କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ଲୋଡ଼ା ଯାଇଥିବା ସତ୍ୟପାଠ ଦାଖଲର ସମୟସୀମା ଆଜି ଶେଷ ହୋଇଛି। ଶେଷଦିନରେ ସରକାରଙ୍କ ପକ୍ଷରୁ ଏକକାଳୀନ ୩ଟି ସତ୍ୟପାଠ ଦାଖଲ କରାଯାଇଛି। ତେବେ ପୀଡ଼ିତାଙ୍କ ପରିବାର, ସଂପର୍କୀୟ କିମ୍ବା ତାଙ୍କ ପାଇଁ ଲଢେଇ କରୁଥିବା ଲୋକଙ୍କ ପକ୍ଷରୁ ଗୋଟିଏ ହେଲେ ବି ସତ୍ୟପାଠ କମିଶନଙ୍କ ପାଖରେ ପହଞ୍ଚିନି। ଏପଟେ କମିଶନ ଅଳ୍ପ ଦିନ ଭିତରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବେ ବୋଲି ଜଣାପଡିଛି।
କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅକ୍ଟୋବର ୧୦ତାରିଖରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେବା ସହ କୋରାପୁଟ ଜିଲ୍ଲା ଦୌରାଜଜଙ୍କୁ ଏହି ମାମଲାର ତଦନ୍ତ କମିଶନ ଭାବେ ଦାୟିତ୍ୱ ଦିଆଯାଇଥିଲା। ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ କମିଶନଙ୍କ ପକ୍ଷରୁ ସତ୍ୟପାଠ ଲୋଡା ଯାଇଥିଲା। କିନ୍ତୁ କମିଶନ ପ୍ରଥମଥର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ଗୋଟିଏ ବି ସତ୍ୟପାଠ ଦାଖଲ ହୋଇ ନଥିଲା। ତେଣୁ ବାଧ୍ୟ ହୋଇ ଦ୍ୱିତୀୟ ଥର ବିଜ୍ଞପ୍ତ ଜାରି କରାଯାଇଛି। ଏଥିରେ ଆଜି ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ଶେଷଦିନରେ ୩ଟି ସତ୍ୟପାଠ ଦାଖଲ କରାଯାଇଛି। ପୁଣି ୩ଟି ଯାକ ସରକାରଙ୍କ ପକ୍ଷରୁ କରାଯାଇଛି। ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ, କ୍ରାଇମବ୍ରାଞ୍ଚ ଅଧିକାରୀ ଓ ପଟାଙ୍ଗୀ ଥାନା ଅଧିକାରୀଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ ହୋଇଥିବା ଜଣାପଡିଛି। ସତ୍ୟପାଠ ଦାଖଲର ଶେଷ ଦିନରେ ଆଜି ଜିଲ୍ଲା ଦୌରାଜଜଙ୍କ କାର୍ଯ୍ୟାଳୟରେ ପୁଲିସ ଅଧିକାରୀଙ୍କ ଗହଳି ଦେଖିବାକୁ ମିଳିଥିଲା। କୋରାପୁଟ ଅତିରିକ୍ତ ଏସପି ଭି.ଆର. ରାଓ, କ୍ରାଇମବ୍ରାଂଚ ଡିଏସପି ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ମାମଲାର ତଦନ୍ତ ଅଧିକାରୀ ଥିବା ଇନ୍ସପେକ୍ଟର ମମତା ପାଣିଗ୍ରାହୀ, ପଟାଙ୍ଗୀ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗୋ, ଜୟପୁର ଟାଉନ ଥାନା ଅଧିକାରୀ ପି.ଆର. ଛୋଟରାୟ ପ୍ରମୁଖ ଅଦାଲତରେ ପହଞ୍ଚିଥିଲେ। ସରକାରଙ୍କ ପକ୍ଷରୁ ୧୬ଜଣିଆ ସାକ୍ଷୀ ତାଲିକା କମିଶନଙ୍କୁ ଦିଆଯାଇଥିଲା। ଏଥିରେ ତଦନ୍ତକାରୀ ଅଧିକାରୀ, ଚିକିତ୍ସା କରିଥିବା ଡାକ୍ତର ଓ ଅନ୍ୟମାନଙ୍କ ନାମ ରହିଥିବା ଜଣାପଡିଛି।
ସରକାରଙ୍କ ପକ୍ଷରୁ ୩ଟି ସତ୍ୟପାଠ ଦାଖଲ କରାଯାଇଥିଲା ବେଳେ ପୀଡ଼ିତାଙ୍କ ପକ୍ଷରୁ ଗୋଟିଏ ହେଲେ ବି ସତ୍ୟପାଠ ଆସିନଥିବା କମିଶନଙ୍କ ସଚିବ ହିମାଂଶୁ ଶେଖର ବିଶ୍ୱାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/kunduli-1.jpg)