ସରକାର ଏତେ ନିର୍ଦୟ ହେଲେ କେମିତି!

କୁନ୍ଦୁଲି ପୀଡ଼ିତାଙ୍କ ଚିକିତ୍ସାରେ ଅବହେଳା

ଏମ୍‌ସକୁ ପଠାଇବାକୁ ପଛଘୁଞ୍ଚା, ତଦନ୍ତ ଓ ସୁରକ୍ଷାକୁ ନେଇ ସନ୍ଦେହ ବଢୁଛି

ଭୁବନେଶ୍ୱର : ଅକ୍ଟୋବର ୧୦ ତାରିଖରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ପ୍ରଘଟ ହେବାପରେ ସାରା ରାଜ୍ୟ ସ୍ତବ୍ଧ ହୋଇପଡ଼ିଥିଲା। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାଲାଗି ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। କ୍ରାଇମ ବ୍ରାଞ୍ଚ ନିଜଆଡ଼ୁ ତଦନ୍ତ ଆରମ୍ଭ କଲା। ଅପରାଧର ଗମ୍ଭୀରତା ଦୃଷ୍ଟିରୁ ଏହାକୁ ‘ରେଡ୍‌ ଫ୍ଲାଗ୍‌’ କାଟାଗୋରିରେ ସାମିଲ କରାଗଲା। ପୀଡ଼ିତାର ସମସ୍ତ ଚିକିତ୍ସା ସରକାର ବହନ କରିବେ ଏବଂ ଆବଶ୍ୟକ ପଡ଼ିଲେ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ପଠାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଘୋଷଣା ରାଜ୍ୟବାସୀଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିଥିଲା।

କିନ୍ତୁ ଇତିମଧ୍ୟରେ ତିନି ସପ୍ତାହ ବିତିଯାଇଥିଲେ ମଧ୍ୟ ଅପରାଧୀ ଧରାପଡ଼ି ନାହାନ୍ତି। ପୀଡ଼ିତାଙ୍କ ଉପଯୁକ୍ତ ଚିକିତ୍ସା କରାଯାଉ ନଥିବାରୁ ସେ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅନ୍ୟପକ୍ଷରେ ବୟାନ ବଦଳାଇବା ଲାଗି ତାଙ୍କୁ ପୁଲିସ ଅଧିକାରୀ ଧମକ ଦେଉଛନ୍ତି। ନିଜେ ପୀଡ଼ିତା ଏଭଳି ଅଭିଯୋଗ

କରିଥିଲେ ମଧ୍ୟ ସରକାର ଚୁପ୍‌ ହୋଇ ବସିଛନ୍ତି। ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି। ଅପରାଧୀଙ୍କୁ ଧରିବା ଲାଗି ପୂର୍ବଭଳି ଆଉ ତତ୍ପରତା ନାହିଁ କି ଉତ୍ତମ ଚିକିତ୍ସା ଲାଗି ପୀଡ଼ିତାଙ୍କୁ ବାହାରକୁ ପଠାଯାଉ ନାହିଁ। ଘଟଣାର ୨୪ ଘଣ୍ଟା ଭିତରେ ତତ୍ପର ହୋଇଥିବା ସରକାର ହଠାତ୍‌ ନିରବ ହୋଇଯାଇଛନ୍ତି କାହିଁକି? ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆ ଚିକିତ୍ସା ଲାଗି ନବୀନ ତାଙ୍କ ହୃଦୟର ଭଣ୍ଡାର ଖୋଲି ସାରା ରାଜ୍ୟରେ ପ୍ରଶଂସା ସାଉଁଟୁଥିବା ବେଳେ ଏଭଳି କଣ ହୋଇଗଲା ଯେ କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି ଏମିତି ନିର୍ଦୟ ହୋଇପଡ଼ିଲେ। କେଉଁ ଚାପ ତାଙ୍କ ବାଟ ଓଗାଳି ବସିଛି। ଅପରାଧୀକୁ ଧରାଯାଉନି କି ପୀଡ଼ିତାଙ୍କ ଉପଯୁକ୍ତ ଚିକିତ୍ସା କରାଯାଉ ନାହିଁ। ସବୁଠାରୁ ଚିନ୍ତାର ବିଷୟ ଯେ ପୀଡ଼ିତାଙ୍କ ଡାକ୍ତରୀ ରିପୋର୍ଟକୁ ମଧ୍ୟ ଚପାଇ ରଖାଯାଇଛି। ପୀଡ଼ିତାଙ୍କ ଚିତ୍କାର ସରକାରଙ୍କ କାନରେ ପଡ଼ୁନାହିଁ।

ପ୍ରକାଶଥାଉକି, ବାରମ୍ବାର ଅସୁସ୍ଥ ହୋଇପଡୁଛନ୍ତି କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିିତା। ଆଜି ସନ୍ଧ୍ୟାରେ ପୁଣି ଥରେ ତାଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ପଠାଯାଇଥିବା ସୂଚନା ମିଳିଛି। ହେଲେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୀଡିତାଙ୍କୁ ଉପଯୁକ୍ତ ଚିକିତ୍ସା ଦେବା ଲାଗି ସରକାର ନୂଆଦିଲ୍ଲୀ ଏମ୍‌ସକୁ ପଠାଇବା ଲାଗି ଏଯାଏ ଆଗ୍ରହ ଦେଖାଇନାହାନ୍ତି।

ଅନ୍ୟପଟରେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲା ପୁଲିସ। ଅପରାଧୀ ଧରିବା ତ ଦୂରର କଥା ଚିହ୍ନଟ କରାଯାଇଥିବା କଥା ମଧ୍ୟ ପୁଲିସ ଦାବି କରୁନି। ହାତ ବାନ୍ଧି ବସିଯାଇଛନ୍ତି ଜିଲ୍ଲା ପୁଲିସ, କ୍ରାଇମବ୍ରାଞ୍ଚ। ଖୋଦ୍‌ ଡିଜି ଘଟଣାର ଅନୁଧ୍ୟାନ କରିବା ପରେ ସ୍ଥିତିରେ କିଛି ଉନ୍ନତି ଘଟୁନି। ବାସ୍ତବରେ କଣ ସେଦିନ ଘଟିଲା, କିଏ ଜଣେ ନିରିହ ନାବାଳିକା ସହିତ ଏଭଳି ଜଘନ୍ୟ କାଣ୍ଡ ଭିଆଇଲା ତାହା ଉପରୁ ଏଯାଏ ପରଦା ଉଠାଇପାରିନି ପୁଲିସ।

ବରଂ ଘଟଣାଟି ଦିନକୁ ଦିନ ରହସ୍ୟମୟ ହୋଇପଡୁଛି। ଡଜନେରୁ ଅଧିକ ପ୍ରଶ୍ନ ଭିତରେ ଛନ୍ଦି ହୋଇଗଲାଣି ଏହି ମାମଲା। ବିଶେଷକରି ସରକାରୀ ବାବୁ ଓ ପୁଲିସର ଭୂମିକା ମାମଲାକୁ ଅଧିକ ସନ୍ଦେହ ଭିତରକୁ ଟାଣିନେଲାଣି। ଏଯାଏ ନାବାଳିକାର ଡାକ୍ତରୀମାଇନା ରିପୋର୍ଟକୁ ପଦାକୁ ଆଣିବା ଲାଗି ଆଗ୍ରହ ଦେଖାଉନି ପୁଲିସ। ଅଧିକାରୀମାନେ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ସଂପୃକ୍ତ ପୀଡିତା ଅଭିଯୁକ୍ତଙ୍କ ସଂପର୍କରେ ଯେଉଁ ବୟାନ କରିଛନ୍ତି, ସେ ନେଇ ତଦନ୍ତ ଆଗଉଛି କି ନାହିଁ, ତାହା ବି ଜଣାପଡୁନାହିଁ। କାରଣ ସେ ଅଞ୍ଚଳରେ କେନ୍ଦ୍ରୀୟ ପୁଲିସ ବାହିନୀ ହେଉ ବା ରାଜ୍ୟ ପୁଲିସର କେଉଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା, ତାହା ସରକାରୀ ରେକର୍ଡଭୁକ୍ତ ହୋଇଥିବ। ଏଣୁ ପୁଲିସକୁ ଯେ ଏକଥା ଅଛପା ଥିବ, ତାହା ବି ନୁହେଁ। ହେଲେ ଏ ନେଇ ପୁଲିସ ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି କାହିଁକି?

ଅନ୍ୟପଟରେ ସଂପୃକ୍ତ ପୀଡିତାଙ୍କୁ ଧମକ ଚମକ ଅଭିଯୋଗକୁ ବି ଗୌଣ କରିଦିଆଯାଇଛି। ପୀଡ଼ିତାଙ୍କ ସୁରକ୍ଷା ପାଇଁ କେଉଁ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି, କିଏ କେତେବେଳେ ଜଗୁଥିଲେ, ତାର ତାଲିକା ପୁଲିସ ପାଖରେ ରହିଛି। ହେଲେ ଏ ସଂକ୍ରାନ୍ତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କଣ ହେଲା, ତାହା ବି ବୁଝାପଡିଲା ନାହିଁ। ଏସବୁ ପ୍ରଶ୍ନରୁ ସନ୍ଦେହ ସୃଷ୍ଟି ହେଲାଣି ଯେ ମାମଲାକୁ ରଫା ଦଫା କରିଦେବା ପାଇଁ ତ ଷ଼ଡ଼ଯନ୍ତ୍ର ହେଉନି ତ? କିଛି ଦିନ ଏମିତି ଟାଳିଦେଲା ପରେ ଏ ପ୍ରସଙ୍ଗକୁ ହଜାଇ ଦିଆଯିବନି ତ?

ସବୁଠାରୁ ବଡ଼ କଥା ହେଲା, ସଂପୃକ୍ତ ଯୁବତୀ ବାରମ୍ବାର ଅସୁସ୍ଥ ହୋଇଯିବା ଘଟଣା ଏହି ପ୍ରସଙ୍ଗର ଗମ୍ଭୀରତାକୁ ବଢାଉ ଦେଉଛି। ନିର୍ଭୟା ଠାରୁ ଆହୁରି ଜଘନ୍ୟ ଘଟଣାରେ ନିଜେ ପୀଡ଼ିତା ହେଉଛନ୍ତି ଏକମାତ୍ର ସାକ୍ଷୀ। ଏଭଳିସ୍ଥଳେ ତାଙ୍କର ସୁରକ୍ଷା ଓ ସୁସ୍ଥତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ପୀଡିତାଙ୍କ ସୁରକ୍ଷା ପ୍ରତି କର୍ତ୍ତୃପକ୍ଷ ଯେତିକି ଯତ୍ନଶୀଳ ହେବା କଥା, ସେଥିରେ ଅଭାବ ଅନୁଭୂତ ହେଉଥିବା ଏବେ ଚର୍ଚ୍ଚାର ବିଷୟ ହେଲାଣି। ଏଭଳିସ୍ଥଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ପୀଡିତାଙ୍କୁ ଏମ୍‌ସଙ୍କୁ ସ୍ଥାନାନ୍ତରଣ କଲେ ତାଙ୍କୁ ଉପଯୁକ୍ତ ଚିକିତ୍ସା ତ ମିଳିବ, ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଲାଭପ୍ରଦ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ଏହି ନବମ ଶ୍ରେଣୀ ଛାତ୍ରୀଙ୍କୁ ଯବାନ ପୋଷାକ ପିନ୍ଧା ୪ଜଣ ଦୁର୍ବୃତ୍ତ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗତ ୧୦ତାରିଖ ପୂର୍ବାହ୍ନରେ ଏହି ଅଘଟଣ ପରେ ପୀଡିତାଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହେବା ପରେ ୨୭ତାରିଖରେ ଡାକ୍ତରଖାନାରୁ ବାହାରିଥିଲେ। କିନ୍ତୁ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୩୦ତାରିଖରେ ସେ ସେଠାରୁ ଆସିଥିିଲେ। ଆଜି ପୁଣି ସେ ଅସୁସ୍ଥ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର