ରାଷ୍ଟ୍ରୀୟ ଗୋକୁଳ ମିସନରେ କୁଆରମୁଣ୍ଡା ଡାଏରୀ ଫାର୍ମ : ଦେଶୀ ଷଣ୍ଢ ଉତ୍ପାଦନ ଆରମ୍ଭ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ଡାଏରୀ ଫାର୍ମକୁ ରାଷ୍ଟ୍ରୀୟ ଗୋକୁଳ ମିସନରେ ସାମିଲ କରାଯାଇଛି। ଏଥିରେ ଦେଶୀ ତଥା ଭାରତୀୟ ଗାଈର ଜେନେଟିକ୍‌ ମାନ୍ୟତାର ଗବେଷଣା କରାଯିବ। ରାଜ୍ୟର ୮ଟି ଡାଏରୀ ଫାର୍ମ ମଧ୍ୟରୁ କେବଳ କୁଆରମୁଣ୍ଡା କେନ୍ଦ୍ରକୁ କେନ୍ଦ୍ର ସରକାର ଏହି ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବେ। ତେବେ ରାଜ୍ୟ ସରକାର ମଧ୍ୟ ଏଠାରେ ଦେଶୀ ଗାଈର ଉନ୍ନତି ଏବଂ ଷଣ୍ଢ ଉତ୍ପାଦନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି। ସାହିୱାଲ ଜାତିର ଦେଶୀ ଷଣ୍ଢରୁ ଶୁକ୍ରାଣୁ ସଂଗ୍ରହ କରି ଖପୁରିଆସ୍ଥିତ ହିମିକୃତ ଶୁକ୍ରାଣୁ ବ୍ୟାଙ୍କ୍‌ରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଦୁଇଟି ଷଣ୍ଢ ଆସନ୍ତା ସପ୍ତାହରେ କଟକ ଯିବେ ବୋଲି ଜଣାପଡ଼ିଛି।

୧୯୬୭ ମସିହାରେ ପ୍ରାୟ ୪୩୨ ଏକର ଜମିକୁ ନେଇ କୁଆରମୁଣ୍ଡା ଡାଏରୀ ଫାର୍ମ ଆରମ୍ଭ ହୋଇଥିଲା। ଏହି ଫାର୍ମରେ ଏବେ ୨୦୩ରୁ ଉର୍ଧ୍ବ ଗାଈ ଓ ମଇଁଷି ଏବଂ ୭୦ରୁ ଉର୍ଦ୍ଧ୍ବ ଛେଳି ଅଛନ୍ତି। ଡାଏରୀ ଫାର୍ମରେ ଦୁଗ୍ଧ ଉତ୍ପାଦନ ସହ ଉତ୍ତମମାନର ଷଣ୍ଢ ଓ ବୋଦା ଉତ୍ପାଦନ ହେଉଛି, ଯାହାକି ରାଜ୍ୟରେ ଅନନ୍ୟ ବୋଲି ଜଣାପଡ଼ିଛି। ଡାଏରୀ ଫାର୍ମରେ ଏବେ ଭାରତର ପ୍ରସିଦ୍ଧ ସାହିୱାଲ (ପଞ୍ଜାବ ଓ ହରିଆନା) ଜାତିର ୫୮ଟି ଦେଶୀ ଗାଈ ଅଛନ୍ତି।

ସମ୍ବନ୍ଧିତ ଖବର