ଯାଜପୁରସଦର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ କୁମାରୋତ୍ସବ ପାଳିତ ହୋଇଯାଇଛି। କୁମାରପୂର୍ଣ୍ଣିମା ସନ୍ଧ୍ୟାରେ ମା’ଙ୍କୁ କମଳ ବେଶରେ ସଜା ଯାଇଥିଲା। ଚନ୍ଦନ, ଅଗୁରୁ ଓ କର୍ପୂର ମିଶ୍ରଣ ପ୍ରଲେପ ଦ୍ୱାରା ମା’ଙ୍କ ମୁଖ ମଣ୍ଡଳକୁ ଚର୍ଚ୍ଚିତ କରାଯାଇ ମହାଲକ୍ଷ୍ମୀ ରୂପ ଦିଆଯାଇଥିଲା। ରତ୍ନ ସିଂହାସନ ଉପରେ ମହାଲକ୍ଷ୍ମୀ ବିରଜାଙ୍କ ତରଫରୁ ପୂଜକ ଓ ଶ୍ରୀ ବିଷ୍ଣୁ ଜଗନ୍ନାଥଙ୍କ ପ୍ରତିନିଧି ଶ୍ରୀ ପତିମିଶ୍ରଙ୍କ ମଧ୍ୟରେ ଅକ୍ଷକ୍ରୀଡ଼ା ସମ୍ପାଦିତ ହୋଇଥିଲା। ବିରଜା ଓ ଜଗନ୍ନାଥଙ୍କ ଅକ୍ଷକ୍ରୀଡ଼ା ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା।
ଶହଶହ କୁମାରୀ ଭକ୍ତଙ୍କ ହୁଳହୁଳିରେ ମନ୍ଦିର ଉଚ୍ଛୁଳି ପଡ଼ିଥିଲା। ସଂଧ୍ୟାରେ ଷୋଡ଼ଶ ଦିବସୀୟ ଦୁର୍ଗାପୂଜାର ବାକିଥିବା ‘କୁମାରୀ ପୂଜା’ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ଆଳତୀ ପରେ ରାତ୍ର ୮ଟା ୧୦ ମିନିଟରେ ପୂଜକ ବିଭୂତି ଭୂଷଣ କର ଆଜିର ପୂଜାକାର୍ଯ୍ୟ ଆରମ୍ଭ କରିଥିଲେ। ପୂଜା ପରେ ଚଳିତବର୍ଷ ଦୁର୍ଗାପୂଜାର ଆଚାର୍ଯ୍ୟ ପୁରୋଧା ଜ୍ଞାନ ରଂଜନ ପତିଙ୍କ ମୁଣ୍ଡରେ ଶିରିପା ବନ୍ଧା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁରୋଧା ପ୍ରତାପ କୁମାର ପତି, ସରୋଜ କୁମାର ପତି, ବିରଜା ଶଙ୍କର ପତି, ବିରଜା କିଙ୍କର ପତି, ମନୋରଂଜନ ପତି, ମୁକ୍ତି ମଣ୍ଡପ ସେବାୟତ ପରିଷଦର ସଭାପତି ଦେବୀ ପ୍ରସାଦ ପାଣି, କାର୍ଯ୍ୟକାରୀ ସଭାପତି ସୁକାନ୍ତ ପାଣି, ସଂପାଦକ ସତ୍ୟନାରାୟଣ କର, ଧନଞ୍ଜୟ ପାଣି, ନଳିନୀକାନ୍ତ ପାଣି, ବିକାଶ ପାଣି, ସତ୍ୟରଂଜନ ପାଣି, ରାମଚନ୍ଦ୍ର ପାଣି, କୃପାସିନ୍ଧୁ ପାଣିଗ୍ରାହୀ, ଅଜୟ କୁମାର ପାଣିଗ୍ରାହୀ, ମନ୍ଦିର କର୍ମଚାରୀ ଗୁରୁଚରଣ ମହାରଣା, ପ୍ରଭାତ କୁମାର ପତି, ମଳୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।