ହାଇକୋର୍ଟରେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା

କଟକ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ କୁନ୍ଦୁଲି ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି। ସରକାରଙ୍କ ପକ୍ଷରୁ କୋରାପୁଟ ଏସ୍‌ପି ଡକ୍ଟର କେ.ଭି.ସିଂହ ଦାଖଲ କରିଥିବା ସତ୍ୟପାଠରେ ତଦନ୍ତର ସାନି ସ୍ଥିତି ସଂପର୍କରେ ବିସ୍ତତ ତଥ୍ୟ ରହିଛି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଚାର ବିଭାଗୀୟ ତଦନ୍ତ ପାଇଁ ଘୋଷଣା କରାଯାଇଛି ବୋଲି ଏଥିରେ ଦର୍ଶାଯାଇଛି। ସତ୍ୟପାଠ ସହିତ ପୀଡିତାଙ୍କ ଚିକିତ୍ସା ସଂପର୍କିତ ରିପୋର୍ଟ, ମାମଲାକୁ ନେଇ ରୁଜୁ ଏତଲାର ନକଲ ସହ ଜବତ ସାମଗ୍ରୀ ତାଲିକାର ନକଲ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସିବିଆଇ କିମ୍ବା ନ୍ୟାସ୍‌ନାଲ ଇନଭେଷ୍ଟିଗେଟିଂ ଏଜେନି୍ସ (ଏନଆଇଏ) ଦ୍ୱାରା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ ନିବେଦନ କରି ହାଇକୋର୍ଟରେ ଆଇନଜୀବୀ ଗୌତମ ସିଦ୍ଧିକୀଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ମାମଲାରେ ରାଜ୍ୟ ଗୃହ ବିଭାଗ ସଚିବ, ଡିଜିପି, ଏନ୍‌ଆଇଏ ଡିଜି, ସିବିଆଇ ଏସ୍‌ପି, କୋରାପୁଟ ଏସ୍‌ପି ଓ ପଟାଙ୍ଗୀ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର