ଖଣି ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗରେ କୁଣ୍ଡାବାଇ ଫାଣ୍ତି ଅଧିକାରୀ ନିଲମ୍ବିତ

ଉଦଳା-୧ : ଖଣି ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ କୁଣ୍ତାବାଇ ଫାଣ୍ତି ଅଧିକାରୀ ନୌସଦ ଅଲ୍ଲୀ ଖାଁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଏସ୍‌ପି ସ୍ମିତ ପି. ପରମାର। ନୌସଦ ଅଲ୍ଲୀ ୪ ମାସ ପୂର୍ବେ ଏଠାରେ ଯୋଗ ଦେଇଥିଲେ। ତାଙ୍କ ଯୋଗଦାନ ପୂର୍ବରୁ ଏହି ଫାଣ୍ଡି ତଥା ଉଦଳା ତହସିଲ ଅଧୀନ ଶ୍ରୀଦାମଚନ୍ଦ୍ରପୁର ରାଜସ୍ବ ନିରୀକ୍ଷକଙ୍କ ଅଞ୍ଚଳରେ ବେଆଇନ ମାଙ୍କଡ଼ା ଓ ମୋରମ ଚାଲାଣ ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ତାଙ୍କ ଯୋଗଦାନ ପରେ ଚାଲାଣ ପୂର୍ବ ଭଳି ହେଉଥିଲା କିନ୍ତୁ ଖବର ପ୍ରଘଟ ହେଉନଥିଲା। ଫାଣ୍ଡି ଅଧିକାରୀ ଅର୍ଥ ଲୋଭରେ ମାଫିଆଙ୍କ ସହିତ ହାତ ମିଳାଇଥିବାରୁ ଏମିତି ହେଉଥିବା ଚର୍ଚ୍ଚା ହେଉଥିଲା। ଅଭିଯୋଗର ଫର୍ଦ୍ଦ ଲମ୍ବା ହେଉଥିବା ବେଳେ କିଛି ଦିନ ଆଗରୁ ଫାଣ୍ଡି ଅଧିକାରୀ ମାଫିଆଙ୍କଠାରୁ ଅର୍ଥ ଆଦାୟ ସମୟର ଭିଡିଓ ଓ ମୋବାଇଲ ବାର୍ତ୍ତାଳାପର ରେକର୍ଡିଂ ଭାଇରାଲ ହୋଇଥିଲା। ଏହାର ତଦନ୍ତ ପାଇଁ ଉଦଳା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସ୍‌ପି ଓ ତଦନ୍ତ ରିପୋର୍ଟ ଆଧାର‌ରେ ଫାଣ୍ତି ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ; ପୂର୍ବରୁ ମାଫିଆଙ୍କ ସହ ଲିଙ୍କ୍‌ ମାମଲାରେ ଶ୍ରୀଦାମଚନ୍ଦ୍ରପୁର ରାଜସ୍ବ ନୀରୀକ୍ଷକ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ। ବାଡ଼ ଫସଲ ଖାଇବା ନୀତିରେ ମାଫିଆଙ୍କ ସହ ଏହି ଅଞ୍ଚଳରେ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ପ୍ରଶାସନ ଲଜ୍ଜିତ ହେଉଛି।

ସମ୍ବନ୍ଧିତ ଖବର