କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କୁ ଆଜି ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଛି। ଏଥିସହ କୋରାପୁଟ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇ ୧୬୪ ଧାରାରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଏହା ପରେ ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ତାଙ୍କୁ ନେଇ କୁନ୍ଦୁଲି ନିକଟସ୍ଥ ମୂଷାଗୁଡ଼ାକୁ ଯାଇଥିଲେ। ସେଠାରେ ଦୁଷ୍କର୍ମ ହୋଇଥିବା ସ୍ଥାନ ଚିହ୍ନଟ କରିଥିଲେ ନାବାଳିକା। ପରେ ତାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଜିମାରେ ଛଡ଼ାଯାଇଥିଲା। କମିଟିର ସୁପାରିସ ଅନୁସାରେ ପୀଡିତାଙ୍କୁ ଶିଶୁ ସୁରକ୍ଷା ସଦନରେ ରଖାଯାଇଛି।
କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ଏହି ନବମ ଶ୍ରେଣୀ ଛାତ୍ରୀଙ୍କୁ ଯବାନ ପୋଷାକ ପିନ୍ଧା ୪ଜଣ ଦୁର୍ବୃର୍ତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗତ ୧୦ତାରିଖ ପୂର୍ବାହ୍ନରେ ଏହି ଅଘଟଣ ଘଟିଥିବା ପୀଡ଼ିତା ନିଜେ ଅଭିଯୋଗ କରିଥିଲେ। ଏହା ପରେ ପୀଡିତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହେବା ପରେ ତାଙ୍କୁ ଛାଡି ଦିଆଯାଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କୁନ୍ଦୁଲି ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିରେ ଆଜି ମା’ ଘର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିି। ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ।
ପୁଲିସ ବିରୋଧରେ ପୁଣି ଅଭିଯୋଗ,ଏସ୍ପିଙ୍କ ଅସ୍ୱୀକାର
କୋରାପୁଟ : ପୁଲିସ ଏକ ପାଖିଆ ତଦନ୍ତ କରୁଥିବା ନେଇ ପୀଡ଼ିତା ପୁଣି ଅଭିଯୋଗ ଆଣିଥିବା ସଂପର୍କିତ ଏକ ଭିଡିଓ ‘ସମ୍ବାଦ’ର ହସ୍ତଗତ ହୋଇଛି। ପୀଡିତାଙ୍କ କହିବାନୁଯାୟୀ, ଯବାନ ପୋଷାକ ପିନ୍ଧା ୪ଜଣ ଦୁର୍ବୃତ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରୁଥିଲେ ମଧ୍ୟ ପୁଲିସ ଏହାକୁ ବିଶ୍ୱାସ କରୁନି। ବରଂ କିଛି ସଂପର୍କୀୟଙ୍କୁ ସନ୍ଦେହ କରି ପଚରାଉଚୁରା କରୁଛି। ଯଦି ସଂପର୍କୀୟମାନେ ଏହି କାମ କରିଥାନ୍ତେ, ତେବେ ସେ ତାଙ୍କ ନାମ ଏତଲାରେ ଲେଖିଥାନ୍ତେ। ପୁଲିସ ମାମଲାକୁ ବଦଳାଇବା ପାଇଁ ଏମିତି କାମ କରୁଛି ବୋଲି ପୀଡିତା ଅଭିଯୋଗ କରିଛନ୍ତି। ଫଳରେ ସଂପର୍କୀୟମାନେ ଅଯଥାରେ ବଦନାମ ହେଉଛନ୍ତି। ଗାଁରେ ତାଙ୍କ ପରିବାରକୁ ସମସ୍ତେ ଖରାପ ଦୃଷ୍ଟିରେ ଦେଖୁଛନ୍ତି ବୋଲି ପୀଡିତା କହିଛନ୍ତି।
ଏପରିକି ଏହି ଘଟଣାର କିଛି ଦିନ ପୂର୍ବରୁ ଯବାନ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିବା ପୀଡିତା କହିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଦିନ ସେମାନେ ଦୁଇ ଜଣ ଶୌଚ ହେବାକୁ ଯାଇଥିଲାବେଳେ କିଛି ଯବାନ ତାଙ୍କ ଆଡକୁ ଝପଟି ଆସିଥିଲେ। ଏହା ଦେଖି ସେମାନେ ଡରି ପଳାଇ ଆସିଥିଲେ। ଗଣଦୁଷ୍କର୍ମରେ ଏହି ଯବାନମାନେ ସଂପୃକ୍ତ ବୋଲି ପୀଡିତା କହିଛନ୍ତି। ତେବେ ଏହି ସବୁ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କୋରାପୁଟ ଏସପି ଡ. କନଓ୍ଵର ବିଶାଳ ସିଂହ। ଘଟଣା ସମ୍ପର୍କରେ ଆଜି ସେ ଗଣମାଧ୍ୟମକୁ କହିଛନ୍ତି ଯେ, ପୀଡିତା ଆଜି ଡାକ୍ତରଖାନାରୁ ବାହାରିବା ପରେ ଅଦାଲତରେ ତାଙ୍କ ବୟାନ ରେକର୍ଡ କରଯାଇଛି। ପରେ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି।
ପୀଡିତାଙ୍କ ଉପରେ ପୁଲିସ ଚାପ ନେଇ ପ୍ରଶ୍ନ ହେବାରୁ ଏସପି କହିଛନ୍ତି ଯେ, ପୀଡିତା ମେଡିକାଲରେ ଭର୍ତ୍ତି ହେବା ପରଠାରୁ ଏକ ସାତ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ପାରା ମେଡିକାଲ କର୍ମଚାରୀ ବି ଅଛନ୍ତି। ଶିଶୁ ମଙ୍ଗଳ ଅଧିକାରୀଙ୍କ ସହ ବିଶେଷଜ୍ଞ କାଉନ୍ସେଲର ମଧ୍ୟ ତାଙ୍କ ପାଖେ ପାଖେ ରହୁଛନ୍ତି। ପୀଡିତାଙ୍କ ଉପରେ ଚାପ ନ ପଡିବା ପାଇଁ ଏମିତି ବ୍ୟବସ୍ଥା କରାଯାଉଛି। ଏଭଳି ସ୍ଥିତିରେ ପୁଲିସ ପକ୍ଷରୁ ତାଙ୍କ ଉପରେ ଚାପ ପକାଯିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି। ସ୍ୱଛ ଓ ନିରପେକ୍ଷ ତଦନ୍ତ ପାଇଁ କ୍ରାଇମ ବ୍ରାଂଚର ଏକ ଟିମ୍ର ସହାୟତା ନିଆଯାଉଛି। ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ତଦାରଖରେ ତଦନ୍ତ ଠିକ୍ ଭାବେ ଚାଲିଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ତଦନ୍ତ ସଂପର୍କରେ ଏବେ କିଛି କହିବା ଠିକ ହେବ ନାହିଁ ବୋଲି ଏସ୍ପି କହିଛନ୍ତି।
ତେବେ ଖୋଦ୍ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍ ସାଇନି ପୀଡ଼ିତାଙ୍କୁ ବୟାନ ବଦଳାଇବା ପାଇଁ ଚାପ ପକାଉଥିଲେ ବୋଲି ଗତକାଲି ପୀଡ଼ିତା କରିଥିବା ଅଭିଯୋଗ ଉପରେ ପୁଲିସର ମତାମତ ମିଳିପାରିନାହିଁ। ଏ ନେଇ ଡିଆଇଜିଙ୍କୁ ‘ସମ୍ବାଦ’ ପକ୍ଷରୁ ଫୋନ୍ କରାଯାଇଥିଲେ ବି ସେ ଫୋନ୍ ରିସିଭ୍ କରି ନଥିଲେ।