ଓଏଫ୍‌ଡିସି ଅଧ୍ୟକ୍ଷ ଦାୟିତ୍ୱ ନେଲେ କୁନା ତ୍ରିପାଠୀ : କଳିଙ୍ଗ ଷ୍ଟୁଡିଓକୁ ଫିଲ୍ମିସିଟି କରିବା ପାଇଁ ପ୍ରସ୍ତାବ ଦିଆଯିବ

କଟକ :ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବ। ଆବଶ୍ୟକ ହେଲେ ଏହାକୁ ଫିଲ୍ମିସିଟିରେ ପରିଣତ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏଥିସହିତ ରାଜ୍ୟ ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟର ଆଧୁନିକୀକରଣ କରାଯିବ। କଳିଙ୍ଗ ଷ୍ଟୁଡିଓ ଏବଂ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ କାର୍ଯ୍ୟାଳୟର ପ୍ରସ୍ତାବିତ ଯୋଜନା ସମ୍ପର୍କରେ ଏପରି ସୂଚନା ଦେଇଛନ୍ତି ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ( କୁନା ତ୍ରିପାଠୀ)।

ଆଜି କଟକ ବକ୍ସିବଜାରସ୍ଥିତ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱଗ୍ରହଣ କରିବା ପରେ ରାଜ୍ୟରେ ସିନେମା ହଲଗୁଡିକର ଉନ୍ନତିକରଣ ଏବଂ ଏହାର ସଂଖ୍ୟା ବୃଦ୍ଧି କରିବାକୁ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ କଳିଙ୍ଗ ଷ୍ଟୁଡିଓକୁ ସ୍ପୋର୍ଟସ କମ୍ପ୍ଲେକ୍ସ କରିବା ପରିବର୍ତ୍ତେ ସେଠାରେ ଫିଲ୍ମିସିଟି ନିର୍ମାଣ ଉପରେ ସେ ଗୁରୁତ୍ୱ ଦେବା ସହ ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ କାର୍ଯ୍ୟାଳୟର ଆଧୁନିକୀକରଣ ପାଇଁ ଯୋଜନା ଥିବା ସେ ସୂଚନା ଦେଇଛନ୍ତି। ଏ ନେଇ ଆସନ୍ତାକାଲି ଓଏସଆଇସି କର୍ତ୍ତୃପକ୍ଷଙ୍କ ସହ ବୈଠକ ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ଅଭିନେତା ବିଜୟ ମହାନ୍ତି, ପ୍ରଯୋଜକ ଅକ୍ଷୟ ପରିଜା, ନିର୍ଦ୍ଦେଶକ ବସନ୍ତ ସାହୁ, ରୋହିତ ଗାନ୍ଧୀ, ସେନସର ବୋର୍ଡ ଅଧିକାରୀ ଗୋପାଳ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ତ୍ରିପାଠୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସମ୍ବନ୍ଧିତ ଖବର