ପଛୁଆ ଜିଲ୍ଲାର ଆଗୁଆ ନାରୀ କୁମୁଦିନୀ; କନ୍ଧମାଳରୁ ସିଙ୍ଗାପୁର ଗସ୍ତ କରିବେ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ସ୍ଵଂୟ ସହାୟକ ଗୋଷ୍ଠୀର ଜିଲ୍ଲା ସ୍ତରୀୟ ମହାସଙ୍ଘ ସଭାନେତ୍ରୀ କୁମୁଦିନୀ ଦିଗାଲ ଜିଲ୍ଲାର ଅଗ୍ରଣୀ ନେତ୍ରୀ ଭବେ ମିସନ ଶକ୍ତି ବିଭାଗ ତରଫରୁ ଦ୍ଵିତୀୟ ପର୍ଯ୍ୟାୟରେ ଆସନ୍ତା ଜୁନ ମାସ ୩ ତାରିଖରେ ସିଙ୍ଗାପୁର ଯାତ୍ରା କରିବା ନିମନ୍ତେ ମନୋନୀତ ହୋଇଛନ୍ତି। ଏଣୁ ତାଙ୍କୁ ଆଜି ଫୁଲବାଣୀ ଠାରେ ଜିଲ୍ଲାପାଳ ଓ ଘୁ.ଉଦୟଗିରି ବ୍ଲକ ଠାରେ ବିଡିଓ ଆଶିଷ କୁମାର ତ୍ରିପାଠୀ ଏବଂ ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସୂଚନା ଅନୁସାରେ ସଭାନେତ୍ରୀ ଶ୍ରୀମତୀ ଦିଗାଲ ୨୦୦୨ ମସିହା ଠାରୁ ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ କିରାମାହା ଗ୍ରାମର ମାଆ ଭାର୍ଗବୀ ସ୍ଵୟଂ ସହାୟକ ଗୋଷ୍ଠୀର ନେତୃତ୍ବ ନେବା ଆରମ୍ଭ କରିଥିଲେ।  ପରେ ସେ ବ୍ଲକ ସଭାନେତ୍ରୀ ଓ ଜିଲ୍ଲା ସଭାନେତ୍ରୀ ଭାବେ ନେତୃତ୍ଵ ନେଇ ଆସୁଛନ୍ତି। ଘୁ ଉଦୟଗିରି ବ୍ଲକରେ ୭୮୬ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କାର୍ଯ୍ୟରତ ରହିଥିବା ବେଳେ ସମୁଦାୟ କନ୍ଧମାଳ ଜିଲ୍ଲାରେ ୧୪୬୭୫ ସଂଗଠନ କାର୍ଯ୍ୟରତ ଥିବା ଜଣାପଡିଛି। ଶ୍ରୀମତୀ ଦିଗାଲଙ୍କ ବିଗତ ଦିନର ଅକ୍ଲାନ୍ତ ପରିଶ୍ରମର ଫଳାଫଳ ସଦୃଶ ମିସନ ଶକ୍ତିର ରାଜ୍ୟ ମୁଖ୍ୟ ସୁଜାତା କାର୍ତିକାୟେନଙ୍କ ଅନୁମୋଦନ କ୍ରମେ ସିଙ୍ଗାପୁର ଯାତ୍ରା ନିମନ୍ତେ ସୁଯୋଗ ପ୍ରଦାନ କରିଛନ୍ତି। ଏହି ସିଙ୍ଗାପୁର ଯାତ୍ରାରେ ମିସନ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟର ସମୁଦାୟ ୧୦ ଜଣ ସଭାନେତ୍ରୀ ଯିବା ପାଇଁ ମନୋନୀତ ହୋଇଥିବା ବେଳେ ଘୁ.ଉଦୟଗିରି ବ୍ଲକର କୁମୁଦିନୀ ଦିଗାଲ କନ୍ଧମାଳ ଜିଲ୍ଲାର ନେତୃତ୍ୱ ନେବା ପାଇଁ ମନୋନୀତ ହୋଇଛନ୍ତି। ଏହି ଗସ୍ତରେ ସେଠାରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ବୁଲି ଦେଖିବା ସହ ସେଠାକାର ବ୍ୟବସାୟିକ ପ୍ରଣାଳୀକୁ ଶିଖି କନ୍ଧମାଳ ଫେରିବା ପରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସେଠାକାର ବ୍ୟବସାୟିକ ପ୍ରଣାଳୀ ବିଷୟରେ ବୁଝେଇବା ସହ କ୍ଷୁଦ୍ର ଉଦ୍ୟୋଗୀ ହେବାରେ ପ୍ରେରଣା ପ୍ରଦାନ କରିବେ।

ସମ୍ବନ୍ଧିତ ଖବର