ଧ୍ୟାରେ ପଞ୍ଚଦଶତମ କୁଆଖିଆ ମହୋତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟ ଅତିଥି କୋରେଇ ବିଧାୟକ ଅଶୋକ କୁମାର ବଳ ଏହା କହିଛନ୍ତି।

Advertisment

ସାରଙ୍ଗପୁର ମେଳଣ ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ରସୁଲପୁର ବିଡିଓ ଅବନୀକାନ୍ତ ସାହୁ। ସଂପାଦକ ଅରୁଣ କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ସାମ୍ବାଦିକ କାଳନ୍ଦୀ କଣ୍ଠ ଅତିଥି ପରିଚୟ ଦେଇଥିଲେ। ମୁଖ୍ୟବକ୍ତା ଭାବେ ରସୁଲପୁର ତହସିଲଦାର ନିରଞ୍ଜନ ସାହୁ ଯୋଗଦେଇ  ଆଞ୍ଚଳିକ ସ୍ତରର ମହୋତ୍ସବ ହିଁ ରାଜ୍ୟସ୍ତରୀୟ ମହୋତ୍ସବ ପାଇଁ ବାଟ ଫିଟାଇଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ କୁଆଖିଆ ଥାନା ଅଧିକାରୀ ଶିବ ଚରଣ ବେହେରା, ଲକ୍ଷ୍ମୀନାରାୟଣ ପୂଜା କମିଟି ସଂପାଦକ ନାରାୟଣ ମହାପାତ୍ର ଯୋଗଦେଇଥିଲେ।

ମହୋତ୍ସବ ପଡ଼ିଆରେ ଚଳିତ ବର୍ଷ ମିସନ ଶକ୍ତି, ଓରମାସ ସହାୟତାରେ ପଲ୍ଲିଶ୍ରୀ ମେଳା ଲାଗିବା ସହିତ ମୀନା ବଜାର, ଦୋଳି, ଫାଷ୍ଟଫୁଡ୍ ଷ୍ଟଲ୍, ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଷ୍ଟଲ୍ ପଡ଼ିଛି।  ମଞ୍ଚରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ- ଡାଲଖାଇ, ସମ୍ବଲପୁରୀ, ଦୁଲୁଦୁଲି, ଘୁମୁରା, ଧୁମୁସା, ସାନ୍ତାଳୀ ନୃତ୍ୟ, ଗୋଟିପୁଅ ନୃତ୍ୟ ଭଳି ରାଜ୍ୟର ବିଭିନ୍ନ ସ୍ଥାନର ଲୋକକଳା ପ୍ରଦର୍ଶିତ ହେବ।

publive-image

କମିଟି ସଭାପତି ଅରୁଣ କୁମାର ସାହୁ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ। ଉପସଭାପତି ଦିଲୀପ ସାମଲ, ଉପେନ୍ଦ୍ର ସାହୁ ଓ ପଙ୍କଜ ସାହାଣୀ, ସନ୍ତୋଷ ରାଉତ, ଉମେଶ ପଲେଇ, ଗଦାଧର ଦାସ, ଚନ୍ଦ୍ରମଣି ସାହୁଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସାଂସ୍କୃତିକ ସଂପାଦକ ମହେଶ୍ବର ସାହୁ ଧନ୍ୟବାଦ ଦେଇଥିଲେ। ବାହାଦଲାପୁର ସରପଞ୍ଚ ମହେନ୍ଦ୍ର ଦାସ, ମୁଗୁପାଳର ଦୁଷ୍ମନ୍ତ ମଲିକ, ରସୁଲପୁର ସରପଞ୍ଚ ସୁରେନ୍ଦ୍ର ତିଆଡ଼ି, ନରସିଂହପୁର ସରପଞ୍ଚ ପ୍ରଶାନ୍ତ ଦାସଙ୍କ ସମେତ ସ୍ଥାନୀୟ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।