କୋରାପୁଟ : ରହସ୍ୟମୟ ହୋଇ ରହିଥିବା କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଉପରୁ ଏ ପର୍ଯ୍ୟନ୍ତ ହଟିନି ପରଦା। ଏହି ଗଣଦୁଷ୍କର୍ମ ମାମଲା ନେଇ ଭିନ୍ନ ଭିନ୍ନ କଥା କୁହାଯାଉଥିଲା ବେଳେ ଏଥିରେ ପୁଲିସ ଓ ଯବାନଙ୍କ ସଂପୃକ୍ତି ଥିବାର କୌଣସି ପ୍ରମାଣ ମିଳିନି ବୋଲି କୋରାପୁଟ ଏସ୍‌ପି ସ୍ପଷ୍ଟ କରିଛନ୍ତି। ୪ଜଣ ଏସ୍‌ଓଜି ଯବାନ ଏହି ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ଥିବା ଗତକାଲି ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାଶ କହିଥିବା ବେଳେ ଲିଖିତ ପତ୍ରରେ ବିଏସ୍‌ଏଫର ସଂପୃକ୍ତି ଥିବା ଅଭିଯୋଗ ଉଠାଇଥିଲେ। ଏହାକୁ ଆଜି କୋରାପୁଟ ଏସ୍‌ପି ଡ. କନଓ୍ଵର ବିଶାଳ ସିଂହ ଖଣ୍ଡନ କରିଛନ୍ତି। କହିଛନ୍ତି, ମାମଲା ନେଇ କିଛି ସୁରାକ ମିଳିଛି। ଏହି ସୁରାକ ଆଧାରରେ ତଦନ୍ତ ଚାଲିଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଅଳ୍ପ ଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳି ପାରିବ ବୋଲି ସେ କହିଛନ୍ତି।

Advertisment

କୋରାପୁଟ ଜିଲ୍ଲା କୁନ୍ଦୁଲି ନିକଟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତ ୧୦ତାରିଖରେ ଯବାନ ପୋଷାକ ପିନ୍ଧା ୪ଜଣ ଯୁବକ ଏହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ବିଏସ୍‌ଏଫ୍‌ ଓ କୋବ୍ରା ଯବାନମାନଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା। ତେବେ ଗତକାଲି ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାଶ ଏସଓଜିଙ୍କ ସଂପୃକ୍ତି ଥିବା କହିବା ଏବଂ ଲିଖିତ ଭାବେ ବିଏସ୍‌ଏଫ ଯବାନଙ୍କ ସଂପୃକ୍ତି ଅଭିଯୋଗ ଉଠାଇବା ପରେ ମାମଲା ଅଧିକ ଗୋଳିଆ ହୋଇଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି କୋରାପୁଟ ଏସପି ଡ. ସିଂହ। ଏସ୍‌ପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେହି ଅଂଚଳକୁ କୌଣସି ଯବାନ ଯାଇଥିବାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନି। ଘଟଣା ଦିନ କୌଣସି ଫୋର୍ସ ଚଳପ୍ରଚଳ ନ ଥିଲା। କମ୍ବିଂ ଅପରେସନ ମଧ୍ୟ କରାଯାଇନଥିଲା। ଏହା ସହ ଏହି ସମ୍ବେଦନଶୀଳ ମାମଲାରେ କୌଣସି ଯବାନଙ୍କ ସଂପୃକ୍ତି ଥିବାର ପ୍ରମାଣ ମିଳିନି। ତଦନ୍ତ ସମୟରେ ସମସ୍ତ ଦିଗକୁ ତର୍ଜମା କରାଯାଇଥିଲେ ହେଁ, ଯବାନଙ୍କ ବିରୋଧରେ ସୁରାକ ପୁଲିସ ପାଇନି। ତେବେ ତଦନ୍ତ ଶେଷ ହୋଇ ନାହିଁ। କିଛି ନିର୍ଦ୍ଦିଷ୍ଟ ସୁରାକକୁ ଆଧାର କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିିଛି। ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ଅପରପକ୍ଷରେ ପୀଡ଼ିିତା ଜଣଙ୍କ ମାନସିକ ଭାବେ ଦୁର୍ବଳ ହୋଇ ପଡିଥିବାରୁ ତାଙ୍କ କାଉନସେଲିଂକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଆଜି ଭୁବନେଶ୍ୱରରୁ ଦୁଇ ଜଣ ମନସ୍ତତ୍ୱବିତ୍‌ କୋରାପୁଟ ଆସିଛନ୍ତି।