ଭୁବନେଶ୍ବର: ଭୁବନେଶ୍ବର ଏୟାର୍ଫିଲ୍ଡ ଥାନା ଅଧୀନ କୁହା ଗାଁରେ ଘଟିଥିବା ଡବଲ୍ ମର୍ଡର୍ ମାମଲାର ୨ ହତ୍ୟା ଅଭିଯୁକ୍ତ ଗଣେଶ ଓ ପଦିଆ ଧରାପଡ଼ିଯାଇଛନ୍ତି। ୪ ଦିନର ଛକାପଞ୍ଝା ଓ ଲୁଚକାଳି ଖେଳ ପରେ ସ୍ପେସାଲ୍ ସ୍କ୍ବାଡ୍ ସେମାନଙ୍କୁ କାବୁ କରିଥିବା ଜଣାପଡ଼ିଛି। ଆସନ୍ତାକାଲି ପୁଲିସ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି। ଦାଦାଗିରି, ଭାଇଗିରି ଓ ପତିଆରା ବୃଦ୍ଧି ପ୍ରତିଯୋଗିତାରୁ ଏହି ଡବଲ୍ ମର୍ଡର ଘଟିଛି ବୋଲି ପୂର୍ବରୁ ଆଭାସ ମିଳିଥିଲା। ଏବେ ୨ ଅଭିଯୁକ୍ତ ପୁଲିସ ହେପାଜତକୁ ଆସିବା ପରେ ମିଳିଥିବା ପୂର୍ବାଭାସ ଆପାତତଃ ସତ ବୋଲି ଜଣାପଡ଼ିଛି। ୭ ତାରିଖ ସନ୍ଧ୍ୟାରେ ଏହି ଡବଲ୍ ମର୍ଡର ଘଟିଥିଲା। ଗଣେଶ ମଲ୍ଲିକ ଓ ପଦିଆ ମଲ୍ଲିକଙ୍କ ଛୁରି ଆକ୍ରମଣରେ କୁହା ଗାଁର ରଶ୍ମିରଞ୍ଜନ ସେଠୀ ଓରଫ୍ ଜିତୁ ଓ କେନ୍ଦ୍ରାପଡ଼ା ବାଉଁଶକଣିର ସମ୍ବିତ ରାଉତ ଓରଫ୍ ଜୁଲୁଙ୍କ ମୃତ୍ୟୁ ଘଟିଥିଲା। ଜିତୁଙ୍କର ଘଟଣାସ୍ଥଳରେ ଏବଂ ଜୁଲୁଙ୍କର ହସ୍ପିଟାଲ୍ରେ ମୃତ୍ୟୁ ଘଟିଥିଲା। ଘଟଣା ପରେ ୨ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ। ପୁଲିସ ସେମାନଙ୍କ ସିଡିଆର୍ ଯାଞ୍ଚ କରିକରି ପିଛାକରୁଥିଲା।
ସେମାନେ ବାରମ୍ବାର ସ୍ଥାନ ବଦଳାଉଥିଲେ। କିନ୍ତୁ ପୁଲିସ ପିଛା ଛାଡ଼ୁ ନଥିବାରୁ ରାଜ୍ୟ ବାହାରକୁ ଖସିଯିବା ପାଇଁ ସେମାନଙ୍କ ବାଟ ବନ୍ଦ ହୋଇଯାଇଥିଲା। ଏହା ଭିତରେ ପୁଲିସ ପଦିଆ ଓ ଗଣେଶଙ୍କ କିଛି ଘନିଷ୍ଠ ସାଙ୍ଗଙ୍କୁ ଘନଘନ ଜେରା କରି ସେମାନଙ୍କ ଆତ୍ମଗୋପନ ସ୍ଥାନ ବାବଦରେ ସୁରାକ ପାଇଥିଲା। ଆଜି ଅପରାହ୍ଣରେ ପୁଲିସ ଉକ୍ତ ସ୍ଥାନରେ ଚଢ଼ଉ କରି ସେମାନଙ୍କୁ ଉଠାଇଛି। ସେମାନଙ୍କୁ ଧରିବା ପରେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପୁଲିସକୁ କିଛି ତଥ୍ୟ ମିଳିଛି। ଆଜି ଗଣେଶ ପୁଲିସକୁ ହତ୍ୟାକାଣ୍ଡର କାରଣ କହିଥିବା ସୂଚନା ମିଳିଛି। କୁହା ଗାଁର ଜିତୁ ଓ ଗଣେଶ ପଡ଼ୋଶୀ ହେଲେ ମଧ୍ୟ ବହୁ ଦିନ ହେଲା ଦୁଇ ପରିବାର ମଧ୍ୟରେ ଜମିବାଡ଼ି ସଂକ୍ରାନ୍ତୀୟ ବିବାଦ ରହିଛି। ତେଣୁ ଜିତୁ ଓ ଗଣେଶ ମଧ୍ୟରେ ପୂର୍ବରୁ ବହୁଥର ଗଣ୍ଡଗୋଳ ହୋଇଥିଲା। କିନ୍ତୁ ଜିତୁର ଆପରାଧିକ ପୃଷ୍ଠଭୂମି ବେଶ୍ ଦୃଢ଼ ଥିବାରୁ ଗଣେଶ ତାକୁ ଟକ୍କର ଦେଇପାରୁନଥିଲା। ଜିତୁ ନାଁରେ ୬ରୁ ଅଧିକ ମାମଲା ଥିଲା ଏବଂ ସେ ବାରମ୍ବାର ଜେଲ୍ ଯାଇଥିଲା। ଏମିତିରେ ତାକୁ ଆପାର୍ଟମେଣ୍ଟ ବାସିନ୍ଦାମାନେ ଭୟ କରୁଥିଲେ।
ଏହା ଭିତରେ ଜିତୁର ସାଙ୍ଗ କେନ୍ଦ୍ରାପଡ଼ାର ଜୁଲୁ ନିକଟସ୍ଥ ଆପାର୍ଟମେଣ୍ଟ ପାଚେରିକୁ ଲାଗି ଚିକେନ୍ କାଉଣ୍ଟର କଲା। ଜିତୁ ଚିକେନ୍ କାଉଣ୍ଟର ପାଖରେ କାର୍ ପାର୍କିଂ କରୁଥିଲା। ଫଳରେ ଆପାର୍ଟମେଣ୍ଟ ବାସିନ୍ଦାମାନେ ଯାତାୟାତ କରିବାକୁ ସମସ୍ୟାରେ ପଡ଼ୁଥିଲେ ମଧ୍ୟ ଭୟରେ ବିରୋଧ କରିପାରୁ ନଥିଲେ। କିଛି ଦିନ ପୂର୍ବେ ଆପାର୍ଟମେଣ୍ଟ ବାସିନ୍ଦାମାନେ ଗଣେଶକୁ ସିକ୍ୟୁରିଟି ସୁପରଭାଇଜର୍ଭାବେ ନିଯୁକ୍ତି ଦେଲେ। ଜିତୁକୁ ଟକ୍କର ଦେବା ଲାଗି ଗଣେଶକୁ ଏଭଳି ଏକ ମଉକା ଆବଶ୍ୟକ ଥିଲା। ଆପାର୍ଟମେଣ୍ଟ ସୁରକ୍ଷାରେ ନିଯୁକ୍ତି ପାଇବା ପରେ ଗଣେଶ କାର୍ ପାର୍କିଂ ନ କରିବାକୁ ଜିତୁକୁ କହିଲା। ଏହାକୁ ନେଇ ସେମାନଙ୍କ ଭିତରେ ଥିବା ପୂର୍ବ ବିବାଦ ବଢ଼ିବଢ଼ି ଚାଲିଲା। ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ଧମକଚମକ ଦେଇ ଡରାଇ ଆସୁଥିବା ଜିତୁର ପତିଆରା ଗଣେଶ ପାଇଁ କମିବାକୁ ଲାଗିଲା। ଏହା ଜିତୁ ପାଇଁ ଅସହ୍ୟ ଥିଲା। ସେହିଭଳି ଜୁଲୁ ପାଇଁ ମଧ୍ୟ ସମସ୍ୟା ବଢ଼ିଥିଲା। ଆପାର୍ଟମେଣ୍ଟ ପାଚେରି କଡ଼ରୁ ଚିକେନ୍ କାଉଣ୍ଟର ଉଠାଇବାକୁ ପଡ଼ିବ ବୋଲି ସେ ଆଶଙ୍କା କରୁଥିଲା। ଏମିତି ଛକାପଞ୍ଝା ଭିତରେ ୭ ତାରିଖ ସନ୍ଧ୍ୟାର କଳି ବଢ଼ିଗଲା। ଜେଲ୍ରୁ ଜାମିନରେ ଆସିଥିବା ଜିତୁ କାର୍ ପାର୍କିଂ କଲାବେଳେ ଗଣେଶ ତାକୁ ମନା କଲା। ଏହାକୁ ନେଇ ସେମାନଙ୍କ ଭିତରେ ପାଟିତୁଣ୍ଡ ହେଲା। ପ୍ରଥମେ ବଚସା ଓ ପରେ ହାତାହାତି ଯାଏଁ କଥା ବଢ଼ିଗଲା। ଜିତୁ ଓ ଜୁଲୁ ଏକ ବାଉଁଶରେ ଗଣେଶକୁ ପିଟିପକାଇଲେ। ୨ଜଣଙ୍କଠାରୁ ମାଡ଼ ଖାଇବା ପରେ ଗଣେଶ ହିଂସ୍ର ହୋଇଉଠିଥିଲା। ସେ ତୁରନ୍ତ ତା’ର ବଡ଼ବାପା ପୁଅ ପଦିଆକୁ ଫୋନ୍ କରି ଡକାଇଲା। ଗଣେଶ ମାଡ଼ ଖାଇଥିବା ଶୁଣୁଶୁଣୁ ପଦିଆ ଘଟଣାସ୍ଥଳକୁ ଧାଇଁ ଆସିଥିଲା। ଦୁଇ ଭାଇ ଏକାଠି ହେବା ପରେ ପୁଣି ଗଣ୍ଡଗୋଳ ଆରମ୍ଭ ହୋଇଗଲା। ବାଉଁଶରେ ପିଟା ଖାଇ ରାଗରେ ଜଳୁଥିବା ଗଣେଶ ରକ୍ତମୁଖା ହୋଇଯାଇଥିଲା। ତେଣୁ ସେ ଧାଇଁଯାଇ ଜୁଲୁ ଚିକେନ୍ କାଉଣ୍ଟରରୁ ଛୁରି ଆଣି ଜିତୁକୁ ଭୁସି ପକାଇଲା। ଜିତୁକୁ ବଞ୍ଚାଇବାକୁ ଜୁଲୁ ଆଗେଇ ଆସିବାରୁ ଗଣେଶ ତାକୁ ମଧ୍ୟ ଭୁସି ପକାଇଲା। ‘ହାତ ଉଠାଇବାରୁ ସବୁଦିନ ପାଇଁ ତାକୁ ଉଠାଇଦେଲୁ’ ବୋଲି ଗଣେଶ ପୁଲିସକୁ କହିଥିବା ଜଣାପଡ଼ିଛି।