ଢେଙ୍କାନାଳ/ଜୁନାଗଡ଼: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ। ଆଜି ସକାଳେ କଟକ ଭିଜିଲାନ୍ସ ବିଭାଗ ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ୨ ମହଲା ଘର, ବଣସିଂହସ୍ଥିତ ପୈତୃକ ଘର, ଶ୍ୱଶୁର ଘର, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓ ଜୁନାଗଡ଼ସ୍ଥିତ ୨ ଝିଅଙ୍କ ଘର ସମେତ ମୋଟ୍ ୮ଟି ଠିକଣାରେ ଚଢ଼ଉ କରିଛି। ତାଙ୍କ ଘରୁ ପୁଳାପୁଳା ସୁନାଗହଣା ଓ ୬୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ବାଲାନ୍ସ ଠାବ କରିଛି ଭିଜିଲାନ୍ସ। ଶ୍ରୀ ଶତପଥୀଙ୍କ ଜ୍ୱାଇଁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସିଏଚ୍ସିର ମେଡିକାଲ୍ ଅଫିସର୍ ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘର ଯାଞ୍ଚ ସମୟରେ ନଗଦ ୨୩.୯୫ ଲକ୍ଷ ଟଙ୍କା ମଧ୍ୟ ମିଳିଛି।
ଗତ ୩ ଦିନ ଧରି ଛୁଟି ଥିବାରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶତପଥୀ ଢେଙ୍କାନାଳ ଗାୟତ୍ରୀନଗରସ୍ଥିତ ନିଜ ଘରେ ରହୁଥିଲେ। ଆଜି ସକାଳୁ ଭିଜିଲାନ୍ସ ଟିମ୍ ହଠାତ ପହଞ୍ଚି ଖୋଳତାଡ଼ କରିଥିଲା। ଭିଜିଲାନ୍ସର ଗୋଟିଏ ଟିମ୍ ଶ୍ରୀ ଶତପଥୀଙ୍କୁ ଆଠମଲ୍ଲିକସ୍ଥିତ ତାଙ୍କ ସରକାରୀ ବାସଭବନକୁ ନେଇ ଯାଞ୍ଚ କରିଥିଲା। ଢେଙ୍କାନାଳ ଗାୟତ୍ରୀନଗରସ୍ଥିତ ଶ୍ରୀ ଶତପଥୀଙ୍କ ଆବାସିକ ଘର, ସଦର ଥାନା ବଣସିଂହସ୍ଥିତ ପୈତୃକ ଘର, ଢେଙ୍କାନାଳ ଗଁଦିଆ କରମୂଳସ୍ଥିତ ଶ୍ୱଶୁର ଘର, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟର୍ସ, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, ଭବାନୀପାଟଣାସ୍ଥିତ ଜ୍ବାଇଁ ଘର ଓ କଟକ ତ୍ରିଶୁଳିଆ ବାଛିପୁରଠାରେ ନିର୍ମାଣାଧୀନ ଏକ ପ୍ଲଟ୍ ଉପରେ ଭିଜିଲାନ୍ସ ଚଢ଼ଉ କରିଛି।
ଢେଙ୍କାନାଳ, ଆଠମଲ୍ଲିକ, କଳାହାଣ୍ଡି ସମେତ ୮ ସ୍ଥାନରେ ଚଢ଼ଉ
ଡାକ୍ତର ଜ୍ବାଇଁଙ୍କ ଘରୁ ମିଳିଲା ନଗଦ ୨୩.୯୫ ଲକ୍ଷ, ୧୬ଟି ଦାମୀ ପ୍ଲଟ୍ ଠାବ
ବିପୁଳ ସୁନା ଅଳଙ୍କାର ସହ ୬୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ବାଲାନ୍ସ
ଶ୍ରୀ ଶତପଥୀଙ୍କର ଢେଙ୍କାନାଳ ସହରର ୧୫ ନମ୍ବର ୱାର୍ଡ ଅନ୍ତର୍ଗତ ଗାୟତ୍ରୀନଗରଠାରେ ୫୦୦୦ ବର୍ଗ ଫୁଟ୍ର ଦୁଇ ମହଲା କୋଠାଘର, କଟକ ବାରଙ୍ଗଠାରେ ଗୋଟିଏ ଏବଂ ଢେଙ୍କାନାଳ ସହର ତଥା ଆଖପାଖ ଅଞ୍ଚଳରେ ୧୬ଟି ଦାମୀ ପ୍ଲଟ୍ ରହିଛି। ସେହିପରି ତାଙ୍କଠାରୁ ୩୨୬ ଗ୍ରାମର ସୁନା ଅଳଙ୍କାର, ୬୩.୬୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ବାଲାନ୍ସ ଠାବ କରାଯାଇଛି। ବୁଧବାର ଭୋର୍ ସମୟରେ ଭିଜିଲାନ୍ସର ୭ ଜଣିଆ ଟିମ୍ ଶ୍ରୀ ଶତପଥୀଙ୍କ ଜ୍ବାଇଁ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ତପନ ତ୍ରିପାଠୀଙ୍କ ଘରେ ଚଢ଼ଉ କରିଥିଲେ। ଜୁନାଗଡ଼ ସହର କଲମପୁର ରାସ୍ତାର ଗାୟତ୍ରୀନଗରରେ ଏକ ଭଡ଼ାଘରେ ଡା. ତ୍ରିପାଠୀ ରହୁଛନ୍ତି। ସେଠାରେ ସେ ଏକ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଖୋଲିଛନ୍ତି। ପୁଣି ସେହି ପରିସରରେ ଏକ ଔଷଧ ଦୋକାନ ମଧ୍ୟ ରହିଛି। ଯାଞ୍ଚ ସମୟରେ ଡା. ତ୍ରିପାଠୀଙ୍କ ଘରୁ ନଗଦ ୨୩.୯୫ ଲକ୍ଷ ଟଙ୍କା ମିଳିଥିଲା। ଅନ୍ୟଜଣେ ଜ୍ବାଇଁ ଡା. ବିଶ୍ୱଜିତ୍ ପାଣିଗ୍ରାହୀଙ୍କ ସ୍ଥାନୀୟ ହିଲ୍ଟାଉନ୍ସ୍ଥିତ ଘରେ ମଧ୍ୟ ଚଢ଼ଉ ହେବାର ଥିଲା। କିନ୍ତୁ ସେ ଅନୁପସ୍ଥିତ ଥିବାରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅପେକ୍ଷା କରିଛି। ଏହାବ୍ୟତୀତ ଶ୍ରୀ ଶତପଥୀଙ୍କ ନାମରେ ହୋଣ୍ଡା ଜାଜ୍ କାର, ତାଙ୍କ ଜ୍ୱାଇଁଙ୍କ ନାମରେ ହୁଣ୍ଡାଇ ଆଇ-୨୦ ଚାରିଚକିଆ ଗାଡ଼ି ରହିଥିବା ବେଳେ ୨ଟି ଦୁଇଚକିଆ ଯାନ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଖବର ଲେଖାହେବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଚଢ଼ଉରେ ୭ ଜଣ ଡିଏସ୍ପି, ୧୫ ଜଣ ଇନ୍ସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।