କୁଜଙ୍ଗ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘେରିଲା ବିଜେପି

ଭୁବନେଶ୍ବର : ରାଜ୍ୟରେ ନାରୀ ନିର୍ଯାତନା, ମହିଳା ଓ ନାବାଳିକା ଦୁ୍ଷ୍କର୍ମ ଭଳି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି। ବହୁ ଚର୍ଚ୍ଚିତ ସ୍ମିତାରାଣୀ, ବେବିନା, ଇତିଶ୍ରୀ ଆଦି ଅଧିକାଂଶ ଘଟଣାରେ ଶାସକ ବିଜେଡି ଦଳର ସଂପୃକ୍ତି ପ୍ରମାଣିତ ହୋଇଛି। ଅନ୍ୟ ପଟେ ରାଜ୍ୟ ସରକାର ୫-ଟି ଏବଂ ମୋ ସରକାରକୁ ବ୍ୟବହାର କରି ‘ଦୁଷ୍କର୍ମ ଏବଂ ହତ୍ୟା’ ଭଳି ନାରକୀୟ ଘଟଣାକୁ ଆତ୍ମହତ୍ୟାର ରୂପ ଦେଉଛନ୍ତି ବୋଲି ବରିଷ୍ଠ ବିଜେପି ନେତା ବିଭୁ ପ୍ରସାଦ ତରାଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଶ୍ରୀ ତରାଇ କହିଛନ୍ତି, ଗତ ନଭେମ୍ବର ୧୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ଚୁନବାଲାରି ଗ୍ରାମର ଜଣେ ୧୮/୧୯ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଗଲା। ମୃତଦେହକୁ ତିେର୍ତ୍ତାଲ ଅଞ୍ଚଳର ବନ୍ଧବାଟୀ ରେଲୱେ ଟ୍ରାକ୍‌ ନିକଟରୁ ଉଦ୍ଧାର କରାଯାଇଥିଲା। ମୃତ ଶୁଭଲକ୍ଷ୍ମୀର ବାପା ସ୍ଥାନୀୟ ଥାନାରେ ହତ୍ୟା ହୋଇଥିବା ବିଷୟରେ ଏତଲା ଦେଇଥିଲେ। ମାତ୍ର ଏତଲାକୁ ଗ୍ରହଣ ନକରି ଥାନାଧିକାରୀ ଏହାକୁ ଅପମୃତ୍ୟୁ ମାମଲା ଭାବେ ଗ୍ରହଣ କରିଥିଲେ । ପରବର୍ତୀ ସମୟରେ ପୀଡ଼ିତାଙ୍କ ବାପା ଏସପିଙ୍କୁ ଲିଖିତ ଏତଲା ଦେବା ପରେ ଗତ ନଭେମ୍ବର ୨୪ ତରିଖ ଦିନ ମୁଖ୍ୟ ଅଭିଯୁକ୍ତ ଶୁଭ୍ରାଂଶୁ ବିଶ୍ବାଳ ଏବଂ ଶାନ୍ତିଲତା ଭୋଇଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ ହୋଇଥିଲା। ଏହି ହତ୍ୟାକାଣ୍ଡର ୧ ମାସ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବା ତ ଦୂରର କଥା, ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉନାହିଁ। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହେବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ବିଜେପି ଅଭିଯୋଗ କରିଛି, ଏ ଘଟଣାରେ ପୀଡ଼ିତାର ପିତାମାତା ପୁଲିସ ମହାନିର୍ଦ୍ଦେଶକ ଏବଂ ରାଜ୍ୟ ମାନବାଧିକାର କମିସନଙ୍କୁ ଭେଟିଥିଲେ। ତଥାପି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ଅପରପକ୍ଷେ ମୁଖ୍ୟ ଅଭିଯୁକ୍ତଙ୍କୁ ଶାସକ ଦଳ ସୁରକ୍ଷା ଯୋଗାଇ ଦେଉଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆସନ୍ତା ୧୮ ତାରିଖରେ ପାରାଦୀପ ନିକଟସ୍ଥ ବଗଦିଆଠାରେ ରେଳରୋକ କରାଯିବା ସହ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ତରାଇ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର