ଭୁବନେଶ୍ବର/ବଲାଙ୍ଗୀର: ରାଜଧାନୀରେ ‌ବିଳାସପୂର୍ଣ୍ଣ ଅଟ୍ଟାଳିକା। ଭୁବନେଶ୍ବର, ପୁରୀ, କଟକ, ଢେଙ୍କାନାଳରେ ପ୍ଲଟ୍‌। ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ପୁଳାପୁଳା ଟଙ୍କା, ବିପୁଳ ସୁନାଗହଣା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ‌ବେଳେ ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଏଭଳି ସମ୍ପତ୍ତି ଦେଖି ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି। ଭିଜିଲାନ୍ସର ୯ଟି ଟିମ୍‌ ଆଜି ଶ୍ରୀ ରାଉତଙ୍କ ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ଘର, କଟକ ସ୍ଥିତ ପୈତୃକ ଘର ଆଦି ସ୍ଥାନରେ ଚଢ଼ଉ କରି ୧୪କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛନ୍ତି।

Advertisment

ଭୁବନେଶ୍ବରରୁ ଶ୍ରୀ ରାଉତଙ୍କ ୨ଟି ବିଳାସପୂର୍ଣ୍ଣ କୋଠା, ପୁରୀ ଓ କଟକରେ ୩ଟି ଦାମୀ ଫ୍ଲାଟ୍‌ ଠାବ ହୋଇଛି। ନୀଳାଦ୍ରିବିହାର ଅଞ୍ଚଳରେ ଥିବ‌ା‌ ୫୮୦୦ ବର୍ଗଫୁଟ୍‌ରେ ନିର୍ମିତ ୩ମହଲା ବିଳାସପୂର୍ଣ୍ଣ ଅଟ୍ଟାଳିକାର ମୂଲ୍ୟ ୫କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ। ନୂଆପଲ୍ଲୀ ନୀଳକଣ୍ଠନଗରରେ ୨୩୦୦ ବର୍ଗଫୁଟରେ ନିର୍ମିତ ୨ ମହଲା କୋଠା ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା, ପୁରୀ ଶ୍ରୀକ୍ଷେତ୍ର ଭକ୍ତନିବାସରେ ଥିବା ଗୋଟିଏ ୨ବିଏଚ୍‌କେ ଓ ଭିଆଇପି ରୋଡ୍‌ କ୍ରିଷ୍ଣାଧାମରେ ଥିବା ୱାନ୍‌ ବିଏଚ୍‌କେ ଦୁଇଟି ଫ୍ଲାଟ୍‌ ୫୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ବର, ପୁରୀ, କଟକ, ଢେଙ୍କାନାଳର ପ୍ରମୁଖ ସ୍ଥାନରେ ୩୪ଟି ପ୍ଲଟ ଠାବ କରାଯାଇଛି। ଯେଉଁଥିରେ ଭୁବନେଶ୍ବରର ପ୍ରୁମଖ ସ୍ଥାନରେ ୫ଟି, ପୁରୀରେ ୩ଟି, କଟକରେ ୧୯ଟି ଓ ଢେଙ୍କାନାଳରେ ୭ଟି ପ୍ଲଟ ରହିଛି। ଏସବୁର ମୂଲ୍ୟ ୫କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବୀମା ଓ ବଣ୍ଡ୍‌ ଜମା ମଧ୍ୟ ଠାବ କରାଯାଇଛି। ସେହିପରି ଘରୁ ନଗଦ ୨,୩୪,୧୨୦ ଟଙ୍କା, ୧୭୬ ଗ୍ରାମ୍‌ର ସୁନା ଗହଣା, ୫୦୦ ଗ୍ରାମର ରୁପା, ୧୫ ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଗୋଟିଏ ଟ୍ରକ୍‌, ୨ଟି ବେନାମୀ କାର, ୪ଟି ବାଇକ୍‌ ଠାବ କରାଯାଇଛି।