କୁକୁଡାଗେଟ୍‌ ଆର୍‌ଓବି ନିର୍ମାଣ କାମକୁ ବିରୋଧ, ପୁଲିସ ମୁତୟନ

ରାଉରକେଲା: ମୁମ୍ବାଇ-ହାୱଡା ମୁଖ୍ୟ ମାର୍ଗରେ ହେବାକୁ ଥିବା ୯ ରେଳ ଓଭର ବ୍ରିଜ୍‌ (ଆର୍‌ଓବି) ମଧ୍ୟରୁ ଏବେ ୨ଟିର କାମ ଆରମ୍ଭ ହୋଇନି। ବିବାଦ ଯୋଗୁ ବହୁ ବର୍ଷ ପରେ ଆରମ୍ଭ ହୋଇଥିବା ବହୁ ପ୍ରତିକ୍ଷୀତ ବନ୍ଧମୁଣ୍ଡା- ବିଶ୍ରା ମୁଖ୍ୟ ମାର୍ଗସ୍ଥ କୁକୁଡା ଗେଟ୍‌ ରେଳ ଓଭରବ୍ରିଜ (ଆର୍‌ଓବି) ନିର୍ମାଣ କାମକୁ ପୁଣି ବିରୋଧ କରାଯାଇଛି। ଥରେ ନୁହେଁ ନିର୍ମାଣ ଆରମ୍ଭରୁ ଏମିତି ବାରମ୍ବାର ବିରୋଧ କରାଯାଇ ଆସୁଛି। ବିସ୍ଥାପିତ ପରିବାର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନାର କୌଣସି ନିଷ୍କର୍ସ ବାହାରିପାରୁ ନଥିବାରୁ କୁକୁଡା ଗେଟ୍‌ ଆର୍‌ଓବି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବାକୁ ନେଇ ଉଠିଛି ପ୍ରଶ୍ନବାଚୀ।

ଆଜି  ବିରୋଧରେ ସତ୍ବେ କଡା ସୁରକ୍ଷା ମଧ୍ୟରେ ବିବାଦିତ ଜାଗାରେ ଆର୍‌ଓବି କାମ ଜାରି ରହିଛି।  ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି  ଚାଲିଥିବା କାମକୁ  ବିରୋଧ କରିଥିଲେ। ବନ୍ଧମୁଣ୍ଡା ଆଞ୍ଚଳିକ ସୁରକ୍ଷା କମିଟି ବିବାଦିତ ଜାଗାରେ ଧାରଣାରେ ବସି ପ୍ରତିବାଦ କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଥମେ ବିସ୍ଥାପିତଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବା ପରେ ନିର୍ମାଣ କାର୍ଯ୍ୟ କରିବାକୁ  ଜିଦ୍‌ ଧରିଥିଲେ। ବନ୍ଧମୁଣ୍ଡା ଆଞ୍ଚଳିକ ସୁରକ୍ଷା କମିଟିର ବରିଷ୍ଠ ସଦସ୍ୟ କହିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ଆଦବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ଆଦିବାସୀଙ୍କ ହକ୍‌ ଦାବି ପୂରଣ ପାଇଁ ପଛ ଘୁଞ୍ଚା ଦେଉଛନ୍ତି। ଯେ ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ସେମାନଙ୍କର ହକ୍‌ ନ ମିଳିଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପୁଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ପହଞ୍ଚି ଉତ୍ତେଜିତ ବିସ୍ଥାପିତଙ୍କୁ ବୁଝାସୁଝା କରିଥିଲେ। ମାତ୍ର ବିସ୍ଥାପିତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିଥିବ ବୋଲି ଚେତାବନୀ ଦେଇଥିଲେ। ବିବାଦିତ ଜମି  ଆର୍‌ଓବି ନିର୍ମାଣ ପାଇଁ ଟେଣ୍ଡର ସରିଥିଲା। ମାତ୍ର ସ୍ଥାନୀୟ  ବିସ୍ଥାପିତଙ୍କ କଡାବିରୋଧ ଯୋଗୁ ନିର୍ମାଣ କାମ ଆଗେଇ ପାରୁ ନଥିଲା। ଏବେ କୁକୁଡା ଗେଟ୍‌ ଆର୍‌ଓବି ନିର୍ମାଣ ଜିଲ୍ଲା ପ୍ରଶାସନ ପାଇଁ ଚାଲେଞ୍ଜ ହୋଇଛି। ସେପଟେ କୁକୁଡା ଗେଟ୍‌ ଆର୍‌ଓବି ନିର୍ମାଣକୁ ସ୍ଥାନୀୟ ଅଞ୍ଚଳ ଅଧିକାଂଶ ଲୋକ ସ୍ବାଗତ କରିଛନ୍ତି।

ସେମାନେ କହିଛନ୍ତି, ଯାତାୟତ ସମସ୍ୟା ଓ ଟ୍ରାଫିକ୍‌ ବ୍ୟବସ୍ଥାର ସ୍ଥାୟୀ ସମାଧାନ ପାଇ କୁକୁଡା ଗେଟ୍‌ ଆର୍‌ଓବିର ଆବଶ୍ୟକତା ରହିଛି। ଆର୍‌ଓବି ନିର୍ମାଣ ହେଲେ ବନ୍ଧମୁଣ୍ଡା -ବିଶ୍ରା ମଧ୍ୟରେ ଯାତାୟତ ସୁଗମ ହେବ। ଘଣ୍ଟା ଘଣ୍ଟା ଧରି ଜାମ ରହୁଥିବା ବନ୍ଧମୁଣ୍ଡା-ବିଶ୍ରା ମୁଖ୍ୟ ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇପାରିବ। କେବଳ ଏତିକି ନୁହେଁ, ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ, ସ୍କୁଲ ଛାତ୍ରଛାତ୍ରୀ ବିଶେଷ କରି ଗୁରୁତ୍ବପୂର୍ଣ୍ଣ କାମରେ ବିଶ୍ରା ସମେତ ଅନ୍ୟାନ୍ୟ ସ୍ଥାନକୁ ଯାଉଥିବା ଶହ ଶହ ଲୋକ ବିଶେଷ ଉପକୃତ ହୋଇପାରିବେ। ଉଲ୍ଲେଖଯୋଗ୍ୟ, ବହୁ ବାଦବିବାଦ ପରେ ବାସନ୍ତି କଲୋନି, ଏସ୍‌ଟିଆଇ ଓ ଆଇଟିଆଇ ଆର୍‌ଓବି କାମ ଶେଷ ହୋଇଛି। କଲୁଙ୍ଗାରେ ଦୁଇଟି ଆର୍‌ଓବି ନିର୍ମାଣ କାମ କଚ୍ଛପ ଗତିରେ ଚାଲିଛି। ବସ୍ତି ଉଚ୍ଛେଦ ହୋଇପାରୁ ନଥିବାରୁ ମାଲଗୋଦାମରେ ଆର୍‌ଓବି କାମ ଆରମ୍ଭ ହୋଇପାରୁନି।

ସମ୍ବନ୍ଧିତ ଖବର