ହାଇକୋର୍ଟରେ କୁନ୍ଦୁଲି ମାମଲା: ଏସ୍‌ଆଇଟି ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ

୨୩ରେ ପରବର୍ତ୍ତୀ ଶୁଣାଣି

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ସ୍ବତନ୍ତ ଅନୁସନ୍ଧାନକାରୀ ଟିମ୍ (ଏସ୍‌ଆଇଟି) କରିଥିବା ତଦନ୍ତର ସ୍ଥିତି ସଂପର୍କରେ ଆଜି ହାଇକୋର୍ଟରେ ଷ୍ଟାଟସ୍ ରି‌ପୋର୍ଟ ଦାଖଲ କରାଯାଇଛି। ସରକାରଙ୍କ ପକ୍ଷରୁ ଏସ୍‌ଆଇଟି ତଦନ୍ତ ସଂପର୍କିତ ଷ୍ଟାଟସ୍ ରିପୋର୍ଟ ବନ୍ଦ ଲଫାପାରେ ଦାଖଲ କରାଯାଇଛି। ଏସ୍‌ଆଇଟି ତଦନ୍ତ ଶେଷ ହେବା ପାଇଁ ଆଉ କିଛି ସମୟ ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। । ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ହାଇକୋର୍ଟରେ ପୂର୍ବତନ ସା˚ସଦ ମହାମେଘବାହନ ଐର ଖାରବେଳ ସ୍ବାଇଁ ଓ କୁନ୍ଦୁଲି ପୀଡ଼ିତାଙ୍କ ମା’ ଦମାଇ ଛାତିଙ୍କ ତରଫରୁ ଦାୟର ଦୁଇଟି ମାମଲାର ଶୁଣାଣି ଚାଲିଛି। ୨୦୧୯, ନଭେମ୍ବର ୧୮ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ତିନିଟି ରେଞ୍ଜର ଡିଆଇଜିଙ୍କୁ ନେଇ ଏସ୍‌ଆଇଟି ଗଠନ କରିବା ସହିତ କୁନ୍ଦୁଲି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ଦକ୍ଷିଣାଞ୍ଚଳ ଡିଆଇଜି ଓ ଓ ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜିଙ୍କୁ ନେଇ ଗଠିତ ଏସ୍‌ଆଇଟି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୀଡ଼ିତାଙ୍କ ମା’ ଓ ଭାଇଙ୍କୁ ଏସ୍‌ଆଇଟି ଟିମ୍ ସାକ୍ଷାତ କରି ତଥ୍ୟ ସଂଗ୍ରହ କରିଥିଲେ। କୁନ୍ଦୁଲି ଘଟଣାର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡ଼ିତାଙ୍କ ଭାଇ ଭଗବାନ ଛାତି ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ପୂର୍ବତନ ସାଂସଦ ଶ୍ରୀ ସ୍ବାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଅନ୍ୟ କେତେକ ବ୍ୟକ୍ତି ଓ ଅନୁଷ୍ଠାନ ମଧ୍ୟ ଏହି ପ୍ରସଂଗରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କୁନ୍ଦୁଲି ସ˚ପର୍କିତ କେତେକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ସୁପ୍ରିମକୋର୍ଟ ଭଗବାନଙ୍କ ମାମଲାର ଶୁଣାଣି ଓଡ଼ିଶା ହାଇକୋର୍ଟରେ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୀଡ଼ିତାଙ୍କ ମା’ ଦମାଇ ଛାତି ମଧୢ ହାଇକୋର୍ଟରେ ପୃଥକ ମାମଲା ରୁଜୁ କରିଥିଲେ। ଇତିମଧ୍ୟରେ ଭଗବାନ ଓ ଅନ୍ୟମାନଙ୍କ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଥିବା ବେଳେ ପୂର୍ବତନ ସାଂସଦ ଶ୍ରୀ ସ୍ବାଇଁ ଓ ପୀଡ଼ିତାଙ୍କ ମା’ ଶ୍ରୀମତୀ ଛାତିଙ୍କ ଆବେଦନର ହାଇକୋର୍ଟରେ ଶୁଣାଣି ଚାଲିଛି। ଶ୍ରୀମତୀ ଛାତିଙ୍କ ପକ୍ଷରୁ ଦାୟର ଆବେଦନରେ ପୀଡ଼ିତାଙ୍କ ସହିତ ଗଣଦୁଷ୍କର୍ମ ଅଭିଯୋଗ ନେଇ କୋରାପୁଟ ଜିଲ୍ଲାର ପଟାଙ୍ଗୀ ଥାନାରେ ଆଇପିସିର ଦଫା ୩୭୫-ଡି, ୩୭୭ ଓ ପୋକ୍‌ସୋ ଆଇନ, ୨୦୧୨ର ଧାରା ୬ରେ ରୁଜୁ ମାମଲାର ତଦନ୍ତ ସିବିଆଇକୁ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଛି। ଏଥିସହିତ ପୀଡ଼ିତାଙ୍କ ଅକସ୍ମାତ ମୃତ୍ୟୁ ଘଟଣାର ମଧୢ ସିବିଆଇ ତଦନ୍ତ ଏବଂ ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଶ୍ରୀମତୀ ଛାତିଙ୍କ ପକ୍ଷରୁ ଦାୟର ଆବେଦନରେ ପ୍ରାର୍ଥନା କରାଯାଇଛି। ଶ୍ରୀମତୀ ଛାତିଙ୍କ ତରଫରୁ ଆଇନଜୀବୀ ଶ୍ରୀଜୀ ଭବସାର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର