ଘରକୁ ଫେରିଲେ କୁନ୍ଦୁଲି ପୀଡ଼ିତା

କୋରାପୁଟ : ଶେଷରେ ଘରକୁ ଫେରିଛନ୍ତି କୁନ୍ଦୁଲି ପୀଡିତା। ଜିଲ୍ଲା ଶିଶୁ ମଙ୍ଗଳ କମିଟିଙ୍କ ନିଷ୍ପତ୍ତି କ୍ରମେ ଆଜି ପ୍ରଶାସନ ପକ୍ଷରୁ ଏହି ଛାତ୍ରୀଙ୍କୁ ତାଙ୍କ ଗାଁରେ ଛାଡି ଦିଆଯାଇଛି। ଏବେ ସେ ନିଜ ପରିବାର ସହ ଗାଁରେ ରହିବେ। ପରେ ସେ ପଢିବା ପାଇଁ ଇଛା ପ୍ରକାଶ କଲେ ଏଥିନେଇ ବ୍ୟବସ୍ଥା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ଏହି ନାବାଳିକାଙ୍କୁ ଅକ୍ଟୋବର ୧୦ ତାରିଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ସେହିଦିନଠାରୁ ସେ ପ୍ରଶାସନ ହେପାଜତରେ ରହିଥିଲେ। କଟକ ବଡ ମେଡିକାଲରେ ତାଙ୍କର ଚିକିତ୍ସା କରାଯିବା ପରେ ଆଜି ସେ କୋରାପୁଟରେ ପହଞ୍ଚିଥିଲେ। ଆଜି ତାଙ୍କୁ କୋରାପୁଟ ଶିଶୁ ମଙ୍ଗଳ କମିଟି ପାଖରେ ହାଜର କରାଯାଇଥିଲା। ଛାତ୍ରୀ ଜଣଙ୍କ କେଉଁଠି ରହିବେ, କାହା ପାଖରେ ରହିବେ ସେଥିନେଇ କମିଟିରେ ଆଲୋଚନା ହୋଇଥିଲେ। ପୀଡିତା, ତାଙ୍କ ମା’ ଓ ଅନ୍ୟ ସଂପର୍କୀୟମାନେ ମଧ୍ୟ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ। ଘରକୁ ମଧ୍ୟ ନେଇଯିବା ପାଇଁ ତାଙ୍କ ପରିବାର ରାଜି ହୋଇଥିଲେ। ଏଥିନେଇ ନିଜେ ପୀଡିତା ଓ ତାଙ୍କ ପରିବାର ଲୋକେ ଲିଖିତ ଭାବେ ଶିଶୁ ମଙ୍ଗଳ କମିଟିକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର