ବୈପାରିଗୁଡ଼ା(ଅମରେନ୍ଦ୍ର ପରିଚ୍ଛା): କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଠାରେ ରହିଛି ବହୁ ପର୍ଯ୍ୟଟନ ସ୍ଥଳୀ। ସେଥିମଧ୍ୟରୁ ପ୍ରସିଦ୍ଧ ଗୁପ୍ତେଶ୍ବର, ଶିରିବେଡା, ବାଙ୍କୁଲି, ଗୁମ୍ମାଝରଣକୁ ଛାଡ଼ି ଦେଲେ ଅନ୍ୟ ସ୍ଥାନଗୁଡ଼ିକ ଲୁକାୟତ ଅବସ୍ଥାରେ ରହିଛି। ଅତି କମ୍ ଲୋକ ଏହିଭଳି ପର୍ଯ୍ୟଟନସ୍ଥଳ ସଂପର୍କରେ ଅବଗତ ଥାଆନ୍ତି। ବୈପାରିଗୁଡ଼ା ବ୍ଲକର ଚିପାକୁର ପଞ୍ଚାୟତର କୁଲାବେଡ଼ା ଠାରେ ରହିଛି ଅପୂର୍ବ ସୌନ୍ଦର୍ଯ୍ୟ ଭରା ଜଳପ୍ରପାତ। କିଛି ବର୍ଷ ପୂର୍ବରୁ ଏହି ଜଙ୍ଗଲ ଭିତରେ ମାଓବାଦୀମାନେ ଚଳପ୍ରଚଳ ହେଉଥିଲେ। ଦିନକୁ ଦିନ ମାଓଦୁର୍ଗ ଭୁଶୁଡ଼ିବାରେ ଲାଗିବାରୁ ଏବେ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସୁଛନ୍ତି। ତେଣୁ ଧୀରେଧୀରେ ଏହା ଲୋକଲୋଚନକୁ ଆସୁଛି। ପ୍ରାୟ ୪୦ ଫୁଟ ପାହାଡ଼ ଉପରୁ ତଳକୁ ପାଣି ପଡ଼ିବାର ଦୃଶ୍ୟ ଅତି ଚମତ୍କାର। ଏଥିସହ ଏହାର ପରିବେଶ ବେଶ ମନଛୁଆଁ। ଏହାକୁ ବଣ‌େଭୋଜି ସ୍ଥଳ ଭାବେ ସ୍ଥାନୀୟ ଅଂଚଳର ଲୋକେ ବ୍ୟବହାର କରୁଛନ୍ତି। ଏବେ ପର୍ଯ୍ୟଟନ ଋତୁ ଆସିଥିବାରୁ ଧୀରେଧୀରେ ଏହି ଅନନ୍ୟ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଲୋକେ ଏହାର ଠିକଣା ନେଇ ଏଠାରେ ପହଞ୍ଚୁଛନ୍ତି।

Advertisment

କୁଲାବେଡା ଜଳପ୍ରପାତ ନିକଟରେ ପହଞ୍ଚିବାକୁ ହେଲେ ବୈପାରିଗୁଡା ଠାରୁ କାଠପଡ଼ା ପଞ୍ଚାୟତ ହୋଇ ପ୍ରାୟ ୨୫ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡ଼ିଥାଏ। ଦୁଇ ଚକିଆ ଗାଡ଼ିରେ କିଛି ରାସ୍ତା ଯାଇ ହେବ। ତା’ ପରେ ଚାଲିଚାଲି ଜଳପ୍ରପାତକୁ ଯିବେ। କିନ୍ତୁ ବହୁ କଷ୍ଟ କରି ଜଳପ୍ରପାତ ନିକଟରେ ପହଞ୍ଚିଲା ପରେ ୪୦ ଫୁଟ ଉଚ୍ଚରୁ ଖସୁଥିବା ପାଣି ଦେଖି ପର୍ଯ୍ୟଟକମାନେ ଖୁସି ହୋଇଯାଆନ୍ତି। ଏହି ଜଳପ୍ରପାତ ସଂପକରେ ସରକାର ଓ ସ୍ଥାନୀୟ ପ୍ରଶାସନ ପାଖରେ ସୂଚନା ଅଛି କି ନାହିଁ, ତାହା ଜଣା ନାହିଁ। କିନ୍ତୁ ଗମନାଗମନର ସୁବ୍ୟବସ୍ଥା ପାଇଁ ପର୍ଯ୍ୟଟକମାନେ ଏହାର ବିକାଶ ଚାହାଁନ୍ତି। 

publive-image

କୁଲାବେଡ଼ା ଜଳପ୍ରପାତ ନିକଟରେ ପହଞ୍ଚିବାକୁ ହେଲେ ବୈପାରିଗୁଡା ଠାରୁ କାଠପଡ଼ା ପଞ୍ଚାୟତ ହୋଇ ପ୍ରାୟ ୨୫ କିଲୋମିଟର ଦୂର ଯିବାକୁ ପଡ଼ିଥାଏ। କୁଲାବେଡ଼ା ପହଞ୍ଚିବାର ଏକ କିଲୋମିଟର ପୂର୍ବରୁ ଡାହଣ ପଟେ ଏକ ଛୋଟିଆ ରାସ୍ତାରେ ଜଂଗଲ ଭିତରକୁ ଯିବାକୁ ପଡ଼େ। ତେବେ କୁଲାବେଡାକୁ ଯାଉଥିବା ମୁଖ୍ୟରାସ୍ତାରୁ ପ୍ରାୟ ଦୁଇ କିଲୋମିଟର ଯିବାକୁ ପଟେ। କୌଣସି ଚାରି ଚକିଆ ଯାନବାହାନ ଏଠାରେ ପହଞ୍ଚିପାରେ ନାହିଁ। କେବଳ ଦୁଇ ଚକିଆରେ ହିଁ କିଛି ଦୁର ଗଲାପରେ ଅଟକିଯାଏ। ପୁଣି ସେଠାରୁ ପ୍ରାୟ ଦେଢ କିଲୋମିଟର ଚାଲିବାକୁ ହୋଇଥାଏ।ଜଂଗଲ ଭିତର ଦେଇ ଜଳପ୍ରପାତ ନିକଟରେ ପହଞ୍ଚିବାକୁ ପଡ଼େ। ଜଂଗଲ ଭିତରେ ଚାଲି ଚାଲି ଗଲାବେଳେ ଭୟ ଲାଗେ। କିନ୍ତୁ ମଜା ଲାଗେ।

ଏ ସଂପର୍କରେ ଏଠାକୁ ବୁଲି ଆସିଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ସତ୍ୟ ମହାନ୍ତି, ପ୍ରସାଦ ପାତ୍ର, ପ୍ରଶାନ୍ତ ସାହୁ, ଲାଲୁ ସ୍ବାବୀ, କିଶୋରୀ ଗୁପ୍ତାଙ୍କ କହିବା ହେଲା ଜଂଗଲରେ ରହିଥିବା ଏହି ସୌନ୍ଦର୍ଯ୍ୟ ଭରା ଜଳପ୍ରପାତ ନିକଟରେ ପହଞ୍ଚିବା ପରେ ସବୁ ଚାଲିବା କଷ୍ଟ ଜଣାପଡିନଥାଏ। ବୈପାରିଗୁଡ଼ା ବ୍ଲକରେ ଏଭଳି ଅନନ୍ୟ ପର୍ଯ୍ୟଟନସ୍ଥଳୀ ରହିଛି ଆମେ ବିଶ୍ବାସ କରିପାରିଲୁ ନାହିଁ। ଏଠାରେ ଭୋଜି କରିବା ପାଇଁ ମଧ୍ୟ ପରିବେଶ ଅନୁକୂଳ ରହିଛି। କିନ୍ତୁ ବୈପାରିଗୁଡା ଠାରୁ କୁଲାବେଡା ଜଳପ୍ରପାତ ବହୁ ଦୁରରେ ଅବସ୍ଥିତ ତେଣୁ ପର୍ଯ୍ୟଟକମାନେ ହୁଏତ ଯିବାକୁ ଅମଙ୍ଗ ହୋଇପାରିନ୍ତି। ପରିବାରଙ୍କୁ ନେଇ ଘଂଚ ଜଂଗଲରେ ଯିବା ଅତ୍ୟନ୍ତ କଷ୍ଟ। କିନ୍ତୁ ଥରେ ଗଲେ ଆଉ ଥରେ ଯିବାକୁ ମନ ଲାଗିବ ।