କୁନ୍ଦୁଲି ନିଆଁ : ସାରା ରାଜ୍ୟରେ ବନ୍ଦ ପାଳନ

ବସ୍‌, ଟ୍ରେନ ସେବା ବାଧାପ୍ରାପ୍ତ; ୧୨ଟା ପରେ ସବୁ ସ୍ୱାଭାବିକ

ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ସାରା ରାଜ୍ୟକୁ ଥରାଇ ଦେଇଛି। ଗତକାଲି କୁହୁଳିଥିବା କୁନ୍ଦୁଲି ନିଆଁ ଆଜି ଆହୁରି ବ୍ୟାପିଛି। ରାଜ୍ୟର ଜନଜୀବନ ଠପ୍‌ ହୋଇଯାଇଛି। କଂଗ୍ରେସ ଓ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ପ୍ରଭାବ ସାରା ରାଜ୍ୟରେ ପଡ଼ିଛି।

ରାଜଧାନୀ ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଗାଡ଼ିମୋଟର୍‌ ବନ୍ଦ ହେବା ସହ ଦୋକାନ ବଜାର ବନ୍ଦ ହୋଇଥିଲା। ରାଜରାସ୍ତାରେ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସମସ୍ତେ ଚିତ୍କାର କରିଥିଲେ। ବନ୍ଦ ପାଳନ ଆଳରେ କିଛି ସ୍ଥାନରେ ଗଣ୍ଡଗୋଳ, ପୋଡ଼ାଜଳା ବି ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କିଛି ସ୍ଥାନରେ ବନ୍ଦ ଡାକରା ଦେଇଥିବା ବିଜେପି ଓ କଂଗ୍ରେସର କର୍ମୀମାନେ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ। ଗତକାଲି ପ୍ରଥମେ ବିଜେପି କୋରାପୁଟ ବନ୍ଦ ଡାକରା ଦେଇଥିଲା। ତାହା ପରେ କଂଗ୍ରେସ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ଡାକରା ଦେଲା। କଂଗ୍ରେସର ଏପରି ଅତର୍କିତ ନିଷ୍ପତ୍ତି ପରେ ବିଜେପି ତାହାର ରଣନୀତି ବଦଳାଇଦେଲା। ବୁଧବାର ସାରା ରାଜ୍ୟରେ ୧୨ ଘଣ୍ଟିଆ ହରତାଳ ହେବ ବୋଲି ଦଳ ଘୋଷଣା କଲା।

ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବନ୍ଦ ଡାକରା ଦେଇଥିବାରୁ ସାଧାରଣ ନାଗରିକ ଆତଙ୍କିତ ହୋଇପଡ଼ିଥିଲେ। ଫଳରେ ସକାଳୁ ସକାଳୁ ସବୁ ସ୍ଥାନରେ ଦୋକାନ, ବଜାର ଆପେ ଆପେ ବନ୍ଦ ହୋଇଯାଇଥିଲା। ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ରାସ୍ତାରେ ଅଟୋ ରିକ୍ସା କିମ୍ବା ଅନ୍ୟ କୌଣସି ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁ ନ ଥିଲା।

ସକାଳୁ ସକାଳୁ ଉଭୟ ଦଳର କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଦେଇଥିଲେ। କଂଗ୍ରେସ କର୍ମୀମାନେ ବହୁ ସ୍ଥାନରେ ଟ୍ରେନ୍‌ଗୁଡ଼ିକୁ ଟାର୍ଗେଟ୍‌ କରିଥିଲେ। ସବୁ ପ୍ରମୁଖ ଷ୍ଟେସନ୍‌ରେ ସେମାନେ ପିକେଟିଂ କରି ଟ୍ରେନ୍‌ ଅଟକାଇଥିଲେ। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସାରା ରାଜ୍ୟରେ ଟ୍ରେନ୍‌ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଭୁବନେଶ୍ୱରରେ କଂଗ୍ରେସର ନେତୃତ୍ୱ ନେଇ ବନ୍ଦ ପାଳନରେ ସାମିଲ୍‌ ହୋଇଥିଲେ। ତେବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଭୁବନେଶ୍ୱରରେ ଉପସ୍ଥିତ ନ ରହି ନିଜ ନିର୍ବାଚନମଣ୍ଡଳୀରେ ଥିଲେ। ଦଳର ଅନ୍ୟ କର୍ମକର୍ତ୍ତାମାନେ ଭୁବନେଶ୍ୱରରେ ବନ୍ଦ ପାଳନର ନେତୃତ୍ୱ ନେଇଥିଲେ। ରାଜଧାନୀ ସମେତ ସାରା ରାଜ୍ୟରେ ପୁଲିସ୍‌ ବନ୍ଦ ପାଳନକାରୀଙ୍କୁ ଗିରଫ କରିନେଇଥିଲା। ଯଦିଓ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଥିଲା, ତେବେ ମଧ୍ୟାହ୍ନ ୧୨ଟା ପରେ ଅଧିକାଂଶ ସ୍ଥାନରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ଅରାଜକତା

ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଓ ବିଜେପି ବନ୍ଦ ଡାକରା ଦେଇଥିଲେ। ହେଲେ ପତିଆରା ଲଢେଇ ଭିତରେ ଆଜି ଉଭୟ ଦଳ ମୁହାଁମୁହିଁ ହେବା ସହିତ ଅଭାବନୀୟ କାଣ୍ଡ ଭିଆଇଛନ୍ତି। ପୁରୀ, ପିପିଲି, ବ୍ରହ୍ମଗିରି ଆଦି ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆମ ପୁରୀ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ବିଜେପି ଓ କଂଗ୍ରେସର ବିକ୍ଷୋଭ ବେଳେ ମରିଚିକୋଟ ଛକ ରଣକ୍ଷେତ୍ର ପାଲଟିଥିଲା। ସେଠାରେ ରାସ୍ତା ବନ୍ଦ କରିବା ପାଇଁ ପୁଲିସ୍‌ ବାରିକେଡ୍‌ ଆଣି ରାସ୍ତା ଉପରେ ରଖୁଥିବା ବେଳେ ଏହାକୁ କେନ୍ଦ୍ର କରି କେତେକ ଯୁବକଙ୍କ ସହ ବିଜେପି ନେତାଙ୍କର ଗଣ୍ଡଗୋଳ ହୋଇଥିଲା। ଫଳରେ ସେମାନେ ପାଲଟା ଆକ୍ରମଣ କରିଥିଲେ। ପାଖାପାଖି ଅଧଘଣ୍ଟା ଧରି ସେଠାରେ ଖଣ୍ଡଯୁଦ୍ଧ ହୋଇଥିଲା। ସେହିଭଳି ବଡ଼ ଡାକ୍ତରଖାନା ଛକରେ କଂଗ୍ରେସ କର୍ମୀମାନେ ବିଜେଡିର ଏକ ବଡ଼ ଫ୍ଲେକ୍ସକୁ ଚିରିବା ସହ ଲାଗିଥିବା ପତାକାକୁ ମଧ୍ୟ ଛିଣ୍ଡାଇ ଦେଇଥିଲେ। ମହେଶ୍ୱର ବିରୋଧୀ ନାରା ଦେବା ସହ ବିଭିନ୍ନ ସ୍ଥାନରେ ଥିବା ବିଜେଡି ପୋଷ୍ଟର ନଷ୍ଟ କରିଥିଲେ। ୱାଟର ୱାର୍କସ୍‌ ରୋଡ୍‌ରେ ଥିବା ଜନସ୍ୱାସ୍ଥ୍ୟ ଅଫିସ୍‌ରେ ପଶି ଭଙ୍ଗାରୁଜା କରିଥିଲେ।

ତେବେ କଂଗ୍ରେସର ଦଳ ଭିତରର କନ୍ଦଳ ବା ପ୍ରସାଦଙ୍କୁ ଥିବା ବିରୋଧ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। କଂଗ୍ରେସ ଦଳରୁ କୌଣସି ମୁଖିଆ ନେତା ଦେଖା ଯାଇନଥିଲେ। ଯୁବ ନେତା ସୁଜିତ ମହାପାତ୍ରଙ୍କ ନେତୃତ୍ଵରେ ଗୋଟିଏ ଟିମ୍‌ ପିକେଟିଂ କରୁଥିଲା। ଆଉ କେତେକ ଯୁବକ ବିଶୃଙ୍ଖଳ ଭାବରେ କଂଗ୍ରେସ ନାମରେ ପିକେଟିଂ କରୁଥିବା ଦେଖାଯାଇଥିଲା।

ପିପିଲିରେ ଦୁଇ ବିଜେପି ଓ କଂଗ୍ରେସ କର୍ମୀ ରାଜନୈତିକ ଶତ୍ରୁତାକୁ ଓହ୍ଲାଇଛନ୍ତି। ଆଜି ପୂର୍ବାହ୍ନରେ ମଙ୍ଗଳପୁରଠାରେ ଜାତୀୟ ରାଜପଥ ରଣକ୍ଷେତ୍ର ପାଲଟିଥିଲା। ପୂର୍ବତନ ବିଧାୟକ ଯୁଧିଷ୍ଟିର ସାମନ୍ତରାୟ ଓ ତାଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ ୫୦ରୁ ଅଧିକ ସମର୍ଥକଙ୍କ ସହ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଆଶ୍ରିତ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତି ହୋଇଛନ୍ତି।

ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ମଙ୍ଗଳପୁର ଛକରେ ପାଖାପାଖି ୪ ମିନିଟ ଧରି ତାଙ୍କ ଉପରେ ମାଡ଼ ହୋଇଥିଲା। ଯୁଧିଷ୍ଠିରଙ୍କ ପୁଅ ଏକ ଲୁହା ରଡ୍‌ରେ ପିଟି ଦେବାରୁ ଆଶ୍ରିତଙ୍କ ମୁଣ୍ଡ ଫାଟି ଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୂର୍ବତନ ବିଧାୟକ ଘଟଣାସ୍ଥଳ ଛାଡ଼ିବାବେଳେ ‘ମୁଁ ଜାମିନ୍‌ରେ ଅଛି, ଏତଲା ଦେଲେ ଜୀବନ ଯିବ ଆଉ ପଛରେ କହିବୁନି।’ ବୋଲି ଚେତାଇ ଦେଇ ଯାଇଥିବା ଆଶ୍ରିତ ପିପିଲି ଥାନାରେ ଏତଲା ଦେଇଛନ୍ତି। ଏହି ଆକ୍ରମଣ ଘଟଣା ପରେ ଯୁଧିଷ୍ଠିର ଓ ପୁଅ ପ୍ରିୟବ୍ରତ ଫେରାର ଅଛନ୍ତି। ସମଗ୍ର ଅଞ୍ଚଳରେ ପୁଲିସ୍‌ ଚଢ଼ଉ ଜାରି ରଖିଛି। ବାପ-ପୁଅଙ୍କ ନାମରେ ୧୫ରୁ ଅଧିକ ମାମଲା ରହିଛି। ପୁଅ ପ୍ରିୟବ୍ରତ ବିଗତ ଦିନରେ ସମିତି ସଭ୍ୟ ରହିଥିବା ବେଳେ ଏବେ ପିପିଲି-ଡେଲାଙ୍ଗ ଯୁବ କଂଗ୍ରେସ ସଭାପତି ରହିଛନ୍ତି। ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ନଜର ରଖିଛନ୍ତି। ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାବେଳେ ସନ୍ଧ୍ୟା ସୁଦ୍ଧା ମାମଲା ରୁଜୁ ହୋଇନାହିଁ।

ସେପଟେ କୁନ୍ଦୁଲି ପ୍ରସଙ୍ଗ ସହିତ ଚିଙ୍ଗୁଡ଼ି ଘେରି ବିବାଦ ପ୍ରସଙ୍ଗକୁ ନେଇ ବ୍ରହ୍ମଗିରିରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଚିଲିକା ଗୋଷ୍ଠୀ ସଂଘର୍ଷ ମାମଲାରେ ପୁଲିସର ଏକତରଫା ଗିରଫଦାରିକୁ ବିରୋଧ କରି ଆଜି ସ୍ଥାନୀୟ ଲୁଲୁ ସେନା ଓ ବିଜେପି କର୍ମୀମାନେ କୃଷ୍ଣପ୍ରସାଦ ଥାନାରେ ଭଙ୍ଗାରୁଜା କରିବା ସହିତ ପ୍ରବଳ ଢେଲାମାଡ଼ କରିଛନ୍ତି। ଫଳରେ ଦୀର୍ଘ ସମୟ ଧରି ଥାନା ରଣକ୍ଷେତ୍ର ପାଲିଟିଥିଲା। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଖବର ନେବାରେ ଜଣାପଡ଼ିଛି ଚିଲିକାର କହୁଣିଆ ଓ ଶାଗଖିଆ ଚିଙ୍ଗୁଡ଼ି ଘେରି ମାଲିକାନାକୁ ନେଇ ଗତ ୧୪ ତାରିଖରେ ଅଲଣ୍ଡାପାଟଣା ଓ ଯମୂନାବଡ଼ସାହି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଉଭୟ ପକ୍ଷରୁ ୨୦ଜଣ ଗୁରୁତର ଆହତ ହୋଇଥିଲେ। ଉଭୟ ଗାଁ ପକ୍ଷରୁ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହେବା ପରେ ଶହେ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ତେବେ ପୁଲିସ ଗୋଟିଏ ପକ୍ଷରୁ ୧୦ଜଣଙ୍କୁ ଦୁଇ ଦଫାରେ ବାନ୍ଧି କୋର୍ଟ ଚାଲାଣ କରିଥିବାରୁ ଚାରିଦିନ ପୂର୍ବେ କୃଷ୍ଣପ୍ରସାଦ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା। ପୁଲିସ କହିଥିଲା ତୁରନ୍ତ ଅନ୍ୟପକ୍ଷର ଅଭିଯୁକ୍ତଙ୍କୁ ଗିରଫ କରାଯିବ। କିନ୍ତୁ କୌଣସି ଅଭିଯୁକ୍ତକୁ ଆଉ ଗିରଫ ନ କରିବା ପରେ ଆଜି ମଧ୍ୟ୍ୟାହ୍ନରେ ଲୁଲୁସେନା ଓ ବିଜେପି ପକ୍ଷରୁ ବିଜେପି ଜିଲ୍ଲା ସମ୍ପାଦକ ସୌମ୍ୟରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଦୁଇ ହଜାରରୁ ଅଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହା ସହିତ କୁନ୍ଦୁଲି ଘଟଣାକୁ ନେଇ ସରକାରୀ ବିରୋଧୀ ନାରା ଦେଇ କୃଷ୍ଣପ୍ରସାଦ ଥାନାକୁ ଘେରାଉ କରିଥିଲେ। ନାରାବାଜି କରି ହଜାର ହଜାର କର୍ମୀ ହଠାତ ଥାନା ଭିତରକୁ ଧସେଇ ପଶିବା ବେଳେ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲେ। ଚାଲିଥିଲା ଟେକା ପଥର ମାଡ଼। ଏହା ପରେ କର୍ମୀମାନେ ହଠାତ୍‌ ଥାନା ଭିତରେ ପଶି କମ୍ପ୍ୟୁଟର, ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଥାନା ପଛପଟେ ଥିବା ସ୍ଥାନୀୟ ତହସିଲଦାରଙ୍କ ଗାଡ଼ିରେ କେହି ନିଆଁ ଲଗାଇ ଦେଇଥିଲା। ପୁଲିସ ବାଲି ପକାଇ ଏହାକୁ ଲିଭାଇଥିଲା। ଏହି ସଂଘର୍ଷ ପରେ ଥାନା ଆଗରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ଦୁଇ ଗାଁ ମଧ୍ୟ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି ।

ସେପଟେ କଟକରେ ବନ୍ଦ ପାଳନ ବେଳେ ଉଭୟ ଦଳର କର୍ମୀ ଗାଡ଼ି ଅଟକାଇବାକୁ ଯାଇ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କେତେକ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।

ସମ୍ବନ୍ଧିତ ଖବର