ପ୍ରତିଭା ରାୟଙ୍କୁ କୁମାର କବି ସମ୍ମାନ

ପୁରୀ : କୁମାର କବି ଅରକ୍ଷିତ ପ୍ରଧାନ ଥିଲେ ମା’, ମାଟି ଓ ମଣିଷର କବି। କବିଙ୍କ କାରୁଣ୍ୟମୟ ଜୀବନ କାଳଜୟୀ ସାହିତ୍ୟ ସୃଷ୍ଟି କରିବାରେ ସମର୍ଥ ହୋଇଛି। ତାଙ୍କ ସମ୍ପର୍କରେ ଗବେଷଣା ସହ ତାଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପ୍ରକାଶ ପାଇବା ଉଚିତ ବୋଲି ସାହିତ୍ୟିକ ତଥା ପ୍ରବଚକ କୁମାର କବିଙ୍କ ଦ୍ବାଦଶ ରାଜ୍ୟସ୍ତରୀୟ ସ୍ମୃତି ସମାରୋହକୁ ଉଦ୍‌ଘାଟନ କରି ବିଶିଷ୍ଟ ଲେଖିକା ଡ.ପ୍ରତିଭା ରାୟ କହିଛନ୍ତି। କୁମାର କବି ଫାଉଣ୍ଡେସନ ଓ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଡ.ରାୟଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ସହ ‘କୁମାର କବି ସମ୍ମାନ’ରେ ସମ୍ମାନିତ କରାଯାଇଛି।

ଫାଉଣ୍ଡେସନ୍‌ ସଭାପତି ଅଧ୍ୟାପକ ବସନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କୁମାର କବିଙ୍କ ସମଗ୍ର ସାହିତ୍ୟ ସୃଷ୍ଟିକୁ କୁମାର କବି ଗ୍ରନ୍ଥାବଳୀ ଭାବେ ଓଡ଼ିଶା ସାହିତ୍ୟ ଏକାଡେମି ପ୍ରକାଶ କରିବା ଉଚିତ ବୋଲି ମତ ରଖିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ଡ.ହୃଷୀକେଶ ମଲ୍ଲିକ ସ୍ମାରକୀ ବକ୍ତୃତା ପ୍ରଦାନ କରି କହିଥିଲେ, ଭାରତୀୟ ସଂସ୍କୃତି, ଜଗନ୍ନାଥ ସଂସ୍କୃତି ଓ ଲୋକ ବୋଧଗମ୍ୟ ସାହିତ୍ୟ ସୃଷ୍ଟିରେ ସେ ଥିଲେ ଜଣେ ସମର୍ଥ ଶିଳ୍ପୀ। ଜନ ସାହିତ୍ୟ ଆନ୍ଦୋଳନର ଜଣେ ପ୍ରମୁଖ କର୍ଣ୍ଣଧାର। ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କୁମ୍‌କୁମ୍‌ ମହାନ୍ତି ଓ କବି ମାନସ ରଂଜନ ମହାପାତ୍ର କୁମାର କବିଙ୍କ ସାହିତ୍ୟ କୃତି ଊପରେ ଆଲୋକପାତ କରିଥିଲେ। ଫାଉଣ୍ଡେସନର ସମ୍ପାଦକ ଦିଗମ୍ବର ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର