କୁଚିଣ୍ଡା ଭାଗ୍ୟରେ ଜୁଟିନି କେବେ ମନ୍ତ୍ରୀ ପଦ, ଗତ ୨ ନିର୍ବାଚନରେ ସମ୍ବଲପୁର ଜିଲ୍ଲାରୁ କେହି ‌ହୋଇନାହାନ୍ତି ମନ୍ତ୍ରୀ

ସମ୍ବଲପୁର : ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ୨ଟି ନିର୍ବାଚନରେ ବିଜେଡି ରାଜ୍ୟରେ ସରକାର ଗଠନ କରିଆସୁଥିବା ବେଳେ ସମ୍ବଲପୁର ଜିଲ୍ଲାର କୌଣସି ବିଧାୟକଙ୍କୁ ଦିଆଯାଇନି ମନ୍ତ୍ରୀ ପଦ। ଏକଦା କଂଗ୍ରେସର ଗଡ଼ ଥିଲା ସମ୍ବଲପୁର ଜିଲ୍ଲା। ହେଲେ ଏବେ ସେହି ସ୍ଥିତିରେ ପରିବର୍ତ୍ତନ ଆସିଛି। ଲୋକେ ଶାସକ ଦଳ ପ୍ରତି ଆକର୍ଷିତ ହେଉଥିଲେ ହେଁ ନେତା ଓ ଜନତା ଉଭୟେ କିନ୍ତୁ ନିଜକୁ ଉପେକ୍ଷିତ ମନେ କରୁଛନ୍ତି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ଜନଜାତି ବର୍ଗ ପାଇଁ ସଂରକ୍ଷିତ କୁଚିଣ୍ଡା ବିଧାନସଭା କ୍ଷେତ୍ରକୁ ସବୁ ସରକାରଙ୍କ ଅମଳରେ ଅବହେଳା କରାଯାଇଆସୁଛି। ଏହି ବିଧାନସଭା କ୍ଷେତ୍ରର କୌଣସି ବିଧାୟକଙ୍କୁ ଏଯାଏ ମନ୍ତ୍ରୀ ହେବାର ସୌଭାଗ୍ୟ ମିଳିନାହିଁ। ବିଜେଡି ଗତ ନିର୍ବାଚନରେ ଏଠାରେ ଖାତା ଖୋଲିଥିବା ବେଳେ କ୍ରମାଗତ ଭାବେ ବିଜେଡିକୁ ଜିତାଇ ଆସୁଥିବା ରେଢ଼ାଖୋଲ ବିଧାନସଭା କ୍ଷେତ୍ରର ଲୋକଙ୍କ ମଧ୍ୟରେ ଏଥର ନ୍ୟାୟ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପୂର୍ବରୁ ସମ୍ବଲପୁର ଜିଲ୍ଲାର ଆଦିବାସୀ ବହୁଳ ଉପଖଣ୍ଡର କିଛି ଅଂଶ ଦେବଗଡ଼ ଏବଂ ଆଉ କିଛି ଅଂଚଳ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରେ ରହିଥିଲା। ପରବର୍ତ୍ତୀ ସମୟରେ କିଛି ଅଂଚଳ ତତ୍କାଳୀନ ଲଇକେରା ବିଧାନସଭା କ୍ଷେତ୍ର ଅଧୀନରେ ରହିଥିଲା। ବିଧାନସଭା କ୍ଷେତ୍ର ପୁନର୍ଗଠନ ଯୋଗୁ ୧୯୬୭ ମସିହାରେ କୁଚିଣ୍ଡା ବିଧାନସଭା କ୍ଷେତ୍ର ଜନ୍ମ ନେଇଥିଲା। ଏଥିସହିତ ସ୍ବତନ୍ତ୍ର ପାର୍ଟିର କ‌େହ୍ନଇ ସିଂହ କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ପ୍ରଥମ ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ। ୧୯୭୧ରେ ଓଡ଼ିଶା ଜନ କଂଗ୍ରେସ ପ୍ରାର୍ଥୀ ଜଗତେଶ୍ବର ମିର୍ଦ୍ଧା ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ କଂଗ୍ରେସ(ଆଇ) ଓ କଂଗ୍ରେସ ଦଳର ଟିକଟରେ ନିର୍ବାଚନ ଲଢ଼ିଥିଲେ। ୧୯୭୧ରୁ ୧୯୮୫ ମସିହା ପର୍ଯ୍ୟନ୍ତ କ୍ରମାଗତ ୫ଟି ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେହେଁ ତାଙ୍କୁ ତତ୍କାଳୀନ ସରକାର ଅଣଦେଖା କରିଥିଲା। ଏହି ଅବହେଳାର ଜବାବ ଦେଇଥିଲେ ଆଦିବାସୀବହୁଳ କୁଚିଣ୍ଡାର ଜନସାଧାରଣ। ଆଉ ୧୯୯୦ ମସିହା ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ବୃନ୍ଦାବନ ମାଝୀଙ୍କୁ ‌ମତଦାତାମାନେ ବିଧାନସଭାକୁ ପଠାଇ ଥିଲେ।

ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଗଠନ ହୋଇଥିଲେହେଁ ପୁଣି କୁଚିଣ୍ଡାକୁ ଅବହେଳା କରାଯାଇଥିଲା। ଆଉ ଏହାର ପ୍ରଭାବ ୧୯୯୫ ମସିହାରେ ନିର୍ବାଚନରେ ଦେଖିବାକୁ ମିଳିଥିଲା। ଲୋକ ପୁଣି ଥରେ କଂଗ୍ରେସ ଦଳକୁ ବିଜୟୀ କରାଇଥିଲେ। କଂଗ୍ରେସ ପ୍ରାର୍ଥୀ ପାଣୁଚନ୍ଦ୍ର ନାୟକ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ରାଜ୍ୟ‌ରେ ସେତେବେଳେ କଂଗ୍ରେସ ସରକାର ଗଠନ ହୋଇଥିଲେହେଁ ଶ୍ରୀ ନାୟକଙ୍କୁ ମନ୍ତ୍ରୀପଦ ମିଳିନଥିଲା। ବିଜୁ ଜନତା ଦଳ(ବିଜେଡି) ଗଠନ ହେବା ପରେ ୨୦୦୦ ଓ ୨୦୦୪ ମସିହା ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା। ଉଭୟ ନିର୍ବାଚନରେ କୁଚିଣ୍ଡାବାସୀ ମେଣ୍ଟ ପ୍ରାର୍ଥୀ ଭାବେ ବିଜେପିର ରବି ନାଏକଙ୍କୁ ଜିତାଇଥିଲେ। ମେଣ୍ଟ ସରକାର ଗଠନ ହୋଇଥିଲେ ବି କୁଚିଣ୍ଡାବାସୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଥିଲା। ଏଥର ବି ଲୋକଙ୍କ ଆଶାନୁରୂପ ବିଧାନସଭା କ୍ଷେତ୍ରର ସେତେଟା ବିକାଶ ହୋଇପାରିନଥିଲା। ମେଣ୍ଟ ସରକାର ଭାଂଗିବା ପରେ ୨୦୦୯ ମସିହା ନିର୍ବାଚନରେ ଲୋକେ କଂଗ୍ରେସକୁ ଭୋଟ ଦେଇଥିଲେ। ରାଜେନ୍ଦ୍ର ଛତ୍ରିଆ ବିଧାୟକ ହୋଇଥିଲେ।

ରାଜ୍ୟରେ ବିଜେଡି ସରକାର ଗଠନ ହୋଇଥିବା ବ‌େଳେ କଂଗ୍ରେସ ବିଧାୟକ ରାଜେନ୍ଦ୍ର କିନ୍ତୁ ମତଦାତାଙ୍କୁ ନିଜ ସପକ୍ଷରେ ରଖିପାରିନଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ୨୦୧୪ ନିର୍ବାଚନରେ କଂଗ୍ରେସକୁ ପରାଜୟ ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଜେପି ହାୱାରେ ରବି ନାଏକ ପୁଣି ଥରେ ଏଠାରୁ ବିଜୟୀ ହୋଇଥିଲେ। ହେଲେ ବିଜେଡି ରାଜ୍ୟରେ ବହୁମତ ହାସଲ ସହିତ ପୁଣି ସରକାର ଗଠନ କରିଥିଲା। ବିଜେଡି ପ୍ରାର୍ଥୀ କ୍ରମାଗତ ଭାବେ ଏଠାରୁ ପରାଜିତ ହେଉଥିବା ବେଳେ କୁଚିଣ୍ଡା ପଞ୍ଚାୟତ ସମିତିର ଦୁଇଥରିଆ ଅଧ୍ୟକ୍ଷ ତଥା କୁଚିଣ୍ଡା ଓକିଲ ସଂଘର ପୂର୍ବତନ ସଂପାଦକ କିଶୋର ନାଏକଙ୍କୁ ୨୦୧୯ ନିର୍ବାଚନରେ ଲୋକେ ବିଜୟୀ କରାଇଥିଲେ। ଚାରିଥର ସମିତି ସଭ୍ୟ ନିର୍ବାଚନ ଜିତି ତୃଣମୂଳସ୍ତରରୁ ଉଠିଥିବା ଉଚ୍ଚଶିକ୍ଷିତ କିଶୋରଙ୍କଠାରେ କିନ୍ତୁ ଲୋକମାନଙ୍କ ବହୁତ ଆଶା ରହିଛି। ଏବେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ କୁଚିଣ୍ଡା ବିଧାନସଭାବାସୀ ମନରେ ଅନେକ ଆଶା ରହିଛି।

ଅପରପକ୍ଷରେ ଗତ ୨୦୧୪ ନିର୍ବାଚନରେ ଜୟ ନାରାୟଣ ମିଶ୍ରଙ୍କ ଭଳି ବରିଷ୍ଠ ବିଜେପି ନେତାଙ୍କୁ ପରାଜିତ କରି ସମ୍ବଲପୁର ବିଧାନସଭା କ୍ଷେତ୍ରରେ ବିଜେଡିର ଖାତା ଖୋଲିଥିବା ଡ‌ାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କୁ ବି ଦଳ ନିରାଶ କରିଥିଲା। ଏପଟେ ରେଢ଼ାଖୋଲ ବିଧାନସଭା କ୍ଷେତ୍ରର ଦୁଇଥରିଆ ବିଧାୟକ ତଥା ବିଧାନସଭାରେ ଉପମୁଖ୍ୟ ସଚେତକ ଥିବା ‌ଇଂ.ରୋହିତ ପୂଜାରୀ ମଧ୍ୟ ମନ୍ତ୍ରୀ ପଦ ପାଇଁ ଅନ୍ୟତମ ଦାବିଦାର ବୋଲି କୁହାଯାଉଛି। ସମ୍ବଲପୁର ଜିଲ୍ଲାରେ ବିଜେଡି ସଂଗଠନ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନେଇଥିବା ରୋହିତ, ଆଦିବାସୀ ଯୁବନେତା କିଶୋର ନାଏକଙ୍କ ମଧ୍ୟରୁ ବିଜେଡି ଏଥର କାହାକୁ ମନ୍ତ୍ରୀ କରାଇବ ନା ପୁଣିଥରେ ଜିଲ୍ଲାବାସୀଙ୍କୁ ନିରାଶ କରିବ, ତାହା ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର