କୋରାପୁଟ/ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ମଧ୍ୟାହ୍ଣରେ ତାଙ୍କର ମୃତଦେହ ଏକ ବନ୍ଦ କୋଠରୀ ଭିତରୁ ମିଳିଥିବା ସୂଚନା ମିଳିଛି। ଏହାପରେ ପୀଡ଼ିତାଙ୍କ ପରିବାର ତାଙ୍କୁ ସ୍ଥାନୀୟ କୁନ୍ଦୁଲି ଡାକ୍ତରଖାନାକୁ ନେବା ପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ପୀଡ଼ିତା ବେକରେ ଦଉଡ଼ି ଦେଇ ଜୀବନ ହାରିଛନ୍ତି ବୋଲି କୁହାଯାଉଛି। ସୁନାବେଡା ଏସ୍‌ଡିପିଓ ନରହରି ନାୟକଙ୍କ ସୂଚନା ଅନୁସାରେ, ପୀଡିତା ଆତ୍ମହତ୍ୟା କରିଛନ୍ତି। କିନ୍ତୁ କେଉଁ ପରିସ୍ଥିତିରେ ଏଭଳି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳକୁ ପୁଲିସ ତଦନ୍ତ ଲାଗି ଯାଇଛି।

Advertisment

publive-image

କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ କୁନ୍ଦୁଲିରେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ନବମ ଶ୍ରେଣୀ ଛାତ୍ରୀ ସମିତା (ଛଦ୍ମନାମ) ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ। ସେ ଅଭିଯୋଗ କରିଥିଲେ କି ପୁଲିସ ଯବାନ ପୋଷାକ ପିନ୍ଧା ୪ଜଣ ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ତେବେ ପୀଡ଼ିତାଙ୍କ ଅଭିଯୋଗର ତଦନ୍ତ କରିଥିବା ପୁଲିସ ଟିମ୍‌ ଏବଂ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ଗଣଦୁଷ୍କର୍ମର କୌଣସି ପ୍ରମାଣ ପାଇ ନ ଥିଲେ। ପୀଡ଼ିତା ମିଛ ଅଭିଯୋଗ କରିଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା।

publive-image

ତେବେ ପୁଲିସର ମତକୁ  ମିଛ ବୋଲି  କହିଥଲେ ପୀଡ଼ିତା। ସେ କହିଥଲେ, ମୋତେ ଦୁଷ୍କର୍ମ କରାଯାଇଛି। କୁନ୍ଦୁଲି ବଜାରରୁ ଗାଁକୁ ଫେରୁଥିବା ବେଳେ ତିନି ଜଣ ପୁଲିସ ବାଟରୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏ ନେଇ ମୁହଁ ଖୋଲିବା ପରେ ଘଟଣାକୁ ଚାପିବା ଲାଗି ଉଦ୍ୟମ ହୋଇଥିଲା। ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଏଡିଜି ମୋ ପାଖରେ ପହଞ୍ଚି ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ପୁଲିସ ଦୁଷ୍କର୍ମ କରିନାହିଁ ବୋଲି କହିବାକୁ ଚାପ ପକାଇଥିଲେ। ଏଥିପାଇଁ ୯୦ ହଜାର ଟଙ୍କା ମଧ୍ୟ ଯାଚିଥିଲେ। ସେମାନଙ୍କ କଥାରେ ରାଜି ନ ହେବାରୁ ମୋ ପରିବାରକୁ ଧମକ ଦିଆଯାଉଛି। ମୋତେ ଦୁଷ୍କର୍ମ କରାଯାଇ ନ ଥିବା କୁହାଯାଉଛି। ବାହାର ରାଜ୍ୟକୁ ନେଇ ପୁଣିଥରେ ମୋର ଡାକ୍ତରୀ ମଇନା କରାଯାଉ। ଯଦି ମୁଁ ମିଛ କହୁଥିବି ତେବେ ଫାଶୀ ଦିଆଯାଉ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ କୁନ୍ଦୁଲି ପୀଡ଼ିତା।

publive-image

ପରେ କୁନ୍ଦୁଲି ପୀଡ଼ିତାଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ରାଜ୍ୟ ସରକାର କୋରାପୁଟ ଜିଲ୍ଲାଜଜ୍‌ଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥଲେ । ଗତ ୬ ତାରିଖରେ ଏ  ନେଇ ବିଜ୍ଞପ୍ତି ଜାରି ହୋଇଥିଲା।  ବିଜ୍ଞପ୍ତି ଅନୁଯାୟୀ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଏଥିରେ କେଉଁମାନେ ସଂପୃକ୍ତ, ଏହି ଘଟଣା ସହିତ କେଉଁ ପ୍ରସଙ୍ଗ ଜଡ଼ିତ ଏହି ରୂପେ ୩ଟି ପ୍ରସଙ୍ଗ ଉପରେ କୋରାପୁଟ ଜିଲ୍ଲାଜଜ ତଦନ୍ତ କରୁଥିଲେ। ଅନ୍ୟପକ୍ଷରେ  ରେଡ୍‌ଫ୍ଲାଗ ମାମଲା ପର୍ଯ୍ୟାୟଭୁକ୍ତ କରିଥିବା କ୍ରାଇମବ୍ରାଞ୍ଚ ପୁଲିସ୍‌ ମଧ୍ୟ ଘଟଣାର ତଦନ୍ତ ଅବ୍ୟାହତ ରଖିଥିଲା।

 ସିବିଆଇ ତଦନ୍ତ କଲେ ଯାଇ ପ୍ରକୃତ କଥା ସାମ୍ନାକୁ ଆସିବ: ତାରା ବାହିନୀପତି

ସୋମବାର ଅପରାହ୍ନରେ କନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ନେଇ ଜୟପୁର ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟ ପୁଲିସ ଓ କ୍ରାମଇବ୍ରାଞ୍ଚ ଠିକ୍‌ ଭାବେ ତଦନ୍ତ କରିନାହିଁ। ସିବିଆଇ ତଦନ୍ତ କଲେ ଯାଇ ପ୍ରକୃତ କଥା ସାମ୍ନାକୁ ଆସିବ।