ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଂଜାମ ଜିଲ୍ଲା, ଭଂଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ଆଜି ଭିଜିଲାନ୍ସ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦେଇଛି। ଦୁଇ ଦିନ ଧରି ଚଢ଼ଉରେ ଭିଜିଲାନ୍ସ, କାର୍ତ୍ତିକେଶ୍ବରଙ୍କ ୫କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଏହା ତାଙ୍କ ଆୟଠାରୁ ୭୪୧ଗୁଣ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ହେଲେ ତାଙ୍କର ଆହୁରି ଅଧିକ ସମ୍ପତ୍ତି ଥିବା ଅନୁମାନ କରାଯାଉଛି। ରିଅଲ୍-ଇଷ୍ଟେଟ୍, ମ୍ୟୁଚୁଆଲ ଫଣ୍ଡ୍ କିମ୍ବା ଅନ୍ୟ କେଉଁ ସଂସ୍ଥାରେ ସେ ପୁଞ୍ଜି ବିନିଯୋଗ କରିଥିବା ସନ୍ଦେହ କରାଯାଉଛି। ସେହିପରି ତାଙ୍କ ବ୍ୟାଙ୍କ ଆକାଉଣ୍ଟ,ଏଲ୍ଆଇସି ବଣ୍ଡ୍ ଆଦି ମଧ୍ୟ ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏଥିପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଭିଜିଲାନ୍ସ ଏସ୍ପି ଅନୁପମା ଜେମ୍ସ ସୂଚନା ଦେଇଛନ୍ତି।
କାର୍ତ୍ତିକେଶ୍ବର ୨୦୧୮ ମସିହାରେ କଳ୍ପନା ପ୍ରଧାନଙ୍କୁ ଦ୍ବିତୀୟ ବିବାହ କରିଥିଲେ। ସେବେଠାରୁ ସେ ଯାହା ଆୟ ବହିର୍ଭୂତ ସଂପତ୍ତି ଠୁଳ କରୁଥିଲେ, ତାହାର ସିଂହଭାଗ କଳ୍ପନାଙ୍କ ପାଇଁ ଖର୍ଚ୍ଚ କରିଥିଲେ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ସଞ୍ଚୟ କରିବା ସହ ତାଙ୍କ ପାଇଁ ସୁନାଗହଣା କିଣିଥିଲେ। ଏହାସହ ଜମି, ଫ୍ଲାଟ୍ ମଧ୍ୟ କିଣିଥିଲେ। ହେଲେ, ୨୦୧୮ ପୂର୍ବରୁ ସେ ପ୍ରଥମ ପତ୍ନୀଙ୍କ ପାଇଁ ଏମିତି ଖର୍ଚ୍ଚ ଓ ସଂଚୟ କରିଥିବା ସନ୍ଦେହ କରାଯାଉଛି। ଏପରିକି ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ସମୟରେ ତାଙ୍କୁ କୋଟିଏରୁ ଊର୍ଧ୍ବ ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି। ତେଣୁ କାର୍ତ୍ତିକେଶ୍ବରଙ୍କ ପ୍ରଥମ ପତ୍ନୀଙ୍କୁ ଜେରା ପାଇଁ ଭିଜିଲାନ୍ସ ଯୋଜନା କରୁଛି। ଏଥିରୁ ଆଉ କିଛି ତଥ୍ୟ ମିଳିପାରିବ ବୋଲି ଭିଜିଲାନ୍ସ ଆଶାବାଦୀ ରହିଛି।
ପ୍ରକାଶ ଥାଉ କି, ଗୁରୁବାର ଦିନ ଭିଜିଲାନ୍ସ କାର୍ତ୍ତିକେଶ୍ବରଙ୍କ କଳିଙ୍ଗବିହାରସ୍ଥିତ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନ ରହୁଥିବା ଟାଟା ଆରିଆନା ଫ୍ଲାଟ ରୁମ୍ ନଂ-୦୫୦୫ରେ ଚଢ଼ଉ କରିଥିଲା। ସେଠାରୁ ଟଙ୍କା ଭର୍ତ୍ତି ଏକ ଏୟାରବ୍ୟାଗ୍ ଜବତ କରିଥିଲା। ଉକ୍ତ ବ୍ୟାଗ୍ରେ ୨କୋଟିରୁ ଊର୍ଧ୍ବ ନଗଦ ଟଙ୍କା ରହିଥିଲା। ଏହାବ୍ୟତୀତ ତାଙ୍କ ଘରୁ ୫୮୦ ଗ୍ରାମ୍ ଓଜନର ସୁନାଗହଣା, ଗୋଟିଏ କାର୍ ଓ ୩ଟି ବାଇକ୍ ଜବତ କରିଥିଲା। ସେହିପରି ଚଢ଼ଉର ପ୍ରଥମ ଦିନରେ ଖଣ୍ଡଗିରି ଜାଗମରାରେ ଦୁଇ ମହଲା କୋଠା, ଡୁମୁଡୁମା ତୁଷ୍ଟି ରେସିଡେନ୍ସିରେ ୩-ବି.ଏଚ୍.କେ ଫ୍ଲାଟ୍, କସମୋପଲିସ୍ରେ ୨ ବି.ଏଚ୍.କେ ଫ୍ଲାଟ୍, ଭୁବନେଶ୍ବରରେ ଦୁଇଟି ଓ ଖଲ୍ଲିକୋଟରେ ୫ଟି ଜମି, ୩୭.୨୩ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ବୀମା ପଲିସି, ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିଥିଲା ଏହି ଚଢ଼ଉରେ ୫ ଡିଏସ୍ପି, ୧୧ ଇନ୍ସପେକ୍ଟର୍ ସାମିଲ ହୋଇଥିଲେ।