ଭିଜିଲାନ୍ସ ଜାଲରେ କୁକୁଡ଼ାଖଣ୍ତି ଜୁନିୟର କଲେଜ ଅଧ୍ୟକ୍ଷ, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ଲାଞ୍ଚ ନେଇ ଧରାପଡ଼ିଲେ ବ୍ଲକ୍‌ ସାଧନ ସଂଯୋଜକ

ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ତି ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ(ଭାରପ୍ରାପ୍ତ) ଏମ୍‌.ଟୁନା ପାତ୍ର ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ବୋଲି ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଶାନ୍ତନୁ ପାଢ଼ୀ ସୂଚନା ଦେଇଛନ୍ତି।

କୁକୁଡ଼ାଖଣ୍ତି ଜୁନିୟର କଲେଜର ଅଧ୍ୟକ୍ଷ ଅବସର ଗ୍ରହଣ କରିବା ଓଡ଼ିଆ ବିଭାଗ ଅଧ୍ୟାପକ ଏମ୍‌.ଟୁନା ପାତ୍ର ଅଧ୍ୟକ୍ଷ ଦାୟିତ୍ବରେ ରହିଛନ୍ତି। କଲେଜର ପଦାର୍ଥ ବିଜ୍ଞାନ ବିଭାଗ ଡେମନ୍‌ଷ୍ଟ୍ରେଟର୍‌ ବସନ୍ତ କୁମାର ଜେନା ନିଜ ଜିପିଏଫ୍‌ ଉଠାଣ ଓ ଏମ୍‌.ଏ.ସି.ପି କରିବା ନିମନ୍ତେ ଅଧ୍ୟକ୍ଷ ଶ୍ରୀ ପାତ୍ରଙ୍କୁ କହିଥିଲେ। ଶ୍ରୀ ପାତ୍ର ଏଥିପାଇଁ ଶ୍ରୀ ଜେନାଙ୍କଠାରୁ ୧୫ ହଜାର ଟଙ୍କା ଦାବି କରିଥିଲେ। ଉପାୟଶୂନ୍ୟ ହୋଇ ଶ୍ରୀ ଜେନା ଗତକାଲି ବ୍ରହ୍ମପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଡେମନ୍‌ଷ୍ଟ୍ରେଟର୍‌ ଶ୍ରୀ ଜେନା ଅପରାହ୍‌‌ଣ ୩ଟା ୩୦ରେ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ୧୫ହଜାର ଟଙ୍କା ପ୍ରଦାନ କରିଥିଲେ। ଶ୍ରୀ ପାତ୍ର ଟଙ୍କା ଧରିବା କ୍ଷଣି ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲେ। ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚୁରା ଚାଲିଛି। ଅଧ୍ୟକ୍ଷ ଶ୍ରୀ ପାତ୍ରଙ୍କ ନିଜ ଘର ଶେରଗଡ଼ ଥାନା କୁରୁଳା ଗ୍ରାମରେ ହୋଇଥିବା ବେଳେ କୁକୁଡ଼ାଖଣ୍ତି ସୂର୍ଯ୍ୟନଗରରେ ଘର ଭଡ଼ା ନେଇ ରହୁଛନ୍ତି। ଭିଜିଲାନ୍ସ ଟିମ୍‌ କଲେଜରୁ ଆବଶ୍ୟକ କାଗଜପତ୍ର ଜବତ କରିଛି। ଏଥିସହ ସେ ରହୁଥିବା କୁକୁଡ଼ାଖଣ୍ତି ଭଡ଼ା ଘର ଉପରେ ଚଢ଼ଉ କରିଛି।

ଲାଞ୍ଚ ନେଇ ଧରାପଡ଼ିଲେ ବ୍ଲକ୍‌ ସାଧନ ସଂଯୋଜକ
ବରଗଡ଼ : ଲାଞ୍ଚ ନେ‌ବାବେଳେ ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ୍‌ର ସାଧନ ସଂଯୋଜକ (ରିସୋର୍ସ କୋଅର୍ଡିନେଟର୍‌) କୈଳାସ ଚନ୍ଦ୍ର ପାଣ୍ଡେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୋଗ ଅନୁସାରେ, ସ୍ବଚ୍ଛ ଭାରତ ଯୋଜନାରେ ଭେଡ଼େନ ବ୍ଲକ୍‌ ଗୁଠୁର୍ଲା ଗାଁର ବୁଦ୍ଧଦେବ ଦାସ ନିର୍ମାଣ କରିଥିବା ପାଇଖାନାର ପ୍ରମାଣପତ୍ର ଦେବାକୁ ଶ୍ରୀ ପାଣ୍ଡେ ୩୩ ହଜର ଟଙ୍କା ଦାବି କରିଥିଲେ। ଏ ନେଇ ବୁଦ୍ଧଦେବ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ। ଯୋଜନା ମୁତାବକ ଗୁରୁବାର ୩୩ ହଜାର ଟଙ୍କା ନେଇ ସେ ଗାଇସିଲାଟ୍‌ ପହଂଚିଥିଲେ। ସେଠାରେ ସେ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିବା ସହ ରସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରିଥିଲା। ଗାଇସିଲାଟ୍‌ସ୍ଥିତ ଶ୍ରୀ ପାଣ୍ଡେଙ୍କ ଭଡ଼ାଘର ଏବଂ ବଲାଂଗୀର ଜିଲ୍ଲା ଇଂସା ଗାଁସ୍ଥିତ ପୈତୃକ ଗାଁରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି।

ସମ୍ବନ୍ଧିତ ଖବର