ସମ୍ବଲପୁର: ୧୮୫୭ର ସମ୍ବଲପୁର କୁଦୋପାଲି ଘଟଣା କୌଣସି ଗୁଣରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡଠାରୁ କମ୍ ନଥିଲା ବୋଲି ରବିବାର ସମ୍ବଲପୁର ତପସ୍ବିନୀ ପ୍ରେକ୍ଷାଳୟରେ ‘ଦି ସାଗା ଅଫ୍ କୁଦୋପାଲି: ଦ ଅନ୍ସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭’ ଇଂରାଜୀ ପୁସ୍ତକ ଉନ୍ମୋଚନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିସମାନଙ୍କ ସହ ଅଦମ୍ୟ ସାହସର ସହ ଲଢ଼ି ବୀର ସୁରେନ୍ଦ୍ର ସାଏଙ୍କ ୫୩ ସହଯୋଗୀ ସଂଗ୍ରାମୀ ସହିଦ୍ ହୋଇଥିଲେ ଓ ପରେ ୪ ଜଣଙ୍କୁ ଦଣ୍ଡାଦେଶ ମିଳିଥିଲା। ସମ୍ବଲପୁର ମାଟିରେ ସଂଘଟିତ କୁଦୋପାଲି ମହାସଂଗ୍ରାମରେ ଖିଣ୍ଡା, କୁଲାବିରା, ଘେଁସ, ଲଖନପୁର ଆଦି ଅଞ୍ଚଳର ଅନେକ ପରିବାର ତ୍ୟାଗ ଓ ବଳିଦାନ ଦେଇଛନ୍ତି। ମାତ୍ର ଏହି ଇତିହାସ ଅନେକଙ୍କ ପାଇଁ ଅଜଣା ଥିଲା। ଗତବର୍ଷ ଡିସେମ୍ବର ୩୦ରେ କୁଦୋପାଲିଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ସହିଦ୍ଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଏହି ବିଷୟରେ ସେ ଅବଗତ ହେବା ପରେ କୁଦୋପାଲିର ଇତିହାସ ଉପରେ ଗବେଷଣାପୂର୍ବକ ତାହାକୁ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଆଇସିଏଚ୍ଆର୍ ଓ ଏନ୍ବିଟିକୁ ଦାୟିତ୍ୱ ଦେଇଥିଲେ।
ଦି ସାଗା ଅଫ୍ କୁଦୋପାଲି: ଦ ଅନ୍ସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭’ ପୁସ୍ତକ ଉନ୍ମୋଚିତ
ଓଡ଼ିଆ, ହିନ୍ଦୀ ଏବଂ ୧୦ଟି ପ୍ରମୁଖ ଭାରତୀୟ ଭାଷାରେ ପ୍ରକାଶିତ କରିବ ଏନ୍ବିଟି
ଦିଲ୍ଲୀରେ ଏନ୍ବିଟି ତରଫରୁ ଆୟୋଜିତ ସର୍ବବୃହତ ପୁସ୍ତକମେଳା ଅବସରରେ ଲୋକାର୍ପିତ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚନ ଯୋଜନା ରହିଛି। ପୁସ୍ତକଟିକୁ ଓଡ଼ିଆ ସମେତ ୧୦ଟି ପ୍ରମୁଖ ଭାରତୀୟ ଭାଷାରେ ପ୍ରକାଶନ କରିବା ପାଇଁ ଏନ୍ବିଟିକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଦୀପକ ପଣ୍ଡାଙ୍କ ଦ୍ବାରା ସଂପାଦିତ ଏହି ପୁସ୍ତକ ଲୋକାର୍ପଣରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବୀର ସୁରେନ୍ଦ୍ର ସାଏ ଏବଂ ତାଙ୍କ ସହଯୋଗୀ ସଂଗ୍ରାମୀମାନଙ୍କ ସଂପର୍କରେ ଆଲୋକପାତ କରିଥିଲେ। ସଂଗ୍ରାମୀମାନଙ୍କୁ ଫାଶୀଦଣ୍ଡ ଦିଆଯାଇଥିବା ସ୍ଥାନ ସମ୍ବଲପୁର ‘ଫାଶ୍କୁଦା’ରେ ସ୍ମାରକୀ ନିର୍ମାଣ, ପୂର୍ଣ୍ଣାଙ୍ଗ ରିଂ ରୋଡ୍ ନିର୍ମାଣ ଉପରେ ଗୁରୁତ୍ବାରୋପ କରିଥିଲେ। ପୁସ୍ତକ ଜରିଆରେ ଏହି ଅନାଲୋଚିତ ସ୍ବାଧୀନତା ସଂଗ୍ରାମୀଙ୍କ ଆଗାମୀ ପିଢ଼ିକୁ ଅବଗତ କରାଇବା ପ୍ରୟାସ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସେ ଧନ୍ୟବାଦ ଦେଇଥିଲେ। ସଭାରେ ଦୀପକ ପଣ୍ଡାଙ୍କ ସହିତ ଏନ୍ବିଟିର ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୟସ୍ବାଲ, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ଉତ୍ତରାଞ୍ଚଳ ଆର୍ଡିସି ସଚିନ ରାମଚନ୍ଦ୍ର ଯାଦବ, ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସ୍ପି ମୁକେଶ ଭାମୁ ପ୍ରମୁଖ ମଞ୍ଚାସୀନ ଥିଲେ।