ବାରିପଦା: କନେଷ୍ଟବଳ ଚାକିରି ଭିତରେ ଠୁଳ କରିଥିଲେ ଅମାପ ସମ୍ପତ୍ତି। ଉପରିସ୍ଥ ଅଧିକାରୀଙ୍କୁ ଦାମୀ ଉପହାର ଜରିଆରେ ପ୍ରଲୋଭିତ କରି ଏବଂ ପୁଲିସ ଚାକିରିକୁ ଢାଲ କରି ବିପୁଳ ସମ୍ପତ୍ତିର ମାଲିକ ହୋଇଥିବା ଏହି କୁବେର କନେଷ୍ଟବଳ ଭିଜିଲାନ୍ସକୁ ଚକ୍ମା ଦେଖାଇ ନିଜ ଘର ବାଲକୋନିରୁ ଡେଇଁ ଚମ୍ପଟ୍ ମାରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଏହି କୋଟିପତି କନେଷ୍ଟବଳ ହେଉଛନ୍ତି ନିହାର ରଞ୍ଜନ ଦଣ୍ଡପାଟ। ସୂଚନା ଅନୁସାରେ; ବାରିପଦା ସହରରେ ତାଙ୍କର ୩ ତାଲା ସୁରମ୍ୟ ଅଟ୍ଟାଳିକା, ଗ୍ୟାସ୍ ଏଜେନ୍ସି, କମ୍ପ୍ୟୁଟର ସୋରୁମ୍, ଟ୍ରାନ୍ସପୋର୍ଟ ବ୍ୟବସାୟ, ୩ଟି ଟ୍ରକ ସହିତ ମୋଟ ୧୯ଟି ଗାଡ଼ିକୁ ଠାବ କରିଛି ଭିଜିଲାନ୍ସ। ଏହାବାଦ୍ ବିଭିନ୍ନ ସ୍ଥାନରେ ତାଙ୍କର ସ୍ଥାବର, ଅସ୍ଥାବର ଓ ଭୂସମ୍ପତ୍ତି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଚଢ଼ାଉ ଜାରି ରହିଥିବାବେଳେ ପ୍ରାରମ୍ଭିକ ଆକଳନ ଅନୁସାରେ ତାଙ୍କର ୧କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ବାରିପଦା ଭଞ୍ଜପୁରସ୍ଥିତ ୩ ତାଲା ବିଶିଷ୍ଟ ସୁରମ୍ୟ ଅଟ୍ଟାଳିକାରେ ପଶିବା ସମୟରେ ତାଜୁବ ହୋଇ ଯାଇଥିଲା ଭିଜିଲାନ୍ସ ଟିମ୍। ଘର ପ୍ରବେଶ ଦ୍ବାରରେ ଲାଗିଥିଲା ଲକ୍ଷାଧିକ ଟଙ୍କାର ଫାଟକ। ନିହାରଙ୍କ ଅଭିଜାତ୍ୟଭରା ଜୀବନଶୈଳୀର ଝଲକ ଦେଖିବାକୁ ମିଳିଥିଲା ତାଙ୍କ ତୃତୀୟ ମହଲା ଛାତ ଉପରେ ଥିବା ସୁଇମିଂ ପୁଲ୍ରୁ। ଯାହାକୁ ଦେଖି ଭିଜିଲାନ୍ସ ଟିମ୍ ଚକିତ ହୋଇଯାଇଥିଲେ।
ଅନ୍ୟପକ୍ଷରେ, ନିହାରଙ୍କୁ ଧରିବା ଲାଗି ବାରିପଦାରୁ ଯାଉଥିବା ସମସ୍ତ ଟ୍ରେନ୍, ବସ୍ ଏବଂ ବିଭିନ୍ନ ସ୍ଥାନରେ ପୁଲିସ ଧରପଗଡ଼ ଚଳାଇଛି। ତେବେ ଚଢ଼ଉ ସଂପର୍କରେ ଆଗୁଆ ଖବର ପାଇ ନିହାର ଫେରାର ହୋଇ ଯାଇଥିବା ଏବଂ ନିଜ ବିଭାଗର କିଛି ପୁଲିସ କର୍ମଚାରୀ ତାଙ୍କୁ ଏଥିରେ ସହାୟତା କରିଥିବା ନେଇ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ ମୟୂରଭଞ୍ଜ ଏସ୍ପିଙ୍କ କାର୍ଯ୍ୟାଳୟରେ ଚାକିରି କରିଥିବା ନିହାର ଗଲା କିଛି ଦିନ ଧରି ଭିଜିଲାନ୍ସ ସ୍କାନର୍ରେ ଥିଲେ।