ଜାତୀୟ ଶିକ୍ଷାନୀତିରେ ସାମିଲ ହେବ କୁଇ ଭାଷା

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘୋଷଣା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖୋଲିବ ନୂଆ ପାଠ୍ୟକ୍ରମ

କୋରାପୁଟ / ସେମିଳିଗୁଡ଼ା : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆରେ ଓଡ଼ିଶା ଦିବସ ପାଳନ କରିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। କୁଇ ସହ ଅନ୍ୟ ଆଦିବାସୀଙ୍କ କଥିତ ଭାଷାକୁ ଜାତୀୟ ଶିକ୍ଷାନୀତିରେ ଅଗ୍ରାଧିକାର ଭିତ୍ତିରେ ଯୋଡ଼ାଯିବ। ନୂଆ ଶିକ୍ଷାନୀତି ଅନୁଯାୟୀ, ପିଲାଙ୍କୁ କୁଇ ଭାଷାରେ ପ୍ରାକ୍‌ ଓ ପ୍ରାଥମିକ ଶିକ୍ଷାଦାନ କରାଯିବ। ଫାଟୁସିନେରି ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରର ପ୍ରାକ୍‌ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭେଟିବା ପରେ ଏହା ହୃଦ୍‌ବୋଧ କରିଛନ୍ତି। ସେମାନେ ଓଡ଼ିଶା କହିବାକୁ ଅସମର୍ଥ। କିନ୍ତୁ କୁଇ ଭାଷାକୁ ଭଲ ରୂପେ ବୁଝୁଛନ୍ତି ଏବଂ କହିପାରୁଛନ୍ତି। ପିଲାଙ୍କ ସହ କଥାବାର୍ତ୍ତା ପରେ ଆଦିବାସୀ ଭାଷାକୁ ଶିକ୍ଷା ସହ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ପ୍ରଧାନ କହିଛନ୍ତି।

କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ କୋଟିଆବାସୀଙ୍କୁ ଶ୍ରୀ ପ୍ରଧାନ ସମ୍ବୋଧିତ କରିଥିଲେ। କୁଇ ସହ ଅନ୍ୟ ଆଦିବାସୀ କେବଳ କୋରାପୁଟ କିମ୍ବା ଓଡ଼ିଶା ନୁହେଁ ସାରା ଦେଶରେ ସଂପ୍ରସାରିତ ହେବ। ଏଥିପାଇଁ ତୃଣମୂଳ ସ୍ତରର ଶିକ୍ଷା ବ୍ୟବସ୍ଥାରେ ଲାଗୁ କରିବାକୁ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ଓ ଶିକ୍ଷାବିତ୍‌ଙ୍କ ସହ ଆଲୋଚନା ଓ ପରାମର୍ଶକ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏଥିପାଇଁ ସେ ନିଜେ ଦାୟିତ୍ବ ନେବେ ବୋଲି କୋଟିଆବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ରାୟଗଡ଼ା ଭଳି ପ୍ରକ୍ରିୟାକରଣ ୟୁନିଟ୍‌ ଓ ଫୁଡ୍‌ପାର୍କ କୋରାପୁଟରେ ସ୍ଥାପନ କରାଯିବ। ଏହି ପ୍ରକ୍ରିୟାକରଣ ୟୁନିଟ୍‌ରେ ଷ୍ଟ୍ରେବରିରୁ ଜେଲି ପ୍ରସ୍ତୁତ କରାଯିବ।

କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ସର୍ବଶ୍ରେଷ୍ଠ କରିବାକୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ବିଦ୍ୟାଳୟରେ ନୂଆ ପାଠ୍ୟକ୍ରମ ଆରମ୍ଭ କରାଯିବ। ପିଲାଙ୍କୁ ଆଦିବାସୀ ଭାଷାରେ ପଢ଼ିବା ତଥା ଗବେଷଣ କରିବାକୁ ସୁଯୋଗ ମିଳିବ। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସୁନାବେଡ଼ା ସ୍ଥିତ କ୍ୟାମ୍ପସ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କୁଳପତି ଡ. ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର