ଭୁବନେଶ୍ୱର : ଦଙ୍ଗା ସ୍ବତଃ ହୁଏ ନାହିଁ, ସମାଜକୁ ଭାଗ ଭାଗ କରିବା ପାଇଁ ବାହ୍ୟ ଶତ୍ରୁମାନେ ଏହାକୁ ପ୍ରାୟୋଜିତ କରିଥାଆନ୍ତି ବୋଲି ଗାନ୍ଧୀ କହୁଥିଲେ। ସ୍ବେଚ୍ଛାସେବୀ ସଙ୍ଗଠନମାନେ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ଦିଗରେ କାମ କରିପାରିଲେ ଦଙ୍ଗାକୁ ରୋକା ଯାଇପାରିବ। ସିୱାଇଏସଡି ପକ୍ଷରୁ ଆୟୋଜିତ ଗାନ୍ଧୀ କଥା କାର୍ଯ୍ୟକ୍ରମରେ ଏହା କହିଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ।

Advertisment

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସାମାଜିକ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନାରେ କୁମାର ପ୍ରଶାନ୍ତ କହିଥିଲେ, ଗାନ୍ଧୀଜୀ କହୁଥିଲେ, ସରକାର କ୍ଷମତାରେ ରହିବେ କିନ୍ତୁ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ସମାଜର ନିୟନ୍ତ୍ରଣରେ ସରକାର ରହିବା ଆବଶ୍ୟକ। କ୍ଷମତା ଗୋଟିଏ ସ୍ଥାନରେ କେନ୍ଦ୍ରୀଭୂତ ହୋଇ ରହିଲେ, ତାହା ଶୁଭଙ୍କର ନୁହେଁ। ଲୋକତନ୍ତ୍ରକୁ ମଜଭୁତ୍‌ କରିବାରେ ସାମାଜିକ ସଙ୍ଗଠନଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନେ ଲୋକଙ୍କ ସହ ରହି ଲୋକଙ୍କ ସ୍ବର ହୋଇପାରନ୍ତି। ପଞ୍ଚାୟତ ଏବଂ ସାମାଜିକ ସଙ୍ଗଠନଗୁଡ଼ିକ ମିଳିତ ଭାବେ ବିକାଶର ଖସଡ଼ା କଲେ ତାହାର ସୁଫଳ ମିଳିବ। ଅନେକ ପଞ୍ଚାୟତରେ ମଦ ବନ୍ଦ କରିବା ଏବଂ ଅସ୍ପୃଶ୍ୟତା ଦୂର କରିବାରେ ସ୍ବେଚ୍ଛାସେବୀ ସଙ୍ଗଠନକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହା ସେମାନଙ୍କର ବଡ଼ ସଫଳତା। ଶ୍ରୀ ପ୍ରଶାନ୍ତ ଆହୁରି କହିଥିଲେ ଯେ ଗାନ୍ଧୀଙ୍କ ବିଚାର ଥିଲା ଯେ ସ୍ୱେଚ୍ଛାସେବୀ ସଂଗଠକମାନେ ଲୋକଙ୍କ ସହ ବସି ସ୍ଥାନୀୟ ସମସ୍ୟାର ସମାଧାନ ଖୋଜନ୍ତୁ। ସମାଧାନ ବାହାରୁ ଆମଦାନି କରନ୍ତୁ ନାହିଁ। ଏଥିପାଇଁ ଗାନ୍ଧୀଜୀ ସର୍ବଦା ଲୋକଙ୍କ ଭାଷାରେ ଲେଖିବାକୁ ଗୁରୁତ୍ବ ଦେଉଥିଲେ।

ବର୍ତ୍ତମାନ ସ୍ବେଚ୍ଛାସେବୀ ସଙ୍ଗଠନ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆବଶ୍ୟକତା ଅନୁସାରେ ସହଯୋଗ ମିଳୁ ନଥିବା ଉପସ୍ଥିତ ସାମାଜିକ କର୍ମକର୍ତ୍ତାମାନେ କହିଥିଲେ।

କାର୍ଯ୍ୟକ୍ରମକୁ ସିୱାଇଏସ୍‌ଡିର ପ୍ରତିଷ୍ଠାତା ଜଗଦାନନ୍ଦ କାର୍ଯ୍ୟକ୍ରମ ପରିଚାଳନା ଏବଂ ମାନସ ମିଶ୍ର ସହଯୋଗ କରିଥିଲେ। ପ୍ରମିଳା ସ୍ବାଇଁ, କୈଳାଶ ଦଣ୍ଡପାଟ, ଜଗଦୀଶ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।