ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ କେବଳ ଏସ୍ଓଜି ଜବାନ୍ମାନଙ୍କ ଦ୍ୱାରା ହିଁ ଘଟିଛି। ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବାକୁ ଯାଇଥିବା ଆମର କମିଟି ଏହା ହୃଦ୍ବୋଧ କରିଛନ୍ତି।
ବିଜେଡିର ବରିଷ୍ଠ ନେତା ତଥା ଦଳିତ ସେଲ୍ର ଆବାହକ ବିଷ୍ଣୁ ଦାସଙ୍କ ଏହି ଦୁଇ ଧାଡ଼ି କଥା ଆଜି ପୁଣି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଚର୍ଚ୍ଚାକୁ ନେଇଆସିଛି। ଏହା ସହ ରାଜ୍ୟ ସରକାର ମଧ୍ୟ ଅକଳରେ ପଡ଼ିଯାଇଛନ୍ତି। କାରଣ ମାଓ ଦମନ ପାଇଁ କାର୍ଯ୍ୟ କରୁଥିବା ଏସ୍ଓଜି ରାଜ୍ୟ ଗୃହ ବିଭାଗ ଅଧୀନରେ କାର୍ଯ୍ୟ କରୁଛି।
କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଶାସକ ବିଜୁ ଜନତା ଦଳ ପୀଡ଼ିତାଙ୍କ ପ୍ରତି ଦରଦ ଦେଖାଇବାକୁ ଅଣ୍ଟା ଭିଡ଼ିଥିଲା। ଦଳର ଦଳିତ ସେଲ୍କୁ ପୂରା ଦମ୍ରେ କାର୍ଯ୍ୟରେ ଲଗାଯାଇଥିଲା। ଘଟଣାସ୍ଥଳକୁ ପାଞ୍ଚ ଜଣିଆ କମିଟି ପଠାଇ ଦଳୀୟ ତଦନ୍ତ କରାଯାଇଥିଲା। ଏହି ତଦନ୍ତ ରିପୋର୍ଟ ସମ୍ପର୍କରେ ଜଣାଇବାକୁ ଆଜି ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଦଳିତ ସେଲ୍ ଆବାହକ ବିଷ୍ଣୁ ଦାସଙ୍କର ଏହି ଦୁଇ ପଦ କଥା ଶାସକ ଦଳକୁ ଅଡ଼ୁଆରେ ପକାଇଦେଇଛି।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଦେଇଥିବା ଲିଖିତ ପ୍ରେସ୍ ବିବୃତି ଓ କ୍ୟାମେରା ସାମ୍ନାରେ ତାଙ୍କ ବିବୃତି ମଧ୍ୟରେ ଫରକ ରହିଥିଲା। ଲିଖିତ ବିବୃତିରେ ଦର୍ଶାଯାଇଥିଲା, ସଂପୃକ୍ତ ନାବାଳିକା କୁନ୍ଦୁଲି ବଜାରରୁ ଘରକୁ ଫେରୁଥିଲା ବେଳେ ବିଏସ୍ଏଫ୍, କୋବ୍ରା ବାହିନୀର ୪ ଜଣ ଜୋର୍ଜବରଦସ୍ତ ଗଣଦୁଷ୍କର୍ମ କରିଥିବା କଥା ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ବିଏସ୍ଏଫ୍ ଓ କୋବ୍ରା ବାହିନୀର ଜବାନ୍ମାନେ ଏ ପ୍ରକାର ଅପରାଧିକ ଘଟଣାରେ ଲିପ୍ତ ଥିବା କଥା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଏହା ଏକ ସ୍ପର୍ଶକାତର ଘଟଣା। ବିଜେଡିର ଅନୁସୂଚିତ ଜାତି ସେଲ୍ ପକ୍ଷରୁ ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ। ସେମାନଙ୍କ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। କ୍ରାଇମ୍ବ୍ରାଞ୍ଚ୍ ଏଡିଜିଙ୍କ ଦ୍ୱାରା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଛି।
କିନ୍ତୁ ଶ୍ରୀ ଦାସ କ୍ୟାମେରା ସାମ୍ନାରେ ବିଏସ୍ଏଫ୍ ଓ କୋବ୍ରା ବାହିନୀ ନାଁ ନେଇ ନ ଥିଲେ। ଗଣଦୁଷ୍କର୍ମ ଏସ୍ଓଜି ଜବାନ୍ଙ୍କ କାମ ବୋଲି କହିଥିଲେ। ବିଷ୍ଣୁଙ୍କ ମନ୍ତବ୍ୟ ପରେ ଏ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଗଣମାଧ୍ୟମରେ ଦିନତମାମ ଏହାକୁ ନେଇ ଚର୍ଚ୍ଚା ଚାଲିଲା। ବିଜେପି ଓ କଂଗ୍ରେସ ବି ସୁଯୋଗ ହାତଛଡ଼ା କଲେ ନାହିଁ। ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଦିଲ୍ଲୀପ ମଲ୍ଲିକ କହିଲେ, ବିଷ୍ଣୁ ଦାସଙ୍କ ମନ୍ତବ୍ୟ ସତ ହୋଇଥିଲେ ଅତ୍ୟନ୍ତ ସାଂଘାତିକ। ପୁଲିସ୍ ପୁଲିସ୍ ଡିଜି ଏହି ଘଟଣାରେ ପୁଲିସ୍ କିମ୍ବା ମାଓବାଦୀଙ୍କ ସଂପୃକ୍ତିକୁ ଖଣ୍ଡନ କରିଥିଲେ। ଅନ୍ୟ ପଟେ ସରଜମିନ୍ ତଦନ୍ତ ଆଧାରରେ ଶ୍ରୀ ଦାସ ଏସ୍ଓଜି ଜବାନ୍ମାନଙ୍କୁ ଏହି ଜଘନ୍ୟ ଅପରାଧରେ ଦୋଷୀ ବୋଲି କହୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୃହ ବିଭାଗ। ତେଣୁ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଥିଲେ।
ସେହିପରି ଦୁଇ ଦିନ ହେଲା ଏହି ଘଟଣାକୁ ନେଇ ରାଜଭବନ ସମ୍ମୁଖରେ ଧାରଣା ଦେଉଥିବା କଂଗ୍ରେସ ବି ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି। ଦଳର ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ତଥା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି, ବିଜେଡ଼ି ଦଳିତ ସେଲ୍ ଆବାହକ ବିଷ୍ଣୁ ଦାସ ଏସଓଜି ଜବାନ ଦୁଷ୍କର୍ମରେ ସଂପୃକ୍ତ ବୋଲି ଆଜି ପ୍ରକାଶ କରିବା ପରେ ରାଜ୍ୟ ପୋଲିସ୍ ଡିଜି କାହା ଇଙ୍ଗିତରେ ଘଟଣା ଘଟିବାର ଅଧଘଣ୍ଟା ଭିତରେ ଏଥିରେ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ଗଣମାଧ୍ୟମରେ କହିଥିଲେ? ନବୀନ ସରକାରଙ୍କ ପକ୍ଷରୁ କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାକୁ ଚପାଇ ଦେବାପାଇଁ ଚକ୍ରାନ୍ତ ହୋଇଥିଲା। ମାତ୍ର କଂଗ୍ରେସର ଆନ୍ଦୋଳନ ଫଳରେ ସତ୍ୟ ପଦାକୁ ଆସିଛି।
ସ୍ଥିତି ବିଗୁଡ଼ିଥିବା ଦେଖି ଶାସକ ଦଳ ବିବ୍ରତ ହୋଇପଡ଼ିଲା। ବାଧ୍ୟ ହୋଇ ରାତିରେ ନିଜେ ଶ୍ରୀ ଦାସ ଗଣମାଧ୍ୟମକୁ ଏକ ସ୍ପଷ୍ଟୀକରଣ ଦେଲେ। ସେଥିରେ ସେ ଦର୍ଶାଇଲେ, କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ବିଜେଡି ଅନୁସୂଚିତ ଜାତି ସେଲ୍ ପକ୍ଷରୁ ତଦନ୍ତ ରିପୋର୍ଟ ସମ୍ପର୍କରେ ମୁଁ ସାମ୍ବାଦିକ ସମ୍ମିଳନୀରେ ଲିଖିତ ଭାବେ ସୂଚନା ଦେଇଛି। କିନ୍ତୁ କେତେକ ଗଣମାଧ୍ୟମରେ ମୋ ବକ୍ତବ୍ୟକୁ କଦର୍ଥ କରି ଏସ୍ଓଜି ଜବାନ୍ ସଂପୃକ୍ତି ଥିବା କଥା ପ୍ରକାଶ କରୁଛନ୍ତି।