କୁନା ତ୍ରିପାଠୀ ହେଲେ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ

ଭୁବନେଶ୍ୱର : ଜଣାଶୁଣା ଅଭିନେତା ସତ୍ୟବ୍ରତ ତ୍ରିପାଠୀ(କୁନା ତ୍ରିପାଠୀ) ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଆଜି ଏହି ନୂଆ ନିଯୁକ୍ତି ଦେଇଛନ୍ତି। ଦୀର୍ଘ ଦିନ ଧରି ଅଭିନେତା ମୁନା ଖାନ୍‌ ଏହି ନିଗମର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ। ତାଙ୍କୁ ଗତ ମାର୍ଚ୍ଚ ମାସରେ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଥିଲା। ତେବେ ସେ ପୂର୍ବ ପରି ଓଏଫ୍‌ଡିସି ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଥିଲେ। ଦୀର୍ଘ ବର୍ଷ ଧରି ସାଇନ୍‌ ବୋର୍ଡ ସଂସ୍ଥା ପାଲଟିଥିବା ଓଏଫ୍‌ଡିସିର ଅଧ୍ୟକ୍ଷ ଭାବେ କୁନା ତ୍ରିପାଠୀଙ୍କ ନିଯୁକ୍ତି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀ ତ୍ରିପାଠୀ ଏହି ନିଗମକୁ କେତେଦୂର ଚଳଚଞ୍ଚଳ କରିପାରୁଛନ୍ତି ଓ ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ କି ଠୋସ୍‌ ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର