କୁଜଙ୍ଗ ଅମୃତ ଦାଶ ହତ୍ୟା ମାମଲା: ପୁନଃ ତଦନ୍ତ ପାଇଁ ପରିବାରବର୍ଗଙ୍କ ଓଏଚ୍ଆର୍‌ସିରେ ଆବେଦନ

୨୭ରେ ଓଏଚ୍‌ଆରସିଙ୍କ ଶୁଣାଣି

ଭୁବନେଶ୍ବର : ପାରାଦୀପରେ ଇଞ୍ଜିନିୟର୍‌ ଭାବେ କାର୍ଯ୍ୟ କରୁଥିବା ଅମୃତ ଦାଶଙ୍କ ହତ୍ୟା ଘଟଣାର ପୁନଃ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର। ଆଜି ରାଜ୍ୟ ମାନବାଧିକାର କମିସନ(ଓଏଚ୍‌ଆରସି)ରେ ଥିବା ଶୁଣାଣିରେ ପରିବାର ପକ୍ଷରୁ ଦାଖଲ ହୋଇଥିବା ପିଟିସନ୍‌ରେ ଏଭଳି ଦାବି କରାଯାଇଛି। ମାମଲାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ। ଏହାର ପୁନଃତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କମିସନ୍‌ ପ୍ରତିଶ୍ରୁତି ଦେଇଛନ୍ତି।

ପୂର୍ବରୁ ମାମଲାର ତଦନ୍ତ ଓଏଚ୍‌ଆରସି ନିଜର ଅନୁସନ୍ଧାନ ବିଭାଗ ଦ୍ବାରା କରିଥିଲେ। କମିସନଙ୍କ ପକ୍ଷରୁ ତଦନ୍ତକାରୀ ଅଧିକାରୀ କ୍ଷେତ୍ରମୋହନ ବେହେରା ଘଟଣାସ୍ଥଳକୁ ଯାଇଥିଲେ। ମୃତକଙ୍କ ମା’ ସୁଲୋଚନାଙ୍କୁ ପଚରାଉଚରା କରିଥିଲେ। କିନ୍ତୁ ହତ୍ୟାକାଣ୍ଡର ବଳିଷ୍ଠ ସାକ୍ଷୀ କୁହାଯାଉଥିବା ମୃତକଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ କଲେ ନାହିଁ। ବରଂ ଜଗତସିଂହପୁର ଏସ୍‌ପିଙ୍କ ରିପୋର୍ଟକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରିଦେଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ସେଥିପାଇଁ ଘଟଣାର ପୁନଃ ତଦନ୍ତ ହେଉ ବୋଲି ନୂଆ ପିଟିସନ୍‌ରେ ପରିବାର ପକ୍ଷରୁ ପ୍ରାର୍ଥନା କରାଯାଇଛି। ପୂର୍ବରୁ ତଦନ୍ତ କରୁଥିବା ପୁଲିସ ତଦନ୍ତକାରୀ ଅଫିସରଙ୍କ କଥାରେ ପ୍ରଭାବିତ ହୋଇ ଓଏଚ୍‌ଆରସି ଟିମ୍‌ ଏଭଳି କରିଥିବା ସେମାନେ ଅଭିଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, କୁଜଙ୍ଗର ଯୁବ ଇଞ୍ଜିନିୟର ଅମୃତ ଦାଶଙ୍କୁ ଗତ ୨୦୧୯ ମସିହା ଜୁଲାଇ ୨୦ ତାରିଖରେ ତିର୍ତ୍ତୋଲ ବାଲିପାଟଣା ନିକଟରେ ମୃତ୍ୟୁ ଘଟିଥିଲା। ୧୦ରୁ ୧୨ଜଣ ମିଶି ତାଙ୍କୁ ଅତି ଜଘନ୍ୟ ଭାବରେ ହତ୍ୟା କରିଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ। ଏ ବାବଦରେ କୁଜଙ୍ଗ ଏବଂ ତିର୍ତ୍ତୋଲ ଥାନାରେ ମକଦ୍ଦମା ହୋଇଥିଲା। ଜଗତସିଂହପୁର ପୁଲିସ ଏହାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇବାରୁ ମାମଲା ଉଗ୍ରରୂପ ନେଇଥିଲା। ପୁଲିସର ଉଦାସୀନତା ବିରୋଧରେ ସୁଲୋଚନା ଓ ତାଙ୍କ ସାନପୁଅ ସୁବ୍ରତ ୨୦୨୦ ନଭେମ୍ବର ୨୮ ତାରିଖରେ ଲୋକସେବା ଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର