ଜୟପୁର/ମାଲକାନଗିରି: ଆୟଠୁ ଅଧିକ ୪୧୪ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ। ପୁଳାପୁଳା ଟଙ୍କା ସାଙ୍ଗକୁ ସୁନା, ଅଳଙ୍କାର, ପ୍ଲଟ୍, କାର, ଆଲିସାନ ବଙ୍ଗଳାକୁ ଦେଖି ଖୋସି ହୋଇଯାଇଛି ଭିଜିଲାନ୍ସ ଅଧିକାରୀଙ୍କ ଆଖି। କେଉଁଠୁ ଏବଂ କେଉଁ ଉପାୟରେ ଏତେ ପରିମାଣର ସମ୍ପତ୍ତି ଠୁଳ କରିଛନ୍ତି ସେ ନେଇ ତଦନ୍ତ ସମୟରେ ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର। ଜବତ ସମ୍ପତ୍ତିର ପରିମାଣ ୫କୋଟିରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ପରିମାଣ ଆହୁରି ବଢ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଭିଜିଲାନସ୍ ଟିମ୍ ଗୁରୁବାର ଶାନ୍ତନୁଙ୍କୁ ଭୁବନେଶ୍ବର କପିଳପ୍ରସାଦ ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ନେଇ ସେଠାରେ ଲକର୍ ଖୋଲିଥିଲା। ଲକରରୁ ନଗଦ ୨ ଲକ୍ଷ ଟଙ୍କା ସହ ଜମି କିଣାବିକା ଦଲିଲ୍ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଏହା ପରେ ଭୁବନେଶ୍ବରରୁ ବାହାରି ଶୁକ୍ରବାର ଭୋରରେ ଭିଜିଲାନ୍ସ ଟିମ୍ ମାଲକାନଗିରିରେ ପହଞ୍ଚିଥିଲା। ଏମ୍ଭି-୨ ଅଗ୍ନିଶମ ବିଭାଗ ସମ୍ମୁଖରେ ଥିବା ଶାନ୍ତନୁଙ୍କ ଭଡ଼ା ଘର ଖାନତଲାସ କରିଥିଲା ଭିଜିଲାନ୍ସ।
ଭଡ଼ା ଘରେ କେବଳ ଫ୍ରିଜ୍, ଆକ୍ବାଗାର୍ଡକୁ ଛାଡ଼ିଲେ ଅନ୍ୟ କୌଣସି ମୂଲ୍ୟବାନ ସମ୍ପତ୍ତି ଭିଜିଲାନ୍ସକୁ ମିଳିନଥିଲା। ପୂର୍ବାହ୍ନରେ ଶାନ୍ତନୁଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ପୂର୍ବରୁ ଅଟକ ଥିବା ବିଭାଗୀୟ ଡାଟା ଏଣ୍ଟ୍ରି ଅପରେଟର୍ ବିଶ୍ବଜିତ ମଣ୍ଡଳ, ଠିକା କର୍ମଚାରୀ ଅମୀୟ ସାହୁ, ମାଲକାନଗିରି କୃଷି ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳଙ୍କ ସହ ମୁହାଁମୁହିଁ କରିଥିଲା ଭିଜିଲାନସ୍। ସମସ୍ତଙ୍କୁ ଏକାଠି ବସାଇ ପଚରାଉଚରା କରିଥିଲା। ସେପଟେ ଗଞ୍ଜାମଜିଲ୍ଲା ଜଗନ୍ନାଥପ୍ରସାଦରେ ଜନସେବା କେନ୍ଦ୍ର କରି ଶାନ୍ତନୁଙ୍କ ପାଇଁ ପିସି ସଂଗ୍ରହ କରୁଥିବା ଅଲେଖଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଭିଜିଲାନ୍ସ ଉଠାଇ ଆଣି ମୁହାଁମୁହିଁ ଜେରା କରିଥିଲା। ତେବେ ଜେରା ସମୟରେ କେହି ବି ସନ୍ତୋଷଜନକ ଉତ୍ତର ଦେଇଥିଲେ। ସରକାରୀ ପାଣ୍ଠିର ଦୁରୁପଯୋଗ ଏବଂ ଅର୍ଥ ଆତ୍ମସାତ ମାମଲାରେ ଭିଜିଲାନ୍ସ ଶାନ୍ତନୁଙ୍କ ସମେତ ଦୁର୍ନୀତିରେ ସମ୍ପୃକ୍ତ ୪ ସହଯୋଗୀଙ୍କୁ ଗିରଫ କରିଥିଲା।
ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଭିଜିଲାନ୍ସ ଟିମ୍ ଏହି ତଦନ୍ତରେ ଏଯାବତ୍ ମୋଟ ନଗଦ ୨ କୋଟି ୮ ଲକ୍ଷ ୯୨ ହଜାର ୮୫୦ ଟଙ୍କା ଜବତ କରିଛି। ଜବତ ଟଙ୍କା ମଧ୍ୟରୁ ଶାନ୍ତନୁଙ୍କ ଘରୁ ୨ କୋଟି, ଡାଟା ଏଣ୍ଟ୍ରି ଅପରେଟରଙ୍କ ଘରୁ ୬ ଲକ୍ଷ ୯୨ ହଜାର ୧୧୦ ଟଙ୍କା, କୃଷି ଇଞ୍ଜିନିୟରଙ୍କ ଘରୁ ୧ ଲକ୍ଷ ୧୯ ହଜାର ୧୪୦ ଟଙ୍କା, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଘରୁ ୮୧ ହଜାର ୬୦୦ ଟଙ୍କା ଜବତ ହୋଇଛି। ଏଥିସହିତ ଶାନ୍ତନୁଙ୍କ ଜୟପୁର ପାୱାର ହାଉସ୍ସ୍ଥିତ ୩ ମହଲା ଆଲିସାନ କୋଠା, ଭୁବନେଶ୍ବର, ଜୟପୁରରେ ଥିବା ୪ଟି ପ୍ଲଟ୍, ୪୨୨.୪୪ ଗ୍ରାମ ସୁନା, ୯୧ ଲକ୍ଷ ୧୦ ହଜାର ୩୦୬ ଟଙ୍କାର ବ୍ୟାଙ୍କ ଓ ଇନ୍ସ୍ୟୁରାନ୍ସ ଜମା, ଗୋଟିଏ କାର, ଦୁଇଟି ବାଇକ୍, ୨୯.୦୮ ଲକ୍ଷର ଆସବାବପତ୍ର ଠାବ କରିଛି।