ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଘୁମୁସରଗଡ଼ର ପୁରାତନ କୁଲାଡ଼ ଜଗନ୍ନାଥ ମନ୍ଦିର। ଭଞ୍ଜ ରାଜବଂଶର ଗୌରବ ବହନ କରୁଥିବା ଏହି ମନ୍ଦିର ବେଶ୍ ଆକର୍ଷଣୀୟ। ଆଉ ଏଠାକାର ଘୋଷଯାତ୍ରା ସହ ପୁରୀ ରଥଯାତ୍ରାର ସାମଞ୍ଜସ୍ୟ ରହିଥିବାରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ଶ୍ରୀଜିଉଙ୍କ ପହଣ୍ଡି ବିଜେ ପରେ ଗୋଟିଏ ରଥରେ ମାଉସୀମା’ ମନ୍ଦିରକୁ ନିଆଯିବାର ପରମ୍ପରା ଚାଲିଆସୁଛି। ଇତିହାସର ଅବଲୋକନ ଓ ଗବେଷକଙ୍କ ଗବେଷଣାରୁ ଜଣାପଡ଼େ, ଘୁମୁସରଗଡ଼ରେ ଭଞ୍ଜ ରାଜବଂଶର ରାଜା ରାଜୁତି କରୁଥିଲେ। ଶାସନକାଳ ଭିତରେ କୁଲାଡ଼କୁ ସେମାନେ ରାଜଧାନୀ କରିଥିଲେ। ୮୩୨ ଖ୍ରୀଷ୍ଟାବ୍ଦଠାରୁ ୧୮୩୫ ପର୍ଯ୍ୟନ୍ତ ଏହି ରାଜବଂଶର ରାଜାମାନେ ରାଜୁତି କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ମନୁନନ୍ଦ ପତିଙ୍କ ମତରେ ଏହି ଜଗନ୍ନାଥ ମନ୍ଦିର ରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କ ଶାସନକାଳରେ ନିର୍ମିତ ହୋଇଥିଲା। ପୁରୀ ମନ୍ଦିରକୁ ଅନୁକରଣ କରି ମନ୍ଦିରର କାରୁକାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା। ଆଉ ଅତୀତରେ କେବଳ ରାଜାମାନେ ହିଁ ରଥଯାତ୍ରାର ଆୟୋଜନ କରିବାର ପରମ୍ପରା ବଂଶାନୁକ୍ରମେ ଚାଲିଆସୁଥିଲା।
ତେବେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ପରେ ସମୟଚକ୍ରରେ ଏହି ମନ୍ଦିର ଦେବୋତ୍ତର ଅଧୀନକୁ ଆସିଛି। ଫଳରେ ପ୍ରଶାସନ ପକ୍ଷରୁ ଏହି ଯାତ୍ରା ସଂପନ୍ନ ହେଉଛି। ତଥାପି ରାଜବଂଶର ଦାୟାଦ ପ୍ରଶାନ୍ତ କୁମାର ଭଞ୍ଜଦେଓ ଅଦ୍ୟାବଧି ସମସ୍ତ ରୀତିକାନ୍ତି ସମ୍ପନ୍ନ କରୁଛନ୍ତି। ସେ ହିଁ ପରମ୍ପରା ଅନୁଯାୟୀ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥାଏ। ଏଥିପାଇଁ କୁଲାଡ଼ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଉଠେ। ଅନ୍ୟପକ୍ଷରେ, ଏହି ମନ୍ଦିରରେ ବାମନ, ବରାହ ଓ ନୃସିଂହ ଭଗବାନଙ୍କ ପାର୍ଶ୍ବ ମନ୍ଦିର ରହିଛି। ତେବେ ଏଠାରେ ଥିବା ଦୁଇଟି ଅଁଳାଶ୍ରୀ ଏହି ମନ୍ଦିରକୁ ରାଜ୍ୟର ଅନ୍ୟ ଜଗନ୍ନାଥ ମନ୍ଦିର ଠାରୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଦୁଇଟି ଅଁଳାଶ୍ରୀ ରହିବା ପଛରେ ମଧ୍ୟ ଏକ ରୋଚକ କାହାଣୀ ଶୁଣିବାକୁ ମିଳେ। ଆଠଗଡ଼ ରାଜା ନିର୍ମାଣ କରିଥିବା ମନ୍ଦିରର ଉଚ୍ଚତା କୁଲାଡ଼ ଜଗନ୍ନାଥ ମନ୍ଦିର ତୁଳନାରେ ସାମାନ୍ୟ ବଡ଼ ହୋଇଥିବା ଖବରପାଇ ତତ୍କାଳୀନ ଭଞ୍ଜ ରାଜା ଏହି ମନ୍ଦିରର ଉଚ୍ଚତା ବୃଦ୍ଧି କରିବା ପାଇଁ ଆଉ ଏକ ଅଁଳାଶ୍ରୀ ସ୍ଥାପନ କରିଥିଲେ। ତେବେ, ଏହାପଛରେ କୌଣସି ପ୍ରାମାଣିକ ତଥ୍ୟ ନଥିବା ମନୁନନ୍ଦ ପତି କହିଛନ୍ତି। ସେହିପରି କୁଲାଡ଼ର ଦୋଳପୂର୍ଣ୍ଣିମା ବି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fhkfhkkhfkhfhk.jpg)