ଭୁବନେଶ୍ବର/ଭଦ୍ରକ/ କାମାକ୍ଷାନଗର: ରାଜଧାନୀଠୁ ଆରମ୍ଭ କରି ଭଦ୍ରକ, ସବୁଠି ରହିବା ପାଇଁ ଆଲିସାନ୍‌ ଘର। ଖାଲି ଘର ନୁହେଁ; ଭଦ୍ରକ, ପୁରୀ ଓ ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ମାଳମାଳ ପ୍ଲଟ୍‌। ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ବିପୁଳ ଟଙ୍କା, ଆଲମିରାରେ ପୁଳାପୁଳା ସୁନାଗହଣା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଚଢ଼ଉ ବେଳେ ଏଭଳି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନଙ୍କର ଆଖି ଟେରା ହୋଇଯାଇଛି। ଭିଜିଲାନ୍ସ ଟିମ୍‌ ଭଦ୍ରକସ୍ଥିତ ତାଙ୍କ ପୈତୃକ ଘର; ଭୁବନେଶ୍ବର, ମୟୂରଭଞ୍ଜ ଓ କାମାକ୍ଷାନଗର ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଆବାସ ଆଦି ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉକରି ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। 

Advertisment

ଚଢ଼ଉ ବେଳେ ଭୁବନେଶ୍ବର ଓ ଭଦ୍ରକର ପ୍ରମୁଖ ସ୍ଥାନରେ ୩ଟି ବିଳାସପୂର୍ଣ୍ଣ କୋଠା ଠାବ କରାଯାଇଛି। ତା’ ଭିତରେ ରହିଛି ଭୁବନେଶ୍ବର ଝାରପଡ଼ାରେ ନିର୍ମାଣାଧୀନ ୩ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ କୋଠା। ୪,୮୦୦ ବର୍ଗଫୁଟ୍‌ରେ ନିର୍ମିତ ଏହି କୋଠାର ମୂଲ୍ୟ ପାଖାପାଖି ସାଢ଼େ ୫ କୋଟି ଟଙ୍କା ହେବ। ଏହା ସହିତ ରହିଛି ଭଦ୍ରକର କୁଆଁସରେ ପାଖାପାଖି ୭,୦୦୦ ବର୍ଗଫୁଟ୍‌ରେ ୩ମହଲା କୋଠା, ଯାହାର ମୂଲ୍ୟ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ। ସେମିତି ଗେଲ୍‌ପୁରରେ ଥିବା ତାଙ୍କର ୬,୨୦୦ ବର୍ଗଫୁଟ୍‌ରେ ନିର୍ମାଣାଧୀନ ଦୁଇମହଲା କୋଠାର ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ବ। ସେହିପରି ବାବୁଙ୍କର ଭୁବନେଶ୍ବର, ପୁରୀ ଓ ଭଦ୍ରକର ପ୍ରମୁଖ ‌ଅଞ୍ଚଳରେ ୧୪ଟି ପ୍ଲଟ୍‌ ରହିଛି। ଭୁବନେଶ୍ବର ଅଞ୍ଚଳରେ ୭ଟି ପ୍ଲଟ୍‌ ଥିବାବେଳେ ଭଦ୍ରକରେ ୬ଟି ଓ ପୁରୀର ପିପିଲିରେ ଗୋଟିଏ ପ୍ଲଟ୍‌ ରହିଛି। ଏହି ୧୪ଟି ପ୍ଲଟର ସରକାରୀ ମୂଲ୍ୟ ୧.୪କୋଟି ଟଙ୍କା ହେଉଥିବା ବେଳେ ବାସ୍ତବରେ ଏହାର ମୂଲ୍ୟ ୫କୋଟି ଟଙ୍କା ବା ତା’ଠାରୁ ବି ଅଧିକ ହେବ।

ଚଢ଼ଉରେ ଶ୍ରୀ ନାୟକଙ୍କ ଘରୁ ନଗଦ ୧.୫ଲକ୍ଷ ଟଙ୍କା, ୩୬୬ ଗ୍ରାମ ସୁନାଗହଣା ଓ ୧୦ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଏହାଛଡ଼ା ଗୋଟିଏ ବାଇକ୍‌ ଜବତ ହୋଇଛି। ତାଙ୍କର ୩୪,୫୭,୦୫୨ ଟଙ୍କାର ବ୍ୟାଙ୍କ, ବୀମା ଓ ବଣ୍ଡ୍‌ ଜମା ଠାବ କରାଯାଇଛି। ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ସମ୍ପତ୍ତି ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ୭ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ଏକକାଳୀନ ୧୦ଟି ସ୍ଥାନରେ ଏହି ଚଢ଼ଉ କରିଥିଲେ। ୨୦୨୩ ମସିହାରୁ ଉପଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ନାୟକ ୧୯୯୭ ମସିହାରେ ନିଯୁକ୍ତି ପାଇବା ପରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ସହକାରୀ ବନ୍ଦୋବସ୍ତ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ପରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ୫ବର୍ଷ ଧରି ଭବାନୀପାଟଣାର ଅତିରିକ୍ତ ତହସିଲ୍‌ଦାର ଏବଂ ପରେ ୨୦୧୩ ପର୍ଯ୍ୟନ୍ତ ଖରିଆର, ଦଶରଥପୁର, ବାଲିଅନ୍ତା ବ୍ଲକର ବିଡିଓ ଭାବେ କାର୍ଯ୍ୟ ତୁଲାଇଥିଲେ। ଏହି ସମୟରେ ଶ୍ରୀ ନାୟକ ବିପୁଳ କଳାଟଙ୍କା ଠୁଳ କରିଥିଲେ ବୋଲି କୁହାଯାଉଛି।

ଉପଜିଲ୍ଲାପାଳଙ୍କ ୧୪ ପ୍ଲଟ୍‌, ୩ କୋଠା

ଘର ନୁହେଁ, ରତ୍ନଭଣ୍ଡାର

ଭୁବନେଶ୍ବର/ବ୍ରହ୍ମପୁର: ଘରର ଯେଉଁଠି ହାତ ମାରିଲେ ବାହାରୁଥିଲା ସୁନା ଗହଣା ସାଙ୍ଗକୁ ବିଡା ବିଡ଼ା ଟଙ୍କା। ଘର ନୁହେଁ ତ ସତେ ଯେମିତି ରତ୍ନଭଣ୍ଡାର। ପତ୍ନୀଙ୍କ ସଉକ ପାଇଁ ବାବୁ କିଣୁଥିଲେ ପୁଳା ପୁଳା ଗହଣା। ରହିବା ପାଇଁ ରାଜଧାନୀରେ କରିଥିଲେ ରାଜପ୍ରାସାଦ ଭଳି ଘର। ରାଜଧାନୀ ଛାତି ଉପରେ ପ୍ଲଟ୍‌ ଉପରେ ପ୍ଲଟ୍‌। ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ(ଓପିଏଚ୍‌ଡବ୍ଲ୍ୟୁସି) ବ୍ରହ୍ମପୁର ଡିଭିଜନ୍‌ର ଡିଜିଏମ୍‌(ଯନ୍ତ୍ରୀ) ସୁବାସ ଚନ୍ଦ୍ର ପଣ୍ଡାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍‌ ଆଖି ଟେରା ‌ହୋଇଯାଇଛି। ଭିଜିଲାନ୍ସ ଟିମ୍‌ ମଞ୍ଚେଶ୍ବର ବରିମୁଣ୍ଡସ୍ଥିତ ପୈତୃକ ଘର ସହ ବ୍ରହ୍ମପୁରସ୍ଥିତ ସରକାରୀ କାର୍ଯ୍ୟାଳୟ, ଭଡ଼ାଘର ଓ  ଭୁବନେଶ୍ବର ଆଇଗିଣିଆସ୍ଥିତ ଘର ଆଦି ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଚଢ଼ଉ ବେଳେ ଟଙ୍କା ବଞ୍ଚାଇବାକୁ ଯାଇ ପଡ଼ୋଶୀ ଘରକୁ ବିଡ଼ା ବିଡ଼ା ଟଙ୍କା ବି ଫୋପାଡ଼ିଥିଲେ। ହେଲେ ତାହା ବି ଭିଜିଲାନ୍ସ ଆଖିରୁ ଖସିପାରି ନଥିଲା। ସମସ୍ତ ଟଙ୍କାକୁ ଭିଜିଲାନ୍ସ ଟିମ୍‌ ଜବତ କିରିଥିଲା।

ଚଢ଼ଉ ବେଳେ ଭୁବନେଶ୍ବର ଆଇଗିଣିଆ ନିକଟରେ ୩ମହଲା ବିଶିଷ୍ଠ ଏକ ବିଳାସପୂର୍ଣ୍ଣ କୋଠା ଠାବ କରାଯାଇଛି। ୪୦୦୦ ବର୍ଗଫୁଟ୍‌ରେ ନିର୍ମିତ ଏହି କୋଠାର ମୂଲ୍ୟ ପାଖାପାଖି ୪ କୋଟି ଟଙ୍କା ହେବ। ବାବୁ ବରିମୁଣ୍ଡରେ ମଧ୍ୟ ଏକ ଦୁଇ ମହଲା କୋଠା ନିର୍ମାଣ କରିଛନ୍ତି। ଯାହାର ମୂଲ୍ୟ ୨ କୋଟି ଟଙ୍କାରୁ ଊର୍ଧ୍ବ ହେବ। ସେହିପରି ବାବୁଙ୍କର ଭୁବନେଶ୍ବର ପ୍ରମୁଖ ‌ଅଞ୍ଚଳରେ ୫ଟି ପ୍ଲଟ୍‌ ରହିଛି। ଯାହାର ମୂଲ୍ୟ ୨.୫କୋଟି ଟଙ୍କାରୁ ଊର୍ଧ୍ବ ହେବ। ଘରୁ ମୋଟ ନଗଦ ୧୩.୪୭ଲକ୍ଷ ଟଙ୍କା, ୮୭୦ ଗ୍ରାମ ସୁନାଗହଣା ଓ ୧୩ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଏହାଛଡ଼ା  ଗୋଟିଏ ଦାମୀ କାର୍‌, ବାଇକ୍‌, ଘଣ୍ଟା, ମୋବାଇଲ୍‌ ଆଦି ଜବତ କରାଯାଇଛି। ୧.୮୪ କୋଟି ଟଙ୍କାର ବ୍ୟାଙ୍କ, ବୀମା, ବଣ୍ଡ୍‌ ଜମା ଠାବ କରାଯାଇଛି। ଭୁବନେଶ୍ବର ଏକ ଫ୍ଲାଟ କିଣିବା ପାଇଁ ବିଲ୍ଡରକୁ ୬୬ଲକ୍ଷ ଟଙ୍କା ବି ଦେଇଛନ୍ତି। ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ସମ୍ପତ୍ତି ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ୫ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୭ ଜଣ ଇନ୍ସପେକ୍ଟର୍‌ ଏବଂ ଅନ୍ୟ ସହାୟକ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। 

ସବୁଠୁ ବଡ଼କଥା ହେଲା ବାବୁ ଚାକିରିରୁ ତଡ଼ା ଖାଇବା ପରେ ବି ଚେତା ପଶି ନଥିଲା। ୧୯୮୯ ମସିହାରେ ଶ୍ରୀ ପଣ୍ଡା ପ୍ରଥମେ ବ୍ରହ୍ମପୁର ଡିଭିଜନର ସହକାରୀ ପ୍ରୋଜେକ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିବା ବେଳେ ୨୦୧୦ ମସିହାରେ ଚାକିରିରୁ ତଡ଼ା ଖାଇଥିଲେ। କୋର୍ଟଙ୍କ ନି‌ର୍ଦ୍ଦେଶ ପରେ ପୁଣି ଚାକିରି ପାଇଥିଲେ। ତେବେ ସେ ୧୯୯୦ରେ ବ୍ରହ୍ମପୁର ଡିଭିଜନର କନିଷ୍ଠ ଯନ୍ତ୍ରୀ, ୧୯୯୧ରୁ୧୯୯୫ ଇଡ୍‌କୋର ସହକାରୀ ପ୍ରୋଜେକ୍ଟ ମ୍ୟାନେଜର। ପରବର୍ତ୍ତୀ ସମୟରେ ୧୯୯୬ରେ ପୁଣି ଓପିଏଚ୍‌ଡବ୍ଲ୍ୟୁସିକୁ ଫେରିଥିଲେ। ଭୁବନେଶ୍ବର ଡିଭିଜନ୍‌ରେ ଏପିଏମ୍‌ ଭାବେ ଯୋଗ ଦେଇଥିଲେ। ଅନୁଗୁଳ, କଟକ, ବ୍ରହ୍ମପୁର ଡିଭିଜନ୍‌ରେ ଏପିଏମ୍‌ ଭାବେ ୧୯୯୭ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୭ ମସିହାରେ ଡେପୁଟି ପ୍ରୋଜେକ୍ଟ ମ୍ୟାନେଜରକୁ ପଦୋନ୍ନତି ଘଟିଥିଲା।