କୋରାପୁଟ : କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ବ୍ୟକ୍ତିଗତ ହାଜିରା ପାଇଁ ଜାତୀୟ ଅନୁସୂଚିତ ଜାତି କମିଶନ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ କରିଛନ୍ତି । ଆସନ୍ତା ୨୪ ତାରିଖରେ କମିଶନ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଉଭୟ ଅଧିକାରୀ ଉପସ୍ଥିତ ରହି ନିଜ ପକ୍ଷ ରଖିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାମଲା ସହ ସଂପୃକ୍ତ ସମସ୍ତ କାଗଜପତ୍ର ଦାଖଲ କରିବା ପାଇଁ ମଧ୍ୟ କମିଶନଙ୍କ ପକ୍ଷରୁ କୁହାଯାଇଛି।
କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ପୀଡିତାଙ୍କ ସଂପର୍କୀୟ ଓ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଏହି ମାମଲାର ତଦନ୍ତ କରିବାକୁ ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନ ଅଭିଯୋଗକୁ ଗ୍ରହଣ କରି ମାମଲାର ଶୁଣାଣି କରିବା ପାଇଁ ଆସନ୍ତା ୨୪ ତାରିଖକୁ ଧାର୍ଯ୍ୟ କରିଛନ୍ତି। କମିଶନ ଅଧ୍ୟକ୍ଷ ପ୍ରଫେସର ରାମ ଶଙ୍କର କାଠେରିଆ ଓ କମିଶନ ସଦସ୍ୟ ଡ. ଯୋଗେନ୍ଦ୍ର ପାଶ୍ୱାନ ଶୁଣାଣି କରିବେ।