ବାଲେଶ୍ବର: ପ୍ରାୟ ମାସେ ତଳେ ଦୁଇଟି ଝାଡ଼ଖଣ୍ଡୀ ହାତୀ ଦଲମା ଜଙ୍ଗଲ ଏବଂ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବନାଞ୍ଚଳ ହୋଇ ବାଲେଶ୍ବରର କୁଲଡ଼ିହା ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି। ବଣସୀମା ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଘରଦ୍ବାର ଭାଙ୍ଗୁଛନ୍ତି। ବନ ବିଭାଗ ହାତୀ ଦୁଇଟିକୁ ଝାଡ଼ଖଣ୍ଡୀ ଘଉଡ଼ାଇବା ପାଇଁ ଉଦ୍ୟମ କରୁଥିଲେ ବି ସମ୍ଭବ ହୋଇପାରୁନି। କାରଣ ନୀଳଗିରି ବ୍ଲକ୍‌ ଅଧୀନ ଆମ୍ବଝରଠାରେ ବେଆଇନ ଭାବେ ପଥର ଖାଦାନ ଖୋଳା ହେବା ଫଳରେ ସେମାନଙ୍କର ଚଲାପଥ କାଳେ ଅବରୋଧ ହୋଇଛି। କେବଳ ଉକ୍ତ ଝାଡ଼ଖଣ୍ଡୀ ହାତୀ ନୁହଁନ୍ତ, କୁଲଡ଼ିହାରେ ରହୁଥିବା ପ୍ରାୟ ୧୦୦ ହାତୀଙ୍କ ଅଧିକାଂଶ ଚଲାପଥ ପଥର ଓ ବାଲି ଖାଦାନ ଯୋଗୁଁ ଅବରୋଧ ହେବାରେ ଲାଗିଛି। ଫଳରେ ସେମାନେ ଖାଦ୍ୟ ଅନ୍ବେଷଣ ପାଇଁ ଅଭୟାରଣ୍ୟ ନିକଟ ଜନବସତିକୁ ପଶି ଆସୁଛନ୍ତି ଏବଂ ପ୍ରଭୂତ କ୍ଷତି ଘଟାଉଛନ୍ତି।

Advertisment

କୁଲଡ଼ିହାର ଏହି ସମସ୍ୟା ଆଗକୁ ଅଧିକ ଜଟିଳ ହେବ ବୋଲି କୁହାଯାଉଛି। କାରଣ ୭ବର୍ଷ ତଳେ କେନ୍ଦ୍ର ସରକାର ଅଭୟାରଣ୍ୟରେ ଇକୋସେନ୍‌ସିଟିଭ୍‌ ଜୋନ୍‌ (ଇଏସ୍‌ଜେଡ୍‌) ପୁନଃ ନିର୍ଦ୍ଧାରଣ ନେଇ ଯେଉଁ ବିଜ୍ଞପ୍ତି ଜାରି କରିଥିଲେ, ତାହା ବିବାଦୀୟ ହୋଇ ରହିଥିବା ବେଳେ ପୁଣି ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ପଥର ଖାଦାନ ପରେ ଏବେ କୁଲଡ଼ିହା ସହ ଶିମିଳିପାଳ ଓ ହଦଗଡ଼ ଅଭୟାରଣ୍ୟ ପାର୍ଶ୍ବବର୍ତ୍ତୀ ଇଲାକାରେ ଶହେ ପାଖାପାଖି ବାଲି ଖାଦାନ କରିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୧୭ ଅଗଷ୍ଟ ୯ ଦିନ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରେ କୁଲଡ଼ିହା ଅଭୟାରଣ୍ୟର ଇଏସ୍‌ଜେଡ୍‌ରୁ ପ୍ରମୁଖ ହାତୀ ଚଲାପଥଗୁଡ଼ିକୁ ବାଦ୍‌ ଦିଆଯାଇଥିଲା। ସୋର ତହସିଲ ଅଧୀନ ବାଗୁଡ଼ି ଓ ମଙ୍ଗଳପୁର, ନୀଳଗିରି ତହସିଲ ଅଧୀନ କିଛି ଅଞ୍ଚଳ ଏବଂ ଖଇରା ତହସିଲ ଅଧୀନ କୁପାରୀ ଅଞ୍ଚଳରେ ହାତୀମାନେ ଚଲାବୁଲା କରୁଥିବା ବେଳେ ଏଗୁଡ଼ିକ ନୂତନ ଇଏସ୍‌ଜେଡ୍‌ ଅନ୍ତର୍ଗତ ନଥିଲା। ଯାହାକୁ ରାଜ୍ୟ ବନ୍ୟାପ୍ରାଣୀ ବୋର୍ଡର ପୂର୍ବତନ ସଦସ୍ୟ ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନଙ୍କ ସହ ଅନେକ ପରିବେଶବିତ୍‌, ସମାଜସେବୀ ଓ ସଂଗଠକ ନିନ୍ଦା ସହ ପୁନଃ ବିଚାର ପାଇଁ ଦାବି କରିଥିଲେ। ସେହିପରି ନୂତନ ଇଏସ୍‌ଜେଡ୍‌ କାର୍ଯ୍ୟକାରୀ ହେଲେ ୨୭୨.୭୫ ବର୍ଗ କିମି ଅଞ୍ଚଳର ଅଭୟାରଣ୍ୟ ସଂକୁଚିତ ହୋଇ ପ୍ରାୟ ୨୧୯.୮୮ ବର୍ଗ କିମିକୁ ଖସି ଆସିବ। ହାତୀମାନଙ୍କ ପ୍ରମୁଖ ଚଲାପଥ ଅଞ୍ଚଳଗୁଡ଼ିକ ପଥର ଖାଦାନ ପାଇଁ ଉପଯୁକ୍ତ ଥିବା ବେଳେ ସେଠାରୁ ବ୍ୟାପକ ପଥର ଉତ୍ତୋଳନ ହେବ। ପ୍ରଶାସନିକ ଓ ରାଜନୈତିକ କୂଟନୀତି ଯୋଗୁଁ ଏପରି ଏକ ବିଭ୍ରାନ୍ତିକର ନିଷ୍ପତ୍ତି ନିଆଯାଉଛି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଥିଲେ।

ଏପରି ଏକ ବିବାଦ ନ ଥମୁଣୁ ଇଏସ୍‌ଜେଡ୍‌ ଓ ହାତୀ ଚଲାପଥକୁ ନେଇ ଆଉ ଏକ ବିବାଦ ଦେଖାଦେଇଛି। ରାଜ୍ୟ ସରକାର ଶିମିଳିପାଳ, ହଦଗଡ଼ ଓ କୁଲଡ଼ିହା ଅଭୟାରଣ୍ୟର ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ୯୭ଟି ବାଲି ଖାଦାନ କରିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଯାହା ଜଙ୍ଗଲ (ସଂରକ୍ଷଣ) ଆଇନ ୧୯୮୦ର ଉଲ୍ଲଂଘନ କରୁଛି ବୋଲି ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ଗତ ୧୪ ତାରିଖ ରାୟରେ ପ୍ରକାଶ କରିଛନ୍ତି। କୁହାଯାଇଛି, ଏପରି କରି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟ ସମୟକ୍ରମେ ଦେଇଥିବା ରାୟ ବିରୋଧରେ ଯାଉଛନ୍ତି। କାରଣ ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ଖଣି ପାଇଁ ଯୋଜନା ହେଉଥିଲେ ସରକାରଙ୍କୁ ଆବଶ୍ୟକ ବନ୍ୟପ୍ରାଣୀ ପରିଚାଳନା ବ୍ୟବସ୍ଥା ଏବଂ ହାତୀ କରିଡର୍‌ ଚିହ୍ନଟ କରିବାକୁ ପଡ଼ିଥାଏ। ଯାହାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉ ନଥିବା ଜଣାପଡ଼ିଛି।

୧୯୯୦ରେ ମୟୂରଭଞ୍ଜର କପ୍ତିପଦା ନିକଟରେ ସୁନେଇ ଡ୍ୟାମ୍‌ ନିର୍ମାଣ ସହ ଏହାର ଆଖପାଖ ଅଞ୍ଚଳରେ ବିସ୍ଥାପନ ତଥା ଜବରଦଖଲ ଯୋଗୁଁ କୁଲଡ଼ିହାରୁ ଶିମିଳିପାଳ ଯାଏ ହାତୀ ଚଲାପଥ ବନ୍ଦ ହୋଇସାରିଛି। ସେହିପରି ଗଡ଼ସାହି ପାହାଡ଼ରେ ଅନେକ ବେଆଇନ ପଥର ଖାଦାନ ଚାଲି ଥିବାରୁ କୁଲଡ଼ିହାରୁ କେନ୍ଦୁଝରର ହଦଗଡ଼ ଅଭୟାରଣ୍ୟ ଯାଏ ଥିବା ହାତୀ ଚଲାପଥ ବନ୍ଦ ରହିଛି। ଏପରି ସମୟରେ ନୂତନ ଇଏସ୍‌ଜେଡ୍‌ ଲାଗୁ ସହ ପଥର ଖାଦାନ ଖୋଳା ଗଲେ ଏବଂ ଶିମିଳିପାଳ, ହଦଗଡ଼ ଓ କୁଲଡ଼ିହା ଅଭୟାରଣ୍ୟର ଇଏସ୍‌ଜେଡ୍‌ରେ ପ୍ରସ୍ତାବିତ ବାଲି ଖାଦାନ ହେଲେ ଅନେକ ହାତୀ ଚଲାପଥ ଅବରୋଧ ହେବାର ସମ୍ଭାବନା ଦେଖାଦେଇଛି। ଫଳରେ କୁଲଡ଼ିହାରେ ରହୁଥିବା​ ଶତାଧିକ ହାତୀ ବନ୍ଦୀ ଜୀବନ ଜିଇଁବେ। ତେଣୁ ପଥର ଓ ବାଲି ଖାଦାନରୁ ମିଳିବାକୁ ଥିବା ରାଜସ୍ବର ଊର୍ଦ୍ଧ୍ବକୁ ଯାଇ କୁଲଡ଼ିହାରେ ଇକୋ ସେନ୍‌ସିଟିଭ୍‌ ଜୋନ୍‌ର ସଂରକ୍ଷଣ ଏବଂ ହାତୀ ଚଲାପଥଗୁଡ଼ିକୁ ସୁଗମ କରିବା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯତ୍ନବାନ ହେବା ଉଚିତ ବୋଲି ଅନେକ ବୁଦ୍ଧିଜୀବୀ ଓ ପରିବେଶପ୍ରେମୀ ମତ ରଖିଛନ୍ତି।