କୁଚିଣ୍ଡା : ଆସନ୍ତା ୨୦୨୪ ନିର୍ବାଚନରେ ବିଜେପି ପୂର୍ବତନ ବିଧାୟକ ରବି ନାଏକ ଏବଂ କଂଗ୍ରେସ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ପ୍ରାର୍ଥୀ କରାଇବାର ସମ୍ଭାବନା ଯଥେଷ୍ଟ ରହିଛି। ତେବେ, ରାଜ୍ୟର ଶାସକ ଦଳ ବିଜେଡି ପ୍ରତି ଥର ପ୍ରାର୍ଥୀ ପରିବର୍ତ୍ତନ କରୁଥିବାରୁ ଏଥର ବିଧାୟକ କିଶୋର ନାଏକଙ୍କୁ ପ୍ରାର୍ଥୀ କରିବ ନା ଅନ୍ୟ କାହାକୁ ଛିଡ଼ା କରାଇବ, ତାହାକୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଛି।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା, ବାମରା, ଜମନକିରା ବ୍ଲକ୍ ଓ କୁଚିଣ୍ଡା ଏନ୍ଏସିକୁ ନେଇ ଗଠିତ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନସୂଚିତ ଜନଜାତି ପ୍ରାର୍ଥୀ ପାଇଁ ସଂରକ୍ଷିତ। ବିଜେଡି ଗଠନ ପର ଠାରୁ ହୋଇଥିବା ୫ଟି ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ପ୍ରାର୍ଥୀ ଭାବରେ ବିଜେପି ନେତା ରବି ନାଏକ ଦୁଇ ଥର ବିଧାୟକ ହୋଇଥିଲେ। ମେଣ୍ଟ ଭାଂଗିବା ପରେ ୨୦୦୯ ମସିହା ନିର୍ବାଚନରେ କଂଗ୍ରେସ ନିଜ ପୁରୁଣା ଗଡ଼ ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହାରେ ବିଜେପି ଟିକେଟରେ ରବି ପୁଣି ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ତେବେ, ୨୦୧୯ ମସିହା ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ରବିଙ୍କୁ ହରାଇ ବିଜେଡି ପ୍ରାର୍ଥୀ କିଶୋର ନାଏକ ଜିତିଥିଲେ। ଗତ ନିର୍ବାଚନରେ କିଶୋର ନାଏକ ବିଜେପି ଛାଡ଼ି ବିଜେଡିକୁ ଯିବା ପରେ ଏବେ ରବିଙ୍କ ନିଜ ଦଳରେ ଆଉ କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି। ଏଭଳି ସ୍ଥିତିରେ ଆଗାମୀ ୨୦୨୪ ମସିହା ନିର୍ବାଚନ ପାଇଁ ବିଜେପିରୁ ତାଙ୍କ ଟିକେଟ ଚୂଡ଼ାନ୍ତ ଥିବାରୁ ରବି ପୂରା ଦମ୍ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେହିପରି ଗତ ଦୁଇ ଥରର କଂଗ୍ରେସ ପ୍ରାର୍ଥୀ ଶୋଭାରାମ ପ୍ରଧାନ ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡିରେ ଯୋଗଦେବା ପରେ ଏବେ ପିସିସିର ଶୃଙ୍ଖଳା କମିଟି ସଦସ୍ୟ ଥିବା ରାଜେନ୍ଦ୍ର ଛତ୍ରିଆଙ୍କୁ ଦଳ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ।
The New Indian Express୨୦୦୯ ମସିହା ନିର୍ବାଚନରେ ବିଜେପି ନେତା ତଥା ଲଇକେରା ପୂର୍ବତନ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ପରିଷଦ ପୂର୍ବତନ ସଭାପତି ବୃନ୍ଦାବନ ମାଝୀଙ୍କୁ ବିଜେଡି ଟିକେଟ ଦେଇଥିଲା। ୨୦୧୪ ମସିହା ନିର୍ବାଚନରେ ବିଜେପି ସମର୍ଥିତ କୁନ୍ତରା ସମିତି ସଭ୍ୟ ଭୁବନେଶ୍ବର କିସାନଙ୍କ ବିଜେଡିରେ ଯୋଗଦାନ ପରେ ଶାସକ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ ମସିହାରେ ପୁଣି ବିଜେଡି ପୁଣି ସେହି ପରଂପରା ଆପଣେଇବା ସହିତ ଜିଲ୍ଲା ବିଜେପି ସଂପାଦକ କିଶୋର ନାଏକଙ୍କୁ ପ୍ରାର୍ଥୀ କରିଥିଲା। ସମିତି ସଭ୍ୟଠାରୁ ଆରମ୍ଭକରି ପଞ୍ଚାୟତ ସମିତି ଅଧ୍ୟକ୍ଷ, ଓକିଲ ସଂଘ ତଥା ସମବାୟ ନିର୍ବାଚନ ଲଢ଼ି କେବେ କୌଣସି ନିର୍ବାଚନ ହାରିନଥିବା କିଶୋର ଏଥର ବି ସଫଳ ହୋଇଥିଲେ। ଏହା ସହିତ ପ୍ରଥମ ଥର ପାଇଁ ବିଜେଡି କୁଚିଣ୍ଡା ଆସନ ଅକ୍ତିଆର କରିଥିଲା। ତେବେ, କିଶୋରଙ୍କ ବିଜୟ ପଛରେ ଦିବଂଗତ ନେତା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ସଫଳ ଗୋଟଚାଳନା ବି କାମ ଦେଇଥିଲା। ଏବେ କିନ୍ତୁ କେତେକ ପୁରୁଣା କର୍ମୀ କୋଣଠେସା ହୋଇଯାଇଥିବା ଅନୁଭବ କରୁଛନ୍ତି। ଏବେ କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ଭୁବନେଶ୍ୱର କିସାନଙ୍କ ଠାରୁ ଆରମ୍ଭ କରି ମନୋରଞ୍ଜନ ଭୋଇ, ମହେନ୍ଦ୍ର ବାଘ, ସଦାନନ୍ଦ କୁଜୁର, କ୍ରିଷ୍ଣ ଟପ୍ପୋ, ଗଜେନ୍ଦ୍ର ଭୋଇ, ଶୋଭାରାମ ପ୍ରଧାନ ପ୍ରମୁଖ ଆଶାୟୀ ତାଲିକାରେ ରହିଛନ୍ତି। ପ୍ରତି ଥର ପ୍ରାର୍ଥୀ ପରିବର୍ତ୍ତନ କରୁଥିବା ବିଜେଡି ଏଥର କଣ କରିବ ତାହା ସମୟ କହିବ। ଏମିତିରେ ବି ଏଠାରେ ବିଜେଡି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଓ ରୋହିତ ପୂଜାରୀ ଏବଂ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଜୟ ମହାନ୍ତି ଆଦି ବିଭିନ୍ନ ଗୋଷ୍ଠୀରେ ବିଭାଜିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/vote-fff.jpg)