ପଦ୍ମପୁର : ସାମୁଦ୍ରିକ ଝଡ଼ ‘ଫନି’ରେ ଭୁବନେଶ୍ବର ସହର ଉଜୁଡ଼ି ଯାଇଛି। ପାଣି ଟୋପେ କିମ୍ବା ଖାଇବାକୁ ମିଳିଲାନି। ଏପଟେ ଏଟିଏମ୍ ବି ଅଚଳ ହୋଇଥିବାରୁ ଅର୍ଥ ବିନା ଭୁବନେଶ୍ବର ରହିବା କାଠିକର ପାଠ ହୋଇ ପଡ଼ିଲା। ତେଣୁ ସହର ଛାଡ଼ିବାକୁ ମନସ୍ଥ କଲେ ଦିବ୍ୟାଙ୍ଗ କୁନାରାମ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଜଙ୍ଗଲଘେରା ଆଦିବାସୀ ଗାଁ ପୋଡ଼ାଗଡ଼ ପଞ୍ଚାୟତର ମୋହନପୁର ଗାଁର ଯୁବକ ହେଉଛନ୍ତି କୁନାରାମ। ଗାଡି ଭଡ଼ା ପାଇଁ ପାଖରେ କାଣି କଉଡିଟିଏ ନଥିଲା। ଏପରି ଅବସ୍ଥାରେ କୁନାରାମ ସାଇକେଲ ଚଳାଇ ନିଜ ଗାଁ ଘରକୁ ପଳାଇ ଆସିବାକୁ ସାହସ ଜୁଟାଇଥିଲେ। ମାତ୍ର ଗୋଟିଏ ଗୋଡ଼ରେ ସାଇକେଲ ଚଳାଇ ଦୀର୍ଘ ୨୫୦ କିମି ଯଶିପୁର ପହଞ୍ଚିବା ଘଟଣା ଏବେ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି।
ତାଙ୍କ କହିବା ଅନୁସାରେ, କୁନାରାମ ଭୁବନେଶ୍ବରରେ ରହି ଏକ ଘରୋଇ ବିଶ୍ବବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର(ପିଜି) କରୁଥିଲେ। ଫନି ପ୍ରଭାବରେ ଭୁବନେଶ୍ବର ସହର ଧ୍ବସ୍ତ ହୋଇଯିବା ପରେ ସେଠାରେ ରହି ପାଠ ପଢିବା କୁନାରାମଙ୍କ ପାଇଁ ମହାଚିନ୍ତାର ବିଷୟ ପାଲଟିଥିଲା। ଏଟିଏମ୍ ବି କାମ କରୁ ନଥିବାରୁ ଘରୁ ଟଙ୍କା ପାଇବା ଆଶା ମଉଳିଗଲା। ଖାଇବାକୁ ବି ପଇସା ଯୋଗାଡ କରି ପାରି ନଥିଲେ ସେ। ଯେମିତି ହେଉ ଘରକୁ ବାହୁଡି ଆସିବାକୁ ସେ ନିଷ୍ପତ୍ତି ନେଲେ। ଗୋଟିଏ ଗୋଡ ଛୋଟା ହେଲେ ବି ସାଇକେଲ ଚଢି ଗାଁକୁ ପହଞ୍ଚିବାକୁ ଦୃଢ଼ ନିଷ୍ପତ୍ତି ନେଲେ। ଫଳରେ ଗତକାଲି ସକାଳ ୬ଟା ବେଳେ ସାଇକେଲ ଯାତ୍ରା ଆରମ୍ଭ କଲେ। ବାଟରେ କୁନାରାମଙ୍କୁ ପ୍ରବଳ ଭୋକ ହେବାରୁ ବଡଚଣା ପାଖରେ ସେ ଅଟକି ଥିଲେ। ରାସ୍ତା କଡରେ ଦହିବରା ଦୋକାନୀଙ୍କୁ କାକୁତି ମିନତି ହୋଇ ତାଙ୍କ ପାଖରୁ ଦହିବରା ଖାଇ ପ୍ରାଣ ବଞ୍ଚାଇବାକୁ ସକ୍ଷମ ହେଲେ। ମାତ୍ର ତାଙ୍କ ପାଖରୁ ଦହିବରା ଦୋକାନୀ ଟଙ୍କା ନେଇ ନଥିବାରୁ ତାଙ୍କ ମଣିଷପଣିଆକୁ ଧନ୍ୟବାଦ ଦେଇ କୁନାରାମ ସେଠାରୁ ବାହାରିଥିଲେ। କଟକ, ଚଣ୍ଡିଖୋଲ, ଠାକୁରମୁଣ୍ଡା ଦେଇ ରାତିରେ ସେ କରଞ୍ଜିଆରେ ପହଞ୍ଚିଥିଲେ। କରଞ୍ଜିଆ ଡାକ୍ତରଖାନାରେ ରାତ୍ରିଯାପନ କରି ପୁଣି ଆଜି ସକାଳେ ସାଇକେଲ ଚଢି ଯଶିପୁର ଅଭିମୁଖେ ବାହାରି ଥିଲେ। ଅପରାହ୍ନ ୨ଟା ବେଳେ ଯଶିପୁର ବଜାରରେ ପହଞ୍ଚି ଦୁର୍ଦ୍ଦଶା ଜଣାଇଥିଲେ। ପରେ ବଜାରର ସ୍ଥାନୀୟ ଯୁବକମାନେ ତାଙ୍କୁ ଆଶ୍ୱସନା ଦେଲେ। ଯଶିପୁର ଠାରୁ ୨୦ କିମି ଦୂର ଜଙ୍ଗଲ ସୀମାନ୍ତ ମୋହନପୁର ଗାଁରେ କୁନାରାମ ସନ୍ଧ୍ୟାରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/kuna-2.jpg)