ଆନନ୍ଦ ବଜାରରେ ଓଳି ଓ କୁଡ଼ୁଆ ସଙ୍କଟ

ଶାଳ, ଶାଳଘର ‘ଫନି’ ବାତ୍ୟାରେ ଛାରଖାର, ପ୍ରସ୍ତୁତ ହୋଇପାରୁନାହିଁ ଓଳି, କୁଡ଼ୁଆ

ପୁରୀ : ଶ୍ରୀମନ୍ଦିରରେ ଅଭାବ ହେଲାଣି ଓଳି ଓ କୁଡ଼ୁଆ। ହାଣ୍ଡି କୁଡ଼ୁଆ ଘର ଖାଲି ହେଉଛି, ତେଣେ କୁମ୍ଭକାର ମାନେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନ ଥିବାରୁ ନୂଆ ହାଣ୍ଡି କୁଡ଼ୁଆ ଆସି ପାରୁନି। ବିଶେଷ କରି ଓଳି ସଙ୍କଟ ଗମ୍ଭୀର ହେଲାଣି। ଓଳି ଅଭାବ ଦୂର କରିବା ପାଇଁ ସାଉଁଟା ଓଳିକୁ ବ୍ୟବହାର କରାଯାଉଛି। ଏକଥା ନେଇ ଭକ୍ତ ମହଲରେ ପ୍ରଶ୍ନ ଉଠିଲାଣି। ହେଲେ ଚେତୁନି ଶ୍ରୀମନ୍ଦିର ପ୍ରଶାସନ। ମେ ୩ ତାରିଖ ‘ଫନି’ ପରେ ଭାଙ୍ଗି ପଡ଼ିଛି ହାଣ୍ଡି କୁଡ଼ୁଆ ଶିଳ୍ପ। ହାଣ୍ଡି କୁଡ଼ୁଆ ଓ ଓଳି ତିଆରି ଏକ ପ୍ରକାର ବନ୍ଦ ହୋଇଯାଇଛି। ଏପର୍ଯ୍ୟନ୍ତ ତିଆରି ଆରମ୍ଭ ହୋଇନାହିଁ। ଯାହା କିଏ କେମିତି ବଞ୍ଚାଇ ରଖିଥିଲେ କାଁ ଭାଁ ଆଣି କୋଠଭୋଗକୁ ଦେଇ ଯାଉଛନ୍ତି। ସୁଆର ମାନଙ୍କ ବରାଦି ଭୋଗ ପାଇଁ ଏପର୍ଯ୍ୟନ୍ତ କୁଡ଼ୁଆ ମିଳିନି। ଭୋଗ କିଣାବିକାରେ ଓଳି ବହୁଳ ପରିମାଣରେ ବ୍ୟବହାର ହୁଏ। ତାହା ବି ଆସି ପାରୁନି।

ସୁଆର ମାନଙ୍କ ପାଖରେ ମହଜୁଦ୍‌ ଥିବା ହାଣ୍ଡି କୁଡ଼ୁଆ ଓ ଓଳି ସରି ସରି ଆସିଲାଣି। ଗୋଦାମ ଘର ଖାଲି ହୋଇଗଲାଣି ବୋଲି କହୁଛନ୍ତି କୁଡ଼ୁଆ ମହଜୁଦ୍‌କାରୀ ନାରାୟଣ ମହାପାତ୍ର। ତାଙ୍କ ହିସାବରେ ଆଉ ଅଳ୍ପ ଦିନ ଚାଲିବ। ଏବେ ଅବଢ଼ା ରନ୍ଧା କମ୍‌ ଥିବାରୁ ଚଳି ଯାଉଛି। ତଥାପି ସାବିତ୍ରୀ ବ୍ରତ ଠାରୁ ଅବଢ଼ା ରନ୍ଧା ବଢ଼ିଛି। ତେଣୁ ହାଣ୍ଡି କୁଡ଼ୁଆ ଅଭାବ ଦେଖା ଦେଲାଣି।

ସବୁଠୁ ଅଧିକ ଅଭାବ ଓଳିର ରହିଛି। ସାଧାରଣ ଦିନ ମାନଙ୍କରେ ପ୍ରତିଦିନ ପ୍ରାୟ ୩ ରୁ ୫ହଜାର ଓଳି ଆବଶ୍ୟକ ପଡ଼ିଥାଏ। ପର୍ବପର୍ବାଣୀରେ ଏହା ୧୫ ହଜାର ପର୍ଯ୍ୟନ୍ତ ପହଞ୍ଚି ଯାଏ। ସେହି ହିସାବରେ ଓଳି ନାହିଁ। ଓଳି ଆସୁ ନାହିଁ। ଯେଉଁ ସୁଆର ୫୦ ଓଳି ମାଗୁଛନ୍ତି ଆମେ ୧୦/୧୨ ଦେଉଛୁ ବୋଲି ସେ କହିଥିଲେ।

ତେଣେ କୁମ୍ଭକାରମାନେ ହାଣ୍ଡି କୁଡ଼ୁଆ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇନାହାନ୍ତି। ଶାଳ ସହିତ ଶାଳଘର ଭାଙ୍ଗି ଛାରଖାର। ଚକ ବି ନାହିଁ। ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ଭଳି। ୮୨୦୦ ଟଙ୍କା ଚକ ତିଆରି କରିବାକୁ ବି ପାଉନି। ତେଣୁ ସଜଡ଼ା ଯିବ କେମିତି ବୋଲି ଚିନ୍ତାରେ କୁମ୍ଭକାର। ଅନେକ କୁମ୍ଭକାର ଏପର୍ଯ୍ୟନ୍ତ ଶାଳ ଘରକୁ ଯାଇନାହାନ୍ତି। ବଡ଼ ଦୟନୀୟ ସ୍ଥିତି ରହିଛି।

ହାଣ୍ଡି କୁଡ଼ୁଆ, ଓଳି ତିଆରି ହେଉ ନ ଥିବା ବେଳେ ଖର୍ଚ୍ଚ ବଢ଼ି ବଢ଼ି ଚାଲିଲାଣି। ତେଣୁ ଆନନ୍ଦ ବଜାରରେ ଓଳିର ଘୋର ଅଭାବ ଦେଖା ଦେଲାଣି। ଅଭାବ ଦୂର କରିବାକୁ ରାସ୍ତା ନାହିଁ। ଏହାର ସୁଯୋଗ କିଛି ସଫେଇ କର୍ମଚାରୀ ନେଉଛନ୍ତି। ଭକ୍ତମାନେ ଯେଉଁ ଓଳିରେ ଅବଢ଼ା ଆଣି ସେବନ କରିବା ପରେ ଫିଙ୍ଗି ଦେଉଛନ୍ତି, ସେଠାରୁ ସେହି ଓଳିକୁ ଉଠାଇ ତାକୁ ଧୋଇ ଧାଇ ସଫା କରି ସଫେଇ କର୍ମଚାରୀ‌ମାନେ ସୁଆର ମାନଙ୍କୁ ବିକୁଛନ୍ତି। ସେମାନେ ଦି ପଇସା ପାଉଛନ୍ତି। ହେଲେ ସାଉଁଟା ଓଳି ବ୍ୟବହାର ହେଉଛି। ଗତ ୩ଦିନରେ ଓଳି ସାଉଁଟୁଥିବା ୩ଜଣ ସଫେଇ କର୍ମଚାରୀଙ୍କୁ ଆନନ୍ଦବଜାରରେ ଥିବା ସ୍କ୍ବାର୍ଡ ଧରିଛନ୍ତି। ମାତ୍ର ପରେ ଛାଡ଼ି ଦେଇଛନ୍ତି। ସେମାନେ ଆଜି ବି ସାଉଁଟି ଓଳି ବିକ୍ରି କରୁଛନ୍ତି। ଏହାକୁ ଭକ୍ତମାନେ ନାପସନ୍ଦ କରୁଛନ୍ତି। ଅନେକ ଭକ୍ତ ଏହାକୁ ତୁରନ୍ତ ବନ୍ଦ କରାଯିବା କଥା ବୋଲି କହିଛନ୍ତି। ଭୁବନେଶ୍ବରରୁ ଆସିଥିବା ରଣଜିତ୍‌ ସାହୁ କୁହନ୍ତି, ଆମ ଆଗରେ ଓଳି ସବୁ ଗୋଟାଇ ତାହାକୁ ଧୋଇ ପୁଣି‌ ଭୋଗ ଦୋକାନକୁ ଦିଆଯାଉଛି। ଏହା କେବେ ଦେଖି ନ ଥିଲୁ। ଆଜି ଦେଖିବା ପରେ ଭଲ ଲାଗିଲା ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର