ଭୁବନେଶ୍ବର/ନବରଙ୍ଗପୁର: ଆଉ ୯ମାସ ପରେ ଚାକିରିରୁ ଅବସର ପରେ ଫାର୍ମହାଉସ୍‌ରେ ସମୟ ବିତାଇ ଥାଆନ୍ତେ। ଏଥିପାଇଁ ଦୁଇ ଦୁଇଟି ବିଶାଳ ଫାର୍ମହାଉସ୍‌ କରିଥିଲେ। ବାକି ୨ଟି ଜମିରେ ଅତ୍ୟାଧୁନିକ ଫାର୍ମହାଉସ୍‌ ନିର୍ମାଣ ହୋଇଥାଆନ୍ତା। ସବୁ ସ୍ବପ୍ନକୁ ବିଗାଡ଼ି ଦେଲା ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ବେଳେ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଛି ଭିଜିଲାନ୍ସ। ମିଳିଥିବା ତଥ୍ୟ ଅନୁଯାୟୀ, ରାଜଧାନୀରେ ବିଳାସପୂର୍ଣ୍ଣ ଫ୍ଲାଟ୍‌, ନବରଙ୍ଗପୁରରେ ୮୪ ଏକର ଜାଗାରେ ଫାର୍ମହାଉସ୍‌, ପୁଳା ପୁଳା ସୁନାଗହଣା, ରାଜଧାନୀ ଠା‌ରୁ ଆରମ୍ଭ କରି ନବରଙ୍ଗପୁର ପର୍ଯ୍ୟନ୍ତ ସବୁଠି ସମ୍ପତ୍ତି ଠାବ ହୋଇଛି। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସର ୮ଟି ଟିମ୍‌ ଆଜି ଶ୍ରୀ ବାଗ୍‌ଙ୍କ ଭୁବନେଶ୍ବରସ୍ଥିତ ସରକାରୀ କାର୍ଯ୍ୟାଳୟ, କଳାହାଣ୍ଡି ଓ ନବରଙ୍ଗପୁରସ୍ଥିତ ପୈତୃକ ଘର ଆଦି ୮ଟି ସ୍ଥାନରେ ଚଢ଼ଉ କରି ୨୦ କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି।

Advertisment

ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ଯୁଗ୍ମ ନିର୍ଦ୍ଦେଶକଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍‌
ଭୁବନେଶ୍ବର, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ଲଟ୍‌, ଫ୍ଲାଟ୍‌
୨୦ କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ମିଳିଲା

ସୋମବାର ସକାଳେ ଭିଜିଲାନ୍ସର ୮ଟି ଟିମ୍‌ ଏକକାଳୀଳ ଭୁବନେଶ୍ବର, କଳାହାଣ୍ଡି, ନବରଙ୍ଗପୁରରେ  ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଶ୍ରୀ ବାଗ୍‌ଙ୍କ ଭୁବନେଶ୍ବର ଗୋଠପାଟଣା ଅଞ୍ଚଳରେ ଥିବ‌ା‌ ୧୪୫୦ ବର୍ଗଫୁଟରେ ନିର୍ମିତ ଏକ ଦାମୀ ଫ୍ଲାଟ୍‌ ଠାବ କରାଯାଇଥିଲା। ଯାହାର ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ। ସେହିପରି ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନିରେ ଦେଢ଼ କୋଟି ଟଙ୍କା ମୂଲ୍ୟର ଏକ କୋଠା, ନବରଙ୍ଗପୁର ଅଞ୍ଚଳରେ ୧୪୦୦ ବର୍ଗଫୁଟ୍‌ ଅଞ୍ଚଳରେ ଥିବା କୋଟିଏ ଟଙ୍କାର ଏକ ମାର୍କେଟ୍‌ ‌କମ୍ପ୍ଲେକ୍ସ, ୩୦୦୦ ବର୍ଗଫୁଟରେ ଅର୍ଦ୍ଧନିର୍ମିତ ୨‌କୋଟି ମୂଲ୍ୟର କୋଠା ଏବଂ ନବରଙ୍ଗପୁର ଅଞ୍ଚଳରେ ୮୪ ଏକର ଜମି।  ୫୯ଲକ୍ଷ ଟଙ୍କାର ବ୍ୟାଙ୍କ, ବୀମା ଓ ବଣ୍ଡ୍‌ ଜମା ମଧ୍ୟ ଠାବ କରାଯାଇଛି। ପାଖାପାଖି ୩୧୨ଗ୍ରାମରୁ ଅଧିକ ସୁନା ଗହଣା ଓ ୯ଲକ୍ଷ ଟଙ୍କାର ଆସବାବପତ୍ର ଜବତ ହୋଇଛି। ଗୋଟିଏ ବେନାମୀ କାର୍‌ ଠାବ କରାଯାଇଛି। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୦କୋଟି ଟଙ୍କା ହେବ  ବୋଲି ଆକଳନ କରାଯାଇଛି। ଆଗକୁ ଏହି ପରିମାଣ ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପଟେ ଶ୍ରୀ ବାଗ୍‌ ଏତେ ପରିମାଣର ସମ୍ପତ୍ତି ହାତେଇବା ସମ୍ପର୍କରେ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଆଜି ଚଢ଼ଉରେ ୧୦ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୮ଜଣ ଆଇଆଇସି, ୧୦ଜଣ ଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ। 

ଶ୍ରୀ ବାଗ ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାମ କରୁଥିବା ବେଳେ କାଶୀପୁର ବ୍ଲକରେ ଫାର୍ମ ପଣ୍ଡ୍‌ ନ ଖୋଳି ୨୦ ଲକ୍ଷ ଅନୁଦାନ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। କୋରାପୁଟ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବରୁ ୪ ପୂର୍ବତନ କର୍ମଚାରୀ ତଥା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ରନାଥ ନାୟକ, ମୃତ୍ତିକା ସଂରକ୍ଷଣ ଓଭର୍‌ସିଅର ଯୋଗେନ୍ଦ୍ର ଖୋସଲା, ଦୀପକ କୁମାର ସାହୁ, ଶ୍ରୀକୁମାର ନାୟକଙ୍କୁ ଗିରଫ କରିଥିଲା। ୮୪ ଏକର ଜମି ଠାବ ଓଡ଼ିଶା ଇତିହାସରେ ପ୍ରଥମ ଭିଜିଲାନ୍ସ ଟିମ୍‌ର ଚଢ଼ଉ ବେଳେ ଜଣେ ସରକାରୀ ଅଧିକାରୀଙ୍କ ୮୪ ଏକର ଜମି ଠାବ ହେବା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ତେବେ କୁବେର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବାଗ୍‌ ଜମି ପାଇଁ ପାଗଳ ଭଳି ହେଉଥିଲେ। ଯାହା କଳା ଟଙ୍କା ଆସିଲା ତାକୁ ସରକାରୀ ନଜରରୁ ହଟାଇବା ପାଇଁ ଜମି କିଣି ପକାଉଥିଲେ। ଯେଉଁଥିରେ ସେ ନବରଙ୍ଗପୁରରେ ୪୦ ଏକର ଜମିରେ ଏକ ଫାର୍ମ ହାଉସ୍‌ କରିଥିଲେ। ଫାର୍ମହାଉସ୍‌ରେ କୋଟିଏ ଟଙ୍କା ନିବେଶ କରିଥିଲେ। ସେହିପରି ୬ଏକର ଜମିରେ ଆଉ ଏକ ଫାର୍ମହାଉସ୍‌ କରିଥିଲେ। ସେଠାରେ ପାଖାପାଖି ୪୭ଲକ୍ଷ ଟଙ୍କା ନିବେଶ କରିଥିଲେ। ଏହାଛଡ଼ା ନବରଙ୍ଗପୁରରେ ୨୭ ଏକର ଓ ଭବାନୀପାଟଣାରେ ୧୧ଏକରର ୨ଟି ଜମି ଥିବା ଭିଜିଲାନ୍ସ ଟିମ୍‌ ଜାଣିବାକୁ ପାଇଛି।