୧୧ ଦେଶର ଓଡ଼ିଆ କଳାକାରଙ୍କୁ ନେଇ କୁମାର ପୂର୍ଣ୍ଣିମା ଉତ୍ସବ

ଭୁବନେଶ୍ୱର : ବିଭିନ୍ନ ଦେଶରେ ଥିବା ଓଡ଼ିଆ କଳାକାରଙ୍କୁ ନେଇ ନିଆରା ଶୈଳୀରେ କୁମାର ପୂର୍ଣ୍ଣମୀ ଅନୁଷ୍ଠିତ ହୋଇଛି। ଭାରତ ତଥା ବିଶ୍ବର ଅନ୍ୟ ଦେଶମାନଙ୍କରେ ଅବସ୍ଥାନ କରୁଥିବା ବୁଦ୍ଧିଜୀବୀ ଓଡ଼ିଆଙ୍କ ଅନୁଷ୍ଠାନ ‘ଓଡ଼ିଶା ପଜିଟିଭ୍’ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ଏସୀୟ ଦେଶ ମାନଙ୍କରେ ଥିବା ଶାଖାମାନେ ସାମିଲ୍‌ ହୋଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର କଳାକାରଙ୍କୁ ଅନଲାଇନ୍‌ରେ ଯୋଡ଼ା ଯାଇଥିଲା।

ଜାପାନ, ଚୀନ, ହଂକଂ, ତାଇୱାନ୍, ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ, ମ୍ୟାଁମାର, ଭାରତ ଆଦି ୧୧ଟି ଦେଶର ଓଡ଼ିଆ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସଂପର୍କ ପରିଷଦ, ଆଇ.ସି.ସି.ଆର୍‌ର ମହାନିର୍ଦେଶକ ଦୀନେଶ କୁମାର ପଟ୍ଟନାୟକ; ପର୍ଯ୍ୟଟନ, ଭାଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କହିଥିଲେ, ବିଦେଶରେ ଥିବା ପ୍ରବାସୀ ଓଡ଼ିଆ କଳାକାରଙ୍କୁ ଏକାଠି କରିବାରେ ଅନୁଷ୍ଠାନର ଭୂମିକା ପ୍ରଶଂସନୀୟ। ଅନଲାଇନ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାପାନର ଓଡିଶୀ ନୃତ୍ୟଶିଳ୍ପୀ ଚିସାଟୋ ମିଉରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ମହିକା ପାଣ୍ଡେ ‘କୁଆଁର ପୁନେଇଁ ଜହ୍ନ ଲୋ, ଫୁଲ ବଉଳ ବେଣୀ..’ଗୀତରେ ନୃତ୍ୟ କରିଥିଲେ। ସିଙ୍ଗାପୁରରେ ଥିବା ଓଡ଼ିଆ କଳାକାରଙ୍କ ଦ୍ବାରା ପ୍ରସ୍ତୁତ ଲୋକ ନୃତ୍ୟ ଆକର୍ଷଣ ସାଜିଥିଲା। ମାଲେସିଆର କଳାକାର ବୃନ୍ଦ ସଂଗୀତ ଭେଟି ଦେଇଥିଲେ। ଭିଏତନାମରୁ ଟୁନା ଖଟୁଆ ଶ୍ଳୋକ ପାଠ କରିଥିଲେ। ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଦେବାଜ୍ୟୋତି ବିଶ୍ବାଳ ଓ ରିତିକା ମଣ୍ଡଳ। ଥାଇଲାଣ୍ଡର ଶିଳ୍ପୀମାନେ ସଂଗୀତ ପ୍ରସ୍ତୁତ କରିଥିଲେ। କଣ୍ଠଶିଳ୍ପୀ ନାଜିଆ ଆଲମ୍ ‘ଏଇ ମୋ ମନ…’ ଗୀତ ଭେଟି ଦେଇଥିଲେ।

ସୁସ୍ମିତା ଦାସ, ରିମା ମିଶ୍ର, ନବଜ୍ୟୋତି ଦାସ ମମତା ତ୍ରିପାଠୀ ପ୍ରମୁଖ ଭାରତୀୟ ଓଡ଼ିଆ କଳାକାର ସାମିଲ୍‌ ହୋଇଥିଲେ। ଲିଙ୍ଗରାଜ ଦାଶ ତବଲା ବାଦନ କରିଥିଲେ। ସୁଦାମ ପ୍ରଧାନଙ୍କ ବାଲୁକା କଳା ଆକର୍ଷଣୀୟ ଥିଲା।

‘ଓଡ଼ଶା ପଜିଟିଭ୍’ ର ଅଧ୍ୟକ୍ଷ ସଂଜୀବ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ଅନ୍ତର୍ଜାତୀୟ ପରାମର୍ଶଦାତା ଶରତ ମହାନ୍ତି ଏବଂ ଦିଲ୍ଲୀର ବିଶିଷ୍ଟ ହୃଦ୍ ଚିକିତ୍ସକ ଡାକ୍ତର ବିକ୍ରମ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର