ସମ୍ବଲପୁର: ଯାହା କେବେ ହୋଇ ନଥିଲା ଏଥର ସେଭଳି ଜନମତ ଦେଖିବାକୁ ମିଳିଛି। ଏକଦା କଂଗ୍ରେସ୍ର ଗଡ଼ ଥିବା ପଶ୍ଚିମ ଓଡ଼ିଶାରେ କୌଣସି ଅଣକଂଗ୍ରେସ୍ ଦଳକୁ କୌଣସି ନିର୍ବାଚନରେ ପୂର୍ବରୁ ଏଭଳି ଜନମତ ମିଳି ନଥିଲା। ଏଥର ବିଜୁ ଜନତା ଦଳ ଅପ୍ରତ୍ୟାଶିତ ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ଓ ଅଧିକାଂଶ ଜିଲ୍ଲା ପରିଷଦରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ପୂର୍ବାନୁମାନ କରା ଯାଉଥିଲେ ବି ଏଭଳି ଏକତରଫା ଜନମତ ହାସଲ କରିବ ତାହା ଖୋଦ୍ ଦଳୀୟ ନେତା ଓ କର୍ମୀଙ୍କୁ ବି ଚକିତ କରିଛି।
ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ୩୫ଟି ବିଧାନସଭା ଅନ୍ତର୍ଗତ ୮୭ଟି ବ୍ଲକ୍ର ୨୦୯ଟି ଜିଲ୍ଲା ପରିଷଦ ଅାସନ (ଜୋନ୍) ପାଇଁ ନିର୍ବାଚନ ହୋଇଥିଲା। ଏଥିରୁ ବିଜେଡି ୧୮୧ଟି ଆସନ ଅର୍ଥାତ୍ ୮୬.୬% ଆସନ ଜିତି ନେଇଛି। ଏହି ଆସନ ବଳରେ ଦଳ ସମସ୍ତ ୧୦ଟି ଯାକ ଜିଲ୍ଲାରେ ସଂଖ୍ୟା ଗରିଷ୍ଠତା ହାସଲ କରି ଜିଲ୍ଲା ପରିଷଦ ଗଠନ କରିବା ନିଶ୍ଚିତ କରିଛି। ଝାରସୁଗୁଡ଼ା ଓ ଦେବଗଡ଼ ଦୁଇଟି ଜିଲ୍ଲାରେ ଦଳ କ୍ଲିନ୍ ସୁଇପ୍ କରିବାରୁ ସେଠାରେ ଜିଲ୍ଲା ପରିଷଦ ବିରୋଧୀ ଶୂନ୍ୟ ହୋଇଯାଇଛି। ଗତଥର ୬ଟି ଜିଲ୍ଲାରେ ବହୁମତ ପାଇ ପରିଷଦ ଗଢ଼ିଥିବା ବିଜେପି ଏଥର ମାତ୍ର ୨୦ଟି ଆସନ ପାଇଛି ଯାହା ୯.୫୭%। ଅର୍ଥାତ୍ ଏହି ଜାତୀୟ ଦଳ ପଶ୍ଚିମ ଓଡ଼ିଶାରେ ମୋଟ ଆସନର ଏକ ଦଶମାଂଶ ଆସନ ବି ଜିତିପାରି ନାହିଁ।
ପଶ୍ଚିମ ଓଡ଼ିଶାର ଚୂଡ଼ାନ୍ତ ଚିତ୍ର
ବିଜେଡି ୧୮୧, ବିଜେପି ୨୦, କଂଗ୍ରେସ୍ ୭ ଆସନରେ ବିଜୟୀ
ଗତଥର ୭ରୁ ୬ ଆସନ ଜିତି ଜିଲ୍ଲା ପରିଷଦ ଗଢ଼ିଥିବା ଦେବଗଡ଼ ସମେତ ୨ଟି ଜିଲ୍ଲାରେ ଏହା ଖାତା ବି ଖୋଲିପାରି ନାହିଁ। ୩ଟି ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ, ୩ଟିରେ ମାତ୍ର ୨ଟି ଲେଖାଏଁ ଆସନ ଜିତିଛି। କଂଗ୍ରେସ୍ ଦଳ ଗତଥର ଶୋଚନୀୟ ପ୍ରଦର୍ଶନ କରିଥିଲାବେଳେ ଏଥର ଅବସ୍ଥା ଆହୁରି ଖରାପ ହୋଇଛି। ଏହି ଦଳ ପାଖରେ ଥିବା ଝାରସୁଗୁଡ଼ା ଜିଲ୍ଲା ପରିଷଦ ଏଥର କେବଳ ହାତରୁ ଯାଇ ନାହିଁ ସଦସ୍ୟ ଶୂନ୍ୟ ହୋଇଯାଇଛି। ୧୦ରୁ ୬ଟି ଜିଲ୍ଲାରେ ଏହି ଦଳ ଖାତା ଖୋଲି ପାରି ନାହିଁ। ୩ଟିରେ ମାତ୍ର ଗୋଟିଏ ଲେଖାଏଁ ସିଟ୍ ଜିତିଛି। କେବଳ ବଲାଙ୍ଗୀର ଜିଲ୍ଲାରେ କିଛିଟା ସମ୍ମାନ ରଖି ୪ଟି ଜିଲ୍ଲା ପରିଷଦ ଆସନ ଜିତିବାରେ ସମର୍ଥ ହୋଇଛି। ଏହି ଦଳ ମୋଟ ୭ଟି ଆସନ ଜିତିବାରେ ସକ୍ଷମ ହୋଇଛି ଯାହା ପଶ୍ଚିମ ଓଡ଼ିଶାରେ ଆସନ ସଂଖ୍ୟାର ମାତ୍ର ୩.୩୫%। ୨୦୯ରୁ ଅନ୍ୟାନ୍ୟ ଖାତାକୁ ମାତ୍ର ଗୋଟିଏ ଆସନ ଯାଇଛି ଯାହା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଜୋନ୍-୧ରେ ସିପିଆଇଏମ୍ ପ୍ରାର୍ଥୀ ଜିତିଛନ୍ତି।
୨୦୧୭ରେ ବିଜେପି ଦଳ ସମ୍ବଲପୁର, ଦେବଗଡ଼, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡିରେ ସଂଖ୍ୟା ଗରିଷ୍ଠତା ସହ ଜିଲ୍ଲା ପରିଷଦ ଗଢ଼ିଥିଲା ବେଳେ ଏଥର ସବୁ ଗୁଡ଼ିକ ହରାଇଛି। ସେହିପରି କଂଗ୍ରେସ୍ ଦଳ ଝାରସୁଗୁଡ଼ାରେ ଜିଲ୍ଲା ପରିଷଦ ଗଢ଼ିଥିଲାବେଳେ ତାହା ହାତଛଡ଼ା କରିଛି। ବିଜେଡି ନୂଆପଡ଼ା ଓ ବୌଦ୍ଧରେ ଏକାକୀ ତଥା ସୁନ୍ଦରଗଡ଼ରେ କଂଗ୍ରେସ୍ ସହ ମେଣ୍ଟ କରି ଜିଲ୍ଲା ପରିଷଦ ଗଢ଼ିଥିଲା। ଏଥର ସବୁ ଗୁଡ଼ିକରେ ଏକତରଫା ବିଜୟ ହାସଲ କରିଛି। ତେବେ ଏସବୁ ଭିତରେ ଏଥର ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଏହି ଦଳକୁ ସର୍ବାଧିକ ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ବଲାଙ୍ଗୀର ଜିଲ୍ଲାରେ ମୋଟ ୩୪ ଆସନରୁ ବିଜେପି ଓ କଂଗ୍ରେସ୍ ୪ଟି ଲେଖାଏଁ ଜିତିବାରେ ସମର୍ଥ ହୋଇଛନ୍ତି। ଫଳରେ ବିଜେଡିକୁ ୨୬ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଏଠାରେ ବିଜେପିର କେଭି ସିଂହଦେଓ ଓ କଂଗ୍ରେସ୍ର ସନ୍ତୋଷ ସିଂହ ସାଲୁଜା (କୁକୁ) ନିଜ ନିର୍ବାଚନମଣ୍ଡଳିରେ ଗୋଟିଏ ଦୁଇଟି ଲେଖାଏଁ ଆସନ ଜିତି ଦଳର କିଛିଟା ସମ୍ମାନ ରଖିଛନ୍ତି। ସେହିପରି ବରଗଡ଼ ଜିଲ୍ଲାରେ ବିଜେପି ଶାସକ ଦଳକୁ ସର୍ବାଧିକ ଟକ୍କର ଦେବାରେ ସଫଳ ହୋଇଛି। ବିଶେଷ କରି ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ (କୁନା) ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ କଡ଼ା ଟକ୍କର ଦେଇ ୪ଟି ଆସନ ହାତେଇ ନେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ନିର୍ବାଚନମଣ୍ଡଳୀ ବିଜେପୁରରେ ଶାସକ ଦଳକୁ ୩ଟି ଆସନ ହରାଇବାକୁ ପଡ଼ିଛି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଗୋଟିଏ ଆସନ ଜିତି ତିନିଥରର ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାଏକ କିଛିଟା ସମ୍ମାନ ରଖିଛନ୍ତି।