ଭୁବନେଶ୍ବର : ଧାରା ୩୭୦ ହଟାଇବା, କଶ୍ମୀରକୁ ଦୁଇ ଭାଗ କରିବା ଭୁଲ୍ ନିଷ୍ପତ୍ତି। ଗଣତନ୍ତ୍ର ଉପରେ ଏହା ଗଭୀର ପ୍ରଭାବ ପକାଇବ। ସଂପ୍ରତି ଭାରତ ଭୁଲ ଦିଗରେ ଯାଉଛି। ତେଣୁ ଆମକୁ ସାବଧାନ ହେବାକୁ ପଡ଼ିବ। ଏ ସଂକ୍ରାନ୍ତରେ ବିଜେପି ମତେ ନୁହେଁ, ସତକୁ ଚ୍ୟାଲେଞ୍ଜ କରିଛି। ଏକଥା ବି ମନେ ରଖିବାକୁ ହେବ, ସତକୁ ଚ୍ୟାଲେଞ୍ଜ କରି କେହି କେବେ ଜିତି ନାହିଁ। ଏକଥା କହିଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ବିଦ୍ବାନ ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ନୂଆଦିଲ୍ଲୀର ଅଧ୍ୟକ୍ଷ କୁମାର ପ୍ରଶାନ୍ତ।
ଲୋହିଆ ଏକାଡେମିରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ, ମୁଁ ଭୁଲ ଇତିହାସ କହି ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି ଓ ଧାରା ୩୭୦ ବାବଦରେ ମତ ଦେଇ କଶ୍ମୀରବାସୀଙ୍କୁ ଉସୁକାଉଛି ବୋଲି କୁହାଯାଉଛି। ମତେ ଦେଶଦ୍ରୋହୀ ବୋଲି କହି ଗିରଫ କରିବା ପର୍ଯ୍ୟନ୍ତ କଥା ଉଠିଲାଣି। ଏନେଇ କନ୍ଧମାଳ ଓ କଟକରେ ମୋ ନାଁରେ ଏତଲା ଦିଆଯାଇଛି। ବାସ୍ତବରେ ସତକୁ ଅନେକ ଲୋକଙ୍କ ଡର। ସତ ହିଁ ବ୍ୟକ୍ତିର ଅସଲ ମୁଖା ଖୋଲିଦିଏ। ଓଡ଼ିଶାରେ ଭଲ ପାଇବା ସହ ପ୍ରଥମଥର ଏପରି ଧମକ ବି ମିଳିଛି। ହେଲେ କୌଣସି ଧମକ ମତେ ଡରାଇପାରିବ ନାହିଁ, ବରଂ ମୁଁ କହିବାକୁ ଚାହୁଁଛି, ଯେଉଁମାନେ ମତେ ଧମକ ଦେଇ ଚୁପ୍ କରିଦେବାକୁ ଅପଚେଷ୍ଟା କରୁଛନ୍ତି, ସେମାନେ ମୋର ଲେଖା ଓ ଭାଷଣରେ ନିହିତ ତଥ୍ୟାବଳୀକୁ ନିରାଧାର ବୋଲି ପ୍ରମାଣ କରନ୍ତୁ। ଏଥିପାଇଁ ମୁଁ ସେମାନଙ୍କୁ ଆହ୍ବାନ କରୁଛି।
ସେ ଏକଥା ବି କହିଲେ, ଲୋକତନ୍ତ୍ରର ମାଧ୍ୟମ ଦେଇ ଏବେ କ୍ଷମତାସୀନ ହୋଇଥିବା ଲୋକଙ୍କ ଲୋକତନ୍ତ୍ରରେ ହିଁ ବିଶ୍ବାସ ନାହିଁ। ଦେଶରେ ଏହା ପ୍ରଥମଥର ହୋଇନାହିଁ। ୧୯୭୪ରେ ଜରୁରୀକାଳୀନ ପରିସ୍ଥିତିରେ ବି ହୋଇଥିଲା। ଦେଶରେ ଏପରି ପରିବେଶ ସୃଷ୍ଟି ହୋଇଛି, ଯେମିତି ଏ ଦେଶର ‘ଅକଲ’ ଜଣଙ୍କ ନିକଟରେ ଅଛି। ବିଗତ କିଛି ସମୟ ହେଲା, ଆମ ଦେଶରେ ଏପରି ବାତାବରଣ ସୃଷ୍ଟି ହୋଇଛି, ଯେଉଁଠି ନାଗରିକଙ୍କ ମଧ୍ୟରେ ବିଚାରର ଆଦାନପ୍ରଦାନ ପ୍ରାୟ ସମାପ୍ତ ହୋଇଚାଲିଛି। ସଂଖ୍ୟାର ଦୌରାତ୍ମ୍ୟ ଦ୍ବାରା ଅନ୍ୟକୁ ଚୁପ୍ କରାଇବା ଓ ସରକାରୀ ତନ୍ତ୍ରର ସହାୟତାରେ ନିଜ କଥାକୁ ନେଇ ଡିଣ୍ଡିମ ପିଟା ଚାଲିଛି। ମାତ୍ର ଜାଣି ରଖିବା ଉଚିତ୍ ଯେ ଜ୍ଞାନର ଏକ୍ସକ୍ଲୁସିଭ୍ ରାଇଟ୍ସ ନାହିଁ। କାହା ପାଖରେ ଇତିହାସର ବି ରାଇଟ୍ସ ନାହିଁ। ମାତ୍ର ସତ କହି ଦିନେ କଂଗ୍ରେସ ତରଫରୁ ବିରୋଧର ଶିକାର ହେବାକୁ ପଡ଼ିଥିଲା, ଏବେ ବିଜେପି ପକ୍ଷରୁ ହେବାକୁ ପଡ଼ୁଛି। ତେବେ ଲୋକସଭାରେ ୩୦୦ରୁ ଅଧିକ ମୁଣ୍ଡ ତାଙ୍କ ନିକଟରେ ଅଛି ବୋଲି ଭାବି ସେ ଯଦି ଭାବୁଥିବେ, ତାଙ୍କ ପାଖରେ ୩୦୦ରୁ ଅଧିକ ‘ଅକଲ’ ଅଛି, ତାହା ଠିକ୍ ନୁହେଁ ବୋଲି କୁମାର ପ୍ରଶାନ୍ତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/kumar-prashant-photo-satya.jpg)