କୁଚିଣ୍ଡାରେ ୧୦୮ ଆମ୍ବୁଲାନ୍ସ ମରୁଡ଼ି

କୁଚିଣ୍ଡା : ଓଡ଼ିଶା ସରକାର ସ୍ବାସ୍ଥ୍ୟସେବାରେ ବ୍ୟବହାର ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ମାତ୍ର କୁଚିଣ୍ଡା ଅଞ୍ଚଳରେ ବର୍ତ୍ତମାନ ଆମ୍ବୁଲାନ୍ସ ସେବାର ମରୁଡ଼ି ଦେଖାଦେଇଛି। ଗତ ୧୦ ଦିନ ହେଲା କୁଚିଣ୍ଡା ଡାକ୍ତରଖାନାର ଆମ୍ବୁଲାନ୍ସ ବ୍ରେକ୍‌ଡାଉନ୍‌ ହୋଇ ପଡ଼ିଥିବା ବେଳେ ୩ ଦିନ ହେଲା ଲଇଡ଼ା ଡାକ୍ତରଖାନାର ଓ ୫ ଦିନ ହେଲା ଜମନକିରା ଡାକ୍ତରଖାନାର ୧୦୮ ଆମ୍ବୁଲାନ୍ସ ମଧ୍ୟ ବ୍ରେକ୍‌ଡାଉନ୍‌ ହୋଇ ପଡ଼ିରହିଛି। ଉପଖଣ୍ଡର ବାମରା ଡାକ୍ତରଖାନାରେ ଥିବା ଏକମାତ୍ର ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆବଶ୍ୟକ ସ୍ଥଳେ ୫୫ କିମି ଦୂର ହୋଇଥିବାରୁ କୁଚିଣ୍ଡାକୁ ଆସୁନାହିଁ। ଫଳରେ ଉପରୋକ୍ତ ଅଞ୍ଚଳଗୁଡ଼ିକରେ ଲୋକେ ଆମ୍ବୁଲାନ୍ସ ସେବା ନ ପାଇ ହଇରାଣ ହରକତ ହେଉଛନ୍ତି।

କୁଚିଣ୍ଡା ଅଞ୍ଚଳରେ ନିୟମିତ ଦୁର୍ଘଟଣା ଘଟୁଥିବା ଓ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରୁ ପ୍ରାୟ ପ୍ରତିଦିନ ଗୁରୁତର ରୋଗୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବୁର୍ଲା ରେଫର ହେଉଥିବା ବେଳେ ଆମ୍ବୁଲାନ୍ସ ଅଭାବରୁ ସମସ୍ୟା ଦେଖା ଦେଇଛି। ରାଜ୍ୟ ସରକାର ତୁରନ୍ତ ସମସ୍ୟାର ସମାଧାନ କରିବା ସହ ଫାଶିମାଲ ଓ କୁନ୍ତରା ଡାକ୍ତରଖାନାକୁ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର